ଓବିସି ବର୍ଗଙ୍କ ପାଇଁ ବିଜେଡିର ଜନଆନେ୍ଦାଳନ
ଭୁବନେଶ୍ୱର : ରାଜ୍ୟର ଏସଇବିସି/ଓବିସି ବର୍ଗ ପାଇଁ ୨୭% ସଂରକ୍ଷଣ ଓ ଏସ୍ସି, ଏସ୍ଟି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟ ବୈଷୟିକ ଓ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ୩୮.୭୫% ସଂରକ୍ଷଣ ଦାବିରେ ଆଜି ବିକ୍ଷୋଭ କରିଛି ବିଜେଡି । ଦଳ ପକ୍ଷରୁ ଆଜି ରାଜଭବନ ସମ୍ମୁଖରେ ବିଶାଳ ଜନଆନେ୍ଦାଳନ କରାଯାଇଛି । ହଜାର ହଜାର କର୍ମୀଙ୍କ ଉପସ୍ଥିତିରେ, ଦଳର ବରିଷ୍ଠ ନେତାମାନେ ଏହି ନ୍ୟାଯ୍ୟ ଦାବି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ଦଳର ଏହି ଦାବି ସମ୍ୱନ୍ଧରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ବିଧାୟକ ତଥା ବିଜେଡି ଓବିସି ସେଲ୍ର ଆବାହକ ଡ ଅରୁଣ କୁମାର ସାହୁ, ଦଳର ଏସ୍ଟି ସେଲ୍ର ଆବାହକ ମଙ୍ଗଳା କିସାନ ଓ ଦଳର ଏସସି ସେଲର ଆବାହକ ମହେଶ ସାହୁଙ୍କ ଆବାହକତ୍ୱରେ ଏହି ଜନଆନେ୍ଦାଳନ ଅନୁଷ୍ଠିତ ହୋଇଛି । ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ, ନିକଟରେ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କେବଳ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଦାନ କରାଯାଇଥିବା ୧୧.୨୫ ପ୍ରତିଶତ ସଂରକ୍ଷଣ ଏକ ପ୍ରବଞ୍ଚନା ବୋଲି କୁହଯାଇଛି । ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗ ପାଇଁ କୌଣସି ସଂରକ୍ଷଣ ପ୍ରଦାନ କରାଯାଇ ନ ଥିବାରୁ ଦଳ ପକ୍ଷରୁ ନାପସନ୍ଦ କରାଯାଇଛି । ତେଣୁ ତୁରନ୍ତ ରାଜ୍ୟର ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି କରାଯାଇଛି ।
କାର୍ଯ୍ୟକ୍ରମରେ ଡ ଅରୁଣ ସାହୁଙ୍କ ସମେତ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ସ୍ନେହାଙ୍ଗିନୀ ଛୁରିଆ, ପ୍ରଫୁଲ୍ଲ ସାମଲ, ବଦି୍ର ନାରାୟଣ ପାତ୍ର, କଳିକେଶ ନାରାୟଣ ସିଂହଦେଓ, ବ୍ୟୋମକେଶ ରାୟ, ସୁଭାଶିଷ ଖୁଣ୍ଟିଆ, ଦେବୀ ରଞ୍ଜନ ତି୍ରପାଠୀ, ଅଶୋକ ଚନ୍ଦ୍ର ପଣ୍ଡାଙ୍କ ବହୁ ବରିଷ୍ଠ ନେତା ଓ ବିଜେଡି ବିଧାୟକମାନେ ସାମିଲ ହୋଇଥିଲେ ।