ଓମ୍ବାଡସି ସହାୟତାରେ ଏନ୍ସି ସ୍ୱୟଂଶାସିତ ମହାବିଦ୍ୟାଳୟର ବିଜ୍ଞାନ ବିଭାଗ ପାଇଛି ନୂଆ ରୂପ
ଯାଜପୁର ଟାଉନ୍: ଯାଜପୁରର ଏନ୍ସି ସ୍ୱୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ବିଭାଗକୁ ଆଧୁନିକ ରୂପ ଦିଆଯାଉଛି । ଫଳରେ ଏଠାରେ ଯେଉଁ ଶିକ୍ଷଣୀୟ ପରିବେଶ ସୃଷ୍ଟି ହୋଇଛି ତାହା ଯାଜପୁର ସହିତ ଆଖପାଖ ଜିଲାର ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣ ସାଜିଛି । ଓଡ଼ିଶାରେ ଥିବା ପ୍ରମୁଖ ଉଚ୍ଚଶିକ୍ଷାନୁଷ୍ଠାନ ଭିତରେ ଯାଜପୁରର ଏନ୍ ସି ସ୍ୱୟଂଶାସିତ ମହାବିଦ୍ୟାଳୟର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ୧୯୪୬ରେ ସ୍ଥାପିତ ଏହି ପୁରାତନ ମହାବିଦ୍ୟାଳୟକୁ ୧୯୯୯ମସିହାରେ ସ୍ୱୟଂଶାସିତ ମାନ୍ୟତା ମିଳିବା ପରେ ଏଠାରେ ବିଭିନ୍ନ ନୂତନ ପାଠ୍ୟକ୍ରମ ଆରମ୍ଭ କରାଯିବା ସହିତ କଲେଜର ଭିତିଭୂମିକୁ ଉନ୍ନତିକରଣ କରିବା ଉପରେ ପ୍ରାଥମିକତା ଦିଆଯାଉଛି । ଏନ୍ସି ସ୍ୱୟଂଶାସିତ ମହାବିଦ୍ୟାଳୟର ବିଜ୍ଞାନ ବିଭାଗରେ ପାଠ ପଢ଼ିବା ପାଇଁ ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀମାନେ ଆଗ୍ରହ ଦେଖାଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ବିଜ୍ଞାନ ବିଭାଗକୁ ନୂଆ ରୂପ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏଠାରେ ନୂତନ କ୍ଲାସରୁମ୍ ଓ ଉନ୍ନତ ମାନର ଲାବୋରେଟୋରି ସ୍ଥାପନ କରାଯାଇଛି । ଏଥିପାଇଁ ଓମ୍ବାଡସି ଆର୍ଥôକ ସହାୟତା ଯୋଗାଇ ଦେଇଛି । ଓମ୍ବାଡସି ସହାୟତାରେ ବିଜ୍ଞାନ ବିଭାଗରେ ଚାରି ମହଲା ବିଶିଷ୍ଟ ଏକ ନୂତନ କୋଠା ନିର୍ମାଣ କରାଯାଇଛି । ଏଥିରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ପାଇଁ ସ୍ୱତନ୍ତ୍ର କ୍ଲାସରୁମ୍ ଓ ଲାବୋରେଟୋରି ସ୍ଥାପନ କରାଯାଇଛି । ଫଳରେ ଛାତ୍ରଛାତ୍ରୀମାନେ ଏଠାରେ ସୁବିଧାରେ ଥିଓରି ସହିତ ପ୍ରାକ୍ଟିକାଲ କରିପାରୁଛନ୍ତି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ବିଜ୍ଞାନର ବିଭିନ୍ନ ଦିଗ ବିଷୟରେ ଜାଣିପାରୁଛନ୍ତି ଓ ଉଚ୍ଚତର ଗବେଷଣା ଲାଗି ଆଗ୍ରହ ଦେଖାଉଛନ୍ତି । ସେହିପରି ଏହି ନୂତନ କୋଠାରେ ବିଭାଗୀୟ ମୁଖ୍ୟ ଓ ରିସର୍ଚ୍ଚ ଆସୋସିଏଟ୍ ରୁମ୍ ରହିଛି । ତା’ଛଡ଼ା କନଫରେନ୍ସ ଓ ଲାଇବ୍ରେରି ହଲ୍ ସହିତ କମ୍ପ୍ୟୁଟର ଲ୍ୟାବ୍ ଓ ରେକର୍ଡ ରୁମ୍ ମଧ୍ୟ କରାଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ଏକ ପ୍ରତୀକ୍ଷା ଗୃହ, ପାନୀୟ ଜଳ ଯୋଗାଣ ଏବଂ ସ୍ୱଚ୍ଛ ଶୌଚାଳୟର ବ୍ୟବସ୍ଥା କରାଯାଇଛି । ଓମ୍ବାଡସି ପାଣ୍ଠିରୁ ଏଥିପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି । ବିଜ୍ଞାନ ବିଭାଗରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଥିଓରି ସହିତ ପ୍ରାକ୍ଟିକାଲ ଶିକ୍ଷାର ଆବଶ୍ୟକତା ଦୃଷ୍ଟିରେ ଆଧୁନିକ ଭିତିଭୂମି ନିର୍ମାଣ କରାଯାଇଛି । ଫଳରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟରେ ଗବେଷଣା କରିବାର ସୁଯୋଗ ପାଉଛନ୍ତି ବୋଲି କହିଛନ୍ତି ଅଧ୍ୟକ୍ଷ ଡକ୍ଟର ରଞ୍ଜନ କୁମାର ବେହେରା ।