ନାରାୟଣ ପାତ୍ରଙ୍କୁ ଡରିଲେଣି ଲୋକେ
ଭୁବନେଶ୍ୱର : ବେଗୁନିଆରୁ ନେଇ ରଣପୁର ଯାଏଁ, ସବୁଠି ଛୋଟମୋଟ ଫାର୍ମ କରୁଛନ୍ତି ବିଶିଷ୍ଟ ବ୍ୟବସାୟୀ ନାରାୟଣ ପାତ୍ର । ହେଲେ ଟଙ୍କା ବଳରେ ବଳୀୟାର ହୋଇ ସେ ଇନ୍ଦ୍ର ଚନ୍ଦ୍ର ମାନୁନାହାନ୍ତି । ବିଶେଷକରି ନୀରିହ ଆଦିବାସୀମାନେ ତାଙ୍କ ଜୁଲମର ଶିକାର ହେଉଥିବା ଜାଣିବାକୁ ମିଳିଛି । କିଏ ସାହସ କରି ଅଭିଯୋଗ କରୁଛି ତ ଆଉ କିଏ ଡରରେ ଚୁପ୍ ରହିବାକୁ ବାଧ୍ୟ ହେଉଛି । ସେପଟେ ମାସିକିଆ ବଟି ପାଇ ପୁଲିସ୍ ବି ସବୁ ଜାଣିଶୁଣି ଚୁପ୍ ରହୁଥିବା କୁହାଯାଉଛି । ଚେଲାଚାମୁଣ୍ଡାକୁ ଧରି କେବେ ଭୁବନେଶ୍ୱରରୁ ତ କେବେ ପୁରୀରେ ରହି ନାରାୟଣ ଗୋଟି ଚଳାଉଥିବାବେଳେ ତାଙ୍କ ନା ଶୁଣିଲେ ଲୋକେ ଡରିବା ବି ଆରମ୍ଭ କରିଦେଲେଣି । କେତେକ ସ୍ଥାନରେ ତାଙ୍କ ନାମରେ ବି ଗଦାଗଦା ଅଭିଯୋଗ ବି ଆସୁଛି ।
ଏକ ଅଭିଯୋଗ ଅନୁଯାୟୀ, ବେଗୁନିଆ ବ୍ଳକର ଗଡ଼ମାଣତୀର, କୋତଳାଙ୍ଗ ଆଦି ସ୍ଥାନରେ ନାରାୟଣଙ୍କ ଫାର୍ମ ରହିଛି । ଲେମ୍ବୁ ଫାର୍ମ ପାଇଁ ସେ ଶହ ଶହ ଏକର ଜମି ନେଇଛନ୍ତି । ସେହି ଜମିଗୁଡ଼ିକ କାହାର କୋବଲା ନୁହେଁ, ବରଂ ସରକାରୀ ଜମି କହିଲେ ଭୁଲ୍ ହେବନାହିଁ । ଆଦିବାସୀମାନଙ୍କ ପେଟପାଟଣା ପାଇଁ ସରକାର କିଛି କିଛି କାଜୁ ଜଙ୍ଗଲ ଦେଇଥିଲେ । ବର୍ଷକୁ କାଜୁ ବିକ୍ରି କରି ସେମାନେ ଚଳିଥା’ନ୍ତି । ହେଲେ ନୀରିହ ଆଦିବାସୀଙ୍କୁ ଆଉ କିଛି ଅଧିକ ଟଙ୍କାର ଲୋଭ ଦେଖାଇ ନାରାୟଣ ହଡ଼ପ କରିନେଇଥିବା ଗଡ଼ମାଣତୀର ଗ୍ରାମର କେତେକ ଆଦିବାସୀ ଓ ସାଧାରଣ ଲୋକ ଅଭିଯୋଗ କରିଛନ୍ତି । ତେବେ ନାରାୟଣଙ୍କ ନା ଶୁଣିଲେ ଡର ଲାଗୁଥିବାରୁ ସେମାନେ ନାମ ଗୋପନରଖିବା ସର୍ତ୍ତରେ ଆମ ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି । ସେପଟେ ଲେମ୍ବୁ ବେପାର ନଚାଲିବାରୁ ଆଦିବାସୀଙ୍କ ଠାରୁ ହଡ଼ପ କରିଥିବା ଜଙ୍ଗଲ ଓ ଜମି ଅନ୍ୟମାନଙ୍କୁ ବି ବିକ୍ରି କରିଦେଇଥିବା ଜାଣିବାକୁ ମିଳିଛି । ଏନେଇ ପ୍ରଶାସନିକସ୍ତରରେ ତଦନ୍ତ ହେଲେ ଅନେକ ରହସ୍ୟ ଉଦଘାଟିତ ହୋଇପାରିବ ବୋଲି ସାଧାରଣରେ ଦାବି ହେଉଛି ।
