ସାଲେପୁର ଓ ମାହାଙ୍ଗାରେ ତ୍ରିରଙ୍ଗା ଶୋଭାଯାତ୍ରା

 ଭୁବନେଶ୍ୱର : କଟକ ଜିଲ୍ଲା ସାଲେପୁର ଓ ମାହାଙ୍ଗାରେ ଆଜି ଅନୁଷ୍ଠିତ ହୋଇଛି ତ୍ରିରଙ୍ଗା ଯାତ୍ରା । ଏଥିରେ ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେଇ ଶୋଭାଯାତ୍ରାକାରୀଙ୍କୁ ଉତ୍ସାହିତ କରିଥିଲେ । ଏ ଅବସରରେ ମନ୍ତ୍ରୀ ସାଲେପୁର ବିଧାନସଭା କ୍ଷେତ୍ରରେ ପ୍ରାୟ ୩୫ କୋଟି ବ୍ୟୟରେ ୪ଟି ପାନୀୟଜଳ ପ୍ରକଳ୍ପ ଉଦ୍ଘାଟନ କରିବା ସହ ୧୧୦ କୋଟି ବ୍ୟୟ ଅଟକଳରେ ୧୯ଟି ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଛନ୍ତି । ଏହି ପ୍ରକଳ୍ପ ମଧ୍ୟରେ ମାହାଙ୍ଗାରେ ୨ଟି, କଟକ ସଦରରେ ୩ଟି, ନିଆଳିରେ ୨ଟି, ସାଲେପୁରରେ ୫ଟି, ଆଠଗଡ଼ରେ ୨ଟି, ବଡମ୍ବାରେ ୩ଟି, ବାଙ୍କିରେ ୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଅନ୍ତର୍ଭୁକ୍ତ । ପ୍ରକଳ୍ପଗୁଡିକ ଉକ୍ତ ଅଞ୍ଚଳର ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ନିର୍ଣ୍ଣାୟକ ଭୂମିକା ନେବ ବୋଲି ମନ୍ତ୍ରୀ ମତ ଦେଇଛନ୍ତି । ସାଲେପୁର ଓ ମାହାଙ୍ଗାଠାରେ ତ୍ରିରଙ୍ଗା ଯାତ୍ରାରେ ଯୋଗଦେଇ ଦେଶର ତିନି ସେନାବାହିନୀର ଅପୂର୍ବ ବଳ, ପରାକ୍ରମ, ଯଶ ଓ କୀର୍ତ୍ତି ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ଅପରେସନ ସିନ୍ଦୂରରେ ସେମାନେ ଯେଭଳି ସମଗ୍ର ଦେଶକୁ ଗୌରବାନ୍ୱିତ କରିଛନ୍ତି ସେଥି ପାଇଁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଥିଲେ । ମନ୍ତ୍ରୀଙ୍କ ସହିତ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, କଟକ ଗ୍ରାମ୍ୟ ଉନ୍ନୟନ ମଣ୍ଡଳର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଆରଡବ୍ଲୁ୍ୟଏସ୍ଏସ୍ର ମୁଖ୍ୟଯନ୍ତ୍ରୀ, କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସିଡିଓ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।