କ୍ରୋମାଇଟ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଅନୁରୋଧ କଲା କଳିଙ୍ଗନଗର ଶିଳ୍ପ ସଂଘ
ଯାଜପୁର: ଖଣି ନିଗମ ଦ୍ୱାରା ୧୭ ଜାନୁଆରୀରେ ଅନୁଷ୍ଠିତ ଇ-ନିଲାମ ପ୍ରକ୍ରିୟାରେ ୪୮-୫୦ଗ୍ରେଡ଼ କ୍ରୋମାଇଟ ଉପରେ ଲାଗୁକରାଯାଉଥିବା ଅତିରିକ୍ତ ୫୦ପ୍ରତିଶତ ରୟାଲିଟିକୁ ନିୟମ ବହିର୍ଭୁତ ଦର୍ଶାଇ କେପିଏମଜି ସୂତ୍ର ଅନୁସାରେ ଇ-ନିଲାମରେ କ୍ରୋମାଇଟର ମୂଲ୍ୟ ନିର୍ଦ୍ଧାରଣ କରିବାପାଇଁ ଅନୁରୋଧ କରିଛି କଳିଙ୍ଗନଗର ଶିଳ୍ପସଂଘ । ସଂଘ ପକ୍ଷରୁ ଖଣି ନିଗମର ପରିଚାଳନା ନିଦେ୍ର୍ଦଶକଙ୍କୁ ଦିଆଯାଇଥିବା ଅନୁରୋଧ ପତ୍ରରେ କୁହାଯାଇଛି କି ଜାନୁଆରୀ ମାସରେ ହୋଇଥିବା ଇ-ନିଲାମରେ ଖଣି ନିଗମ ୪୮-୫୦ଗ୍ରେଡ଼ କ୍ରୋମାଇଟ ଉପରେ ଅତିରିକ୍ତ ୫୦ପ୍ରତିଶତ ରୟାଲିଟି ଲାଗୁ କରିଥିଲା । ଯାହାଫଳରେ ଏହି ଗ୍ରେଡ଼ର କ୍ରୋମାଇଟ ମୂଳ ମୂଲ୍ୟ ଟନ୍ ପିଛା ୧୪୦୦୦ଟଙ୍କା ପରିବର୍ତେ ୩୭୫୦ଟଙ୍କା ବୃଦ୍ଧି ପାଇଁ ଟନ୍ ପିଛା ୧୮୦୩୮ଟଙ୍କାକୁ ବୃଦ୍ଧି ପାଇଥିଲା । ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ତା୧୯ା୧୦ା୨୦୨୩ ଗାଇଡଲାଇନର ଅବମାନନା କରି ଖଣି ନିଗମ କ୍ରୋମାଇଟ ଉପରେ ଏହି ଅତିରିକ୍ତ ରୟାଲିଟି ଲାଗୁ କରିଛି ବୋଲି ଶିଳ୍ପସଂଘ ପତ୍ରରେ ଉଲ୍ଲେଖ କରିଛି । ଶିଳ୍ପସଂଘର କହିବା କଥା ହେଲା ଖଣି ଓ ଖଣିଜ ଉନ୍ନୟନ ତଥା ନିୟନ୍ତ୍ରଣ ଅଧିନିୟମ (ଏମଏମଡିଆରଆକ୍ଟ) ଅନୁସାରେ ଆଦାୟ ହେବାକୁ ଥିବା ରୟାଲିଟି ବ୍ୟବସ୍ଥାକୁ ଏପ୍ରିଲ ୨୦୨୪ ଠାରୁ ବନ୍ଦ କରିବା ପାଇଁ ଖଣି ମନ୍ତ୍ରଣାଳୟ, ଭାରତ ସରକାର ଉପରୋକ୍ତ ତାରିଖରେ ଗାଇଡଲାଇନ ଜାରି କରିଛନ୍ତି । ହେଲେ ଖଣିନିଗମ ଏହି ଗାଇଡଲାଇନକୁ ଅଣଦେଖା କରି ଅତିରିକ୍ତ ୫୦ ପ୍ରତିଶତ ରୟାଲିଟି ଲାଗୁ କରିଆସୁଛି । ଯାହା ଫଳରେ କ୍ରୋମାଇଟ ମୂଳ ମୂଲ୍ୟ ବୃଦ୍ଧି ପାଉଛି ଓ ଦୀର୍ଘ ମିଆଦୀ ସୂତ୍ରରେ କ୍ରୋମାଇଟ କ୍ରୟ କରୁଥିବା ଓ ରାଜ୍ୟ ଭିତରେ ଗଢ଼ିଉଠିଥିବା ଶିଳ୍ପସଂସ୍ଥା ଗୁଡିକ କ୍ଷତି ସହ୍ୟ କରୁଛନ୍ତି । ଶିଳ୍ପସଂଘ ପତ୍ର ମାଧ୍ୟମରେ ଖଣି ନିଗମର ପରିଚାଳନା ନିଦେ୍ର୍ଦଶକଙ୍କୁ ଆସନ୍ତା ଇ-ନିଲାମରେ ଫେରୋକ୍ରୋମର ବର୍ତମାନ ବଜାର ମୂଲ୍ୟ ଯାହାକି ଟନ୍ ପିଛା ୯୭୬୦୦ଟଙ୍କା ରହିଛି ଓ ଖଣି ମନ୍ତ୍ରଣାଳୟର ରୟାଲିଟି ଉଚ୍ଛେଦ ଗାଇଡଲାଇନକୁ ନଜରରେ ରଖି କ୍ରୋମାଇଟ ମୂଳ ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ଅନୁରୋଧ କରିଛି । ଯାହାକି କାରାଖାନାଗୁଡିକୁ ସଠିକ ମୂଲ୍ୟରେ କଞ୍ଚାମାଲ ପାଇବାରେ ସହାୟକ ହେବ ବୋଲି କୁହାଯାଇଛି । ତେବେ ଦେଖିବାର ଅଛି ଖଣି ନିଗମ ଆସନ୍ତା ଇ-ନିଲାମରେ କ୍ରୋମାଇଟର ମୂଳ ମୂଲ୍ୟ ନିର୍ଦ୍ଧାରଣରେ କି ପ୍ରକାର ସଂଶୋଧନ କରୁଛି ।