ଖାଲି ସେତିକିନୁହେଁ ରଣପୁର ତସହିଲରେ ଆଦିବାସୀ ମହିଳାମାନେ ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ହେଲେ ତାହାକୁ ଚପାଇ ଦେବାର ଭରପୂର ଉଦ୍ୟମ କରାଯାଇଥିଲା । ଜଣେ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ନିରୀହ ଆଦିବାସୀଙ୍କ ମାନସିକତା ସହ ଖେଳି ପୋଷା ଏବଂ ଭଡାଟିଆ ଗୁଣ୍ଡା ଲଗାଇ ସେମାନଙ୍କ ଜମିକୁ ନାରାୟଣ ପାତ୍ର ହଡପ କରିଛନ୍ତି । ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଧୀନସ୍ଥ ପଟିଆ ପଞ୍ଚାୟତର କୁଶପଲା ମୌଜାରେ ୩୦ରୁ ୩୨ ଆଦିବାସୀ ପରିବାର ବସବାସ କରନ୍ତି । ଏହି ଆଦିବାସୀ ପରିବାରଙ୍କର କିଛି କୋବଲା ଜମି ସାଙ୍ଗକୁ ସରକାରୀ ଗୋଚର ଜମି ରହିଛି । ହେଲେ ସେହି ଅଞ୍ଚଳରେ ନାରାୟଣ ପାତ୍ର ଏକ ଫାର୍ମ ହାଉସ୍ କରିଥିଲେ । ସରକାରୀ ଜମିକୁ ନିଜ କବଜାରେ ରଖିଥିବାବେଳେ କୁସୁପଲା ଗ୍ରାମର ନିରୀହ ଆଦିବାସୀଙ୍କୁ ଠକି ଥିବା ଅଭିଯୋଗ ଆସିଛି । ଏନେଇ ପ୍ରତିବାଦ କଲେ ସେମାନଙ୍କୁ ଗୁଣ୍ଡା ଲଗାଇ ଧମକ ଦିଆଯାଉଛି ବୋଲି ଜଣେ ଆଦିବାସୀ ମହିଳା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଉଛି, ନାରାୟଣଙ୍କ ଠାରୁ ହାତଗୁଞ୍ଜା ନେଇ ତହସିଲ ଓ ପୁଲିସ୍ ବାବୁମାନେ ବି ଚୁପ୍ ରହୁଥିବା କୁହାଯାଉଛି ।
ଆଦିବାସୀମାନଙ୍କ ଠାରୁ ମାଣେ ଜାଗା ନେଇ ପାଖରେ ଥିବା ସମସ୍ତ ଜାଗାକୁ ପ୍ରଶାସନ ଅଧିକାରୀଙ୍କୁ ଧରି ଜାଲିଆତି କରିଥିବା ଜାଣିବାକୁ ମିଳିଛି । ଏନେଇ ସ୍ୱତନ୍ତ୍ର ପ୍ରଶାସନିକ ତଦନ୍ତ ହେବାର ଆବଶ୍ୟକତା ରହିଛି । ଲୋକଙ୍କ ଅଭିଯୋଗ ଠିକ୍ ନା ନାରାୟଣ ପାତ୍ର ଠିକ୍ ସେନେଇ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ପର୍ଦ୍ଦାଫାଶ କରିବା ଦରକାର ।