କାର୍ଯ୍ୟାଦେଶ ବାଣ୍ଟିଲେ ବିଧାୟକ 

 ଆସିକା : ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ତ୍ୟୋଦୟ ଗୃହ ଯୋଜନାକୁ ଭବାନୀପାଟଣା ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି  । ଏହି ସମାରୋହ କାର୍ଯ୍ୟକ୍ରମ ଆଭାସି ମାଧ୍ୟମରେ ଆସିକା ପଂଚାୟତ ସମିତି ଦ୍ୱାରା ତହସିଲ ପଡିଆ ପରିସରରେ ପ୍ରଦର୍ଶନ କରାଯାଇଥିଲା । ବ୍ଲକସ୍ତରୀୟ କାର୍ଯ୍ୟକ୍ରମକୁ ଆସିକା ବିଧାୟକ ସରୋଜ ପାଢ଼ୀ, ବିଡ଼ିଓ ଲିପିନା ଦାସ, ଆସିକା ପଂଚାୟତ ସମିତି ଉପାଧ୍