କାକଟପୁରକୁ ଏନ୍ଏସି ଘୋଷଣା ଦାବି

 କାକଟପୁର:  କାକଟପୁର ମା’ମଙ୍ଗଳାଙ୍କ ପ୍ରସିଦ୍ଧ ପୀଠସ୍ଥଳୀ । ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ମା’ମଙ୍ଗଳାଙ୍କ ସଂସ୍କୃତି ଓ ପରମ୍ପରାର ନିବିଡ଼ ସମ୍ପର୍କ ରହିଛି । ପ୍ରତିଦିନ ମା’ମଙ୍ଗଳାଙ୍କ ଦର୍ଶନ ପାଇଁ ଶହଶହ ଶ୍ରଦ୍ଧାଳୁ ଭକ୍ତ ଏଠାକୁ ଆସିଥାନ୍ତି । ସହରାଞ୍ଚଳ ପାଇଁ କାକଟପୁର ଏକ ଜନଗହଳିପୂର୍ଣ୍ଣ ବଜାର । ଭୌଗୋଳିକ ଓ ଜନସଂଖ୍ୟା ଦୃଷ୍ଟିରୁ କାକଟପୁରକୁ ଏନଏସି ଘୋଷଣା କରାଯିବା ପାଇଁ ଦୀର୍ଘବର୍ଷ ହେଲା ବିଭିନ୍ନ ଅନୁଷ୍ଠାନ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ସ୍ତରରେ ଦାବି କରାଯାଇ ଆସୁଅଛି । ବିଗତ ଦିନରେ କାକଟପୁରକୁ ଏନଏସି କରିବା ପାଇଁ ପ୍ରଶାସନ ତରଫରୁ ଚିଠା ପ୍ରସ୍ତୁତ କରାଯାଇଥିଲା । ବର୍ତ୍ତମାନ ସରକାର ପ୍ରଥମ ପର୍ଯ୍ୟାୟରେ କେତୋଟି ପ୍ରମୁଖ ସ୍ଥାନକୁ ଏନ୍ଏସି ଘୋଷଣା କରାଯିବ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ସ୍ୱାଗତଯୋଗ୍ୟ ପଦକ୍ଷେପ । ତେଣୁ ସମସ୍ତ ସର୍ତ୍ତାବଳୀ ପୂରଣ କରୁଥିବା ଏବଂ କାକଟପୁର ମା’ମଙ୍ଗଳାଙ୍କ ପୀଠସ୍ଥଳୀ ହୋଇଥିବା ଦୃଷ୍ଟିରୁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ କାକଟପୁରକୁ ଏନ୍ଏସି ଘୋଷଣା କରିବା ପାଇଁ କାକଟପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଅମିୟ ପଟ୍ଟନାୟକ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଏହି ସମ୍ପର୍କରେ ଏକ ସ୍ମାରକପତ୍ର ପଠଇବା ସହ ସରକାରଙ୍କଠାରେ ଦାବି କରିଛନ୍ତି ।