ଶ୍ରୀଜଗନ୍ନାଥଙ୍କ ଭୋଗ ସାମଗ୍ରୀ


ଆମ ମାନଙ୍କର ନିତିଦିନିଆ ଜୀବନ ନିର୍ବାହ ହୋଇଥାଏ ଖାଦ୍ୟ ବା ଅନ୍ନକୁ ନେଇ । ବିନା ଖାଦ୍ୟରେ ଜଣଙ୍କ ଜୀବନ ଅତିବାହିତ ହେବା ଅତ୍ୟନ୍ତ ମୁସ୍କିଲ ହୋଇପଡ଼ିଥାଏ । ଖାଦ୍ୟକୁ ଖାଦ୍ୟ ପ୍ରାଣ କୁହାଯାଏ । ଠିକ ସେହିପରି ମହାପ୍ରଭୁଙ୍କ ନିତିଦିନିଆ ଦିନଚର୍ଯ୍ୟାରେ ଖାଦ୍ୟ ବା ଭୋଗର ବିଶେଷ ଗୁରୁତ୍ୱ ରହିଛି ଏବଂ ସବୁଠାରୁ ବଡ଼ କଥା ହେଲା ମହାପ୍ରଭୁଙ୍କ ପ୍ରତୁ୍ୟଷ ଅର୍ଥାତ୍ ଶଯ୍ୟା ତ୍ୟାଗ ସମୟରୁ ରାତିରେ ବିଶ୍ରାମ ଯିବା ପର୍ଯ୍ୟନ୍ତ ସେ ଷାଠିଏ ପଉଟି ବ୍ୟଞ୍ଜନ ବା ପ୍ରସାଦ ଗ୍ରହଣ କରିଥାନ୍ତି ।  ବିଷ୍ଣୁ ଉପାସକ ମାଳବାଧିପତି ଇନ୍ଦ୍ରଦୁ୍ୟମ୍ନ ଯେତେବେଳେ ଶ୍ରୀମନ୍ଦିର ନିର୍ମାଣ କରି ସେଥିରେ ମହାପ୍ରଭୁଙ୍କ ବିଗ୍ରହ ପ୍ରତିଷ୍ଠା କଲେ, ସେତେବେଳେ ଇନ୍ଦ୍ରଦୁ୍ୟମ୍ନଙ୍କ ଉପରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ବର ମାଗିବା ନିମନ୍ତେ କହିଥିଲେ । ରାଜା ଇନ୍ଦ୍ରଦୁ୍ୟମ୍ନ ନିଜର ବା ନିଜ ପରିବାରର ଯଶ, ଖ୍ୟାତି, ଧନସମ୍ପତ୍ତି ବା ପ୍ରତିପତ୍ତି ପାଇଁ ମହାପ୍ରଭୁଙ୍କୁ ବର ନମାଗି ବିନମ୍ରତାର ସହ କହିଥିଲେ - "ସବୁ ହୋଇ ତିନିଘଡ଼ି ଶୟନ କରିବ । ଭୁଞ୍ଜୁ ଭୁଞ୍ଜୁ ଜଗନ୍ନାଥ ହାତ ନ ଶୁଖିବ । ଦିନକ ଯାକର ଭୋଗ ଭୁଞ୍ଜୁଥିବରହି । ଏହି ବର ମୋତେ ଦେବ ତ୍ରିଲୋକ୍ୟ ଗୋସାଇଁ ।' ହେ ମହାପ୍ରଭୁ ତ୍ରୈଲୋକ୍ୟ ଗୋସାଇଁ! ତୁମେ ଦିନ ଭିତରେ ମାତ୍ର ତିନି ଘଡ଼ି ଶୟନ କରିବ । ତୁମେ ଖାଉ ଖାଉ ହାତ ଆଦୌ ଶୁଖିବ ନାହିଁ । ଅର୍ଥାତ୍ ତୁମର ସଦାସର୍ବଦା ଗୋଟିକ ପରେ ଗୋଟିଏ ଭୋଗ ଲାଗି ରହିଥିବ । ଏହି ବର ମୋତେ ଦେବ । ଯାହାର ସ୍ମାରକୀ ରୂପେ ଏବେ ମଧ୍ୟ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଗୋପାଳବଲ୍ଲଭ ଭୋଗ, ତିନିଧୂପ, ଭଅଣ୍ଡ, ବଡ଼ସିଂହାର ଭୋଗ ପ୍ରଭୃତି ଲାଗି ରହୁଛି । ପରିମାଣ ଦୃଷ୍ଟିରୁ ମହାପ୍ରଭୁଙ୍କ ଭୋଗକୁ ଷାଠିଏ ପଉଟି ଭୋଗ ବା କେତେକ ଛପନ ପ୍ରକାର ଭୋଗ ବୋଲି କହିଥାନ୍ତି । ସେହି ଅନୁସାରେ ମହାପ୍ରଭୁଙ୍କୁ ଷାଠିଏ ପଉଟି ବା ଛପନ ପଉଟି ଭୋଗଖିଆ ଭାବରେ କେତେକ ସମ୍ବୋଧନ ମଧ୍ୟ କରିଥିବାର ଜଣାଯାଏ ।
