କାର୍ ସହ ୨୦୦ଗ୍ରାମ୍ ବ୍ରାଉନସୁଗାର ଜବତ

ପୁରୀ :  ଅପରେସନ ଚକ୍ର ମାଧ୍ୟମରେ ପୁରୀ ସହରରେ ନିଶା ବେପାରୀଙ୍କୁ ଧରପଗଡ଼ ପକ୍ରିୟା ଅବ୍ୟାହତ ରହିଛି । ଏହିକ୍ରମରେ ସଦର ଥାନା ପକ୍ଷରୁ ନୀଳଚକ୍ର ନଗରରେ ଚଢାଉ କରାଯାଇ ଜଣେ ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀ ଓ ଅନ୍ୟ ଜଣେ ଚୋରାଚାଲାଣକାରୀ ମହିଳାଙ୍କୁ ଗିରଫ କରାଯାଇଛି । ବ୍ରାଉନସୁଗାର ବେପାରୀଙ୍କ ଠାରୁ ୨୦୦ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ୨୨ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଗିରଫ ଚୋରାଚାଲାଣକାରୀ ବ୍ୟବସାୟୀର ନାମ ମହମ୍ମଦ ସାଜଦ୍ ଓରଫ ରାଜା (୩୦) । ତା ଘର ବାଲେଶ୍ୱର ଜିଲ୍ଳା ଅନ୍ତର୍ଗତ ଜଳେଶ୍ୱରରେ ବୋଲି ଜଣାପଡ଼ିଛି । ସେହିଭଳି ଅନ୍ୟଜଣେ ଅଭିଯୁକ୍ତର ନାମ ସୁକାନ୍ତି ପଣ୍ଡା (୬୦) । ତାର ଘର ସଦରଥାନା ଅନ୍ତର୍ଗତ ନୀଳଚକ୍ର ନଗରରେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଏ ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍.ପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି ଯେ ସଦରଥାନା ଏସ୍ଆଇ ବିଜୟ ବସନ୍ତ ବିଶ୍ୱାଳଙ୍କୁ ଜଳେଶ୍ୱର ଥାନା ଅଞ୍ଚଳର ଜଣେ ଆନ୍ତଃରାଜ୍ୟ ବ୍ରାଉନସୁଗାର ଚାଲାଣକାରୀ ପୁରୀ ଆସୁଥିବା ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଏଥିନେଇ ଥାନା ଅଧିକାରୀଙ୍କୁ ଅବଗତ କରାଯିବା ସହ ମହମ୍ମଦ ସାଜଦର ଫୋନ୍କୁ ଟ୍ରାକିଂ କରାଯାଇଥିଲା । ଶନିବାର ଦିନ ମହମ୍ମଦ ସାଜଦ୍ ଏକ କାର୍ରେ ପୁରୀ ଆସି ବ୍ରାଉନସୁଗାର ବିକ୍ରୟ କରୁଥିବା ସୁକାନ୍ତି ପଣ୍ଡାଙ୍କ ଘରକୁ ଯାଇଥିଲା । ସଦର ପୋଲିସ ଅଚାନକ ଭାବେ ସୁକାନ୍ତିଙ୍କ ଘର ଚାରିପାଖ ଘେରାଉ କରିଥିଲେ । ଚଢାଉ କରାଯିବାରେ ପୋଲିସ ମହମ୍ମଦ ସାଜଦ୍ ଓ ସୁକାନ୍ତି ପଣ୍ଡାଙ୍କୁ କାବୁ କରିଥିଲା । ସେମାନଙ୍କ ଠାରୁ ୨୦୦ଗ୍ରାମ୍ ବ୍ରାଉନସୁଗାର, ଗୋଟିଏ କାର୍, ୨ଟି ମୋବାଇଲ ଫୋନ୍ ଓ ୫୨୦୦ଟଙ୍କା ନଗଦ ଅର୍ଥ ଜବତ କରାଯାଇଛି ।