ହତ୍ୟା ଧମକ, ଯୁବକ ଗିରଫ
ପୁରୀ, ଜଣେ ମହିଳାଙ୍କ ଘରେ ପଶି ୧୦ହଜାର ଟଙ୍କା ଦାଦାବଟି ଦାବି କରିବା ଓ ଟଙ୍କା ନ ଦେଲେ ତାଙ୍କ ପୁଅକୁ ହତ୍ୟା କରିବା ପାଇଁ ଧମକ ଦେଇଥିବା ଅଭିଯୋଗରେ ବାସେଳୀ ସାହି ଥାନା ପୁଲିସ ମିଶ୍ରନୋଳିଆ ସାହିର ମୁନା ବେହେରାଙ୍କ ପୁଅ ତ୍ରିପତି ବେହେରା ଓରଫ ନଣ୍ଡା (୨୮)ନାମକ ଜଣେ ଯୁବକକୁ ଗିରଫ କରିଛି । ତା’ଠାରୁ ଗୋଟିଏ ଖଣ୍ଡା ଜବତ କରାଯାଇଛି । ପୁଲିସ ସୂଚନା ଅନୁଯାୟୀ ଗତ ୨୭ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ତ୍ରିପତି ହାତରେ ଖଣ୍ଡା ଧରି ଆରତି ବେହେରାଙ୍କ ଘରେ ପଶିଥିଲା ଓ ୧୦ହଜାର ଟଙ୍କା ଦାଦାବଟି ଦାବି କରିଥିଲା । ପୁରୁଣା ବିବାଦକୁ ଆଳ କରି ତ୍ରିପତି ଦାଦାବଟି ଦାବି କରିବା ସଂଗେସଂଗେ ଏହା ନଦେଲେ ତାଙ୍କୁ ପୁଅ ସୀମାଚଳ ବେହେରାଙ୍କୁ ହତ୍ୟା କରିବା ପାଇଁ ଆରତି ବେହେରାଙ୍କୁ ଧମକ ଦେଇଥିଲା । ତ୍ରିପତି ଆରତି ଓ ତାଙ୍କ ପରିବାରର ସଦସ୍ୟମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲା । ଆରତି ବେହେରାଙ୍କ ଅଭିଯୋଗ କ୍ରମେ ବାସେଳି ସାହି ଥାନା ପୁଲିସ ଆଇପିସିର ୪୫୨, ୨୯୪, ୩୮୬, ୩୮୭ ଓ ୫୦୬ ଏବଂ ଅସ୍ତ୍ରଶସ୍ତ୍ର ଆଇନର ୨୭ଦଫାରେ ୧୪୧/୨୦୨୪ ନମ୍ବର ମାମଲା ରୁଜୁ କରିଛି ।