ଶ୍ରୀମନ୍ଦିରର ପ୍ରଚଳିତ ଭୋଗସାମଗ୍ରୀ ମଧ୍ୟରୁ ଅରୁଆ, କୁଡ଼ୁଭା, ଗୁଡ଼, ଘିଅ ବା ଘିଉ, ଚାଉଳ, ନୁଣ ବା ଲୋଣ, ବିରି ବା ବ୍ରିହୀ ପ୍ରଭୃତି ଶବ୍ଦର ବ୍ୟବହାର ବିଭିନ୍ନ ଅଭିଲେଖରେ ପରିଦୃଷ୍ଟ ହୋଇଥାଏ । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମସ୍ଥ ଶ୍ରୀକୂର୍ମେଶ୍ୱର ମନ୍ଦିରର ତିରୁଚୁତ୍ତୁ ମଣ୍ଡପର ଗୋଟିଏ ସ୍ତମ୍ଭରେ ଖୋଦିତ ଶିଳାଲେଖରେ ୧୪ଶ ଧାଡ଼ିରେ ଘି (ଘିଅ) ଓ ସଂହାଚଳସ୍ଥ ଲକ୍ଷ୍ମୀନୃସିଂହ ମନ୍ଦିରର ଗୋଟିଏ ସ୍ତମ୍ଭରେ ଗଜପତି ପୁରୁଷୋତ୍ତମ ଦେବଙ୍କ ୨ୟ ଅଙ୍କ ମାନ ମାସ ଶୁକ୍ଳ ୧୫ ଦିନ ରବିବାରରେ ଖୋଦିତ ହୋଇଥିବା ଶିଳାଲେଖରେ ୪ର୍ଥ ଧାଡ଼ିରେ "ଗୁଡ଼', ଘିଉ ଓ ୪ର୍ଥ ଓ ୫ମ ଧାଡ଼ିରେ "ଚାଉଳ' ଏବଂ ସମସ୍ତ ୩ ଶ୍ରାହୀ ମିଥୁନ ଶୁକ୍ଳ ୧୩ ଶୁକ୍ରବାରରେ ଘିଅ ଶବ୍ଦ ଦେଖିବାକୁ ମିଳିଥାଏ । ପ୍ରଥମ ଘିଉ ଶବ୍ଦ ଭୋଗ ନିମିତ୍ତ ପ୍ରୟୋଗ ହେବା ବେଳେ ଦ୍ୱିତୀୟଟି ପ୍ରଦୀପ ପ୍ରଜ୍ଜ୍ୱଳନ ପାଇଁ ବ୍ୟବହୃତ ହୋଇଛି । ପୁରୀ ଶ୍ରୀମନ୍ଦିରରେ "ଘି' ଶବ୍ଦଟି ଘିଅ ଅର୍ଥରେ ପ୍ରଯୁକ୍ତ । ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ଭୋଗ ଦ୍ରବ୍ୟ ମଧ୍ୟରେ ଥିବା ଏକ ପ୍ରକାର ପିଠା "ଘି ନାଡ଼ି'ରେ ମଧ୍ୟ ଘିଅ ଅର୍ଥରେ "ଘି' ଶବ୍ଦ ବ୍ୟବହାର ହୋଇଥିବା ପରିଲକ୍ଷିତ ହୋଇଥାଏ ।  କପିଳେନ୍ଦ୍ର ଦେବଙ୍କ ଶିଳାଲେଖରେ ଲୁଣ ଉପରୁ କର ଛାଡ଼ ହେବାବେଳେ ପୁରୁଷୋତ୍ତମ ଦେବଙ୍କ ଶିଳାଲେଖରେ ଏହାକୁ ଭୋଗସାମଗ୍ରୀ ମଧ୍ୟରେ ଗ୍ରହଣ କରାଯାଇଛି । ସେହିପରି ଗଜପତି କପିଳେଶ୍ୱରଦେବଙ୍କ ୨୫ ଅଙ୍କରେ ସିଂହାଚଳର ଲକ୍ଷ୍ମୀନୃସିଂହ ମନ୍ଦିର ଉକ୍ରୀର୍ଣ୍ଣ ହୋଇଥିବା ଶିଳାଲେଖର ୭ମ ଧାଡ଼ିରେ ପଣା ଶବ୍ଦଟି ପୁରୁଷୋତ୍ତମ ଦେବଙ୍କ ୯ମ ଅଙ୍କରେ ସିଂହାଚଳର ଲକ୍ଷ୍ମୀନୃସିଂହ ମନ୍ଦିରରେ ଖୋଦିତ ଶିଳାଲେଖର ୭ମ ଓ ୧୩ଶ ଧାଡ଼ିରେ, ଗୋବିନ୍ଦ ଦେବଙ୍କ ୫ମ ଅଙ୍କରେ ଖୋଦିତ ଶିଳାଲେଖର ୮ମ ଧାଡ଼ିରେ ଦହି ଶବ୍ଦଟି ଓ ସେହି ୮ମ ଧାଡ଼ିରେ ନିତ୍ୟାନି ଶବ୍ଦଟି ପରିଦୃଷ୍ଟ ହୋଇଥାଏ । ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ପ୍ରଚଳିତ ଭୋଗ ଭିତରୁ ଅନେକ ବର୍ତ୍ତମାନ ନିତିଦିନିଆ ମଣୋହୀରେ ଆଉ ପୂର୍ବପରି ସାମିଲ ହୋଇନାହିଁ । ତେବେ ମହାପ୍ରଭୁଙ୍କ ଭୋଗ ଟିକିଏ ପାଇବା ପାଇଁ ଭକ୍ତଜନ ଅତ୍ୟନ୍ତ ବ୍ୟାକୁଳିତ ହୋଇଥାନ୍ତି । ଏହାକୁ ନିର୍ମାଲ୍ୟ ବା ମହାପ୍ରଭୁଙ୍କ କୃପା ଆଶୀର୍ବାଦ ଭାବେ ସମସ୍ତେ ଗ୍ରହଣ କରିଥାନ୍ତି । 
ଡା.ସମ୍ରାଟ କର,ମୋ : ୯୧୩୨୪୩୩୩୩୩