ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଓ ଉପସଭାପତି ନିଯୁକ୍ତି ମାମଲା : ରାଜ୍ୟ ସରକାରଙ୍କୁ ଜବାବ ତଲବ 

 କଟକ:  ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଓ ଉପସଭାପତି ନିଯୁକ୍ତି ମାମଲାର ଶୁଣାଣି ଆଜି ହାଇକୋର୍ଟରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଓ ଉପସଭାପତି କେବେ ସୁଦ୍ଧା ନିଯୁକ୍ତି ହେବେ ଏବଂ ଏକାଡେମୀ ସାଧାରଣ ପରିଷଦ ଗଠନ ପାଇଁକି ପଦକ୍ଷେପ ନିଆଯାଇଛି, ତାହା ଉପରେ ରାଜ୍ୟ ସରକାରଙ୍କୁ ଆଜି ହାଇକୋର୍ଟ ଜବାବ ତଲବ କରିଛନ୍ତି । ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ୧୯୫୭ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠିତ ହୋଇଥିଲା । ଏକାଡେମୀର ସମ୍ବିଧାନ ଅନୁସାରେ ରାଜ୍ୟ ସରକାର ସଭାପତି ଓ ଉପସଭାପତିଙ୍କୁ ନିଯୁକ୍ତ କରନ୍ତି । ତେବେ ଏପର୍ଯ୍ୟନ୍ତ ସଭାପତି ଓ ଉପସଭାପତି ନିଯୁକ୍ତ ହୋଇପାରିନି । ଏକାଡେମୀର ସାଧାରଣ ପରିଷଦ ଗଠନରେ ମଧ୍ୟ ସରକାରଙ୍କ ପ୍ରମୁଖ ଭୂମିକା ହୋଇଛି । କିନ୍ତୁ ୨୦୨୪ ମସିହା ମେ ୨୦ ତାରିଖରେ ପୂର୍ବତନ ସଭାପତି ଓ ଉପସଭାପତି ତାଙ୍କର କାର୍ଯ୍ୟକାଳ ପୂରା କରି ଅବ୍ୟାହତି ନେଇଥିଲେ ମଧ୍ୟ ରାଜ୍ୟ ସରକାର ଏଯାଏ ତାଙ୍କ ସ୍ଥାନରେ କାହାରିକୁ ନିଯୁକ୍ତ କରିନାହାନ୍ତି । ୨୦୨୩ ମସିହା ଜୁଲାଇ ୨୦ ତାରିଖରେ ପୁରୁଣା ସାଧାରଣ ପରିଷଦର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ନୂତନ ସାଧାରଣ ପରିଷଦ ଗଠନ ହୋଇନାହିଁ । ଏହା ଫଳରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏହାଛଡ଼ା ଏହାର ମୂଳ ଉଦେ୍ଦଶ୍ୟ ମଧ୍ୟ ସାଧିତ ହୋଇପାରୁନାହିଁ । ଏସବୁ ପ୍ରସଙ୍ଗକୁ ନେଇ ଆଇନଜୀବି ପ୍ରବୀର ଦାସ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଆସନ୍ତା ମାସ ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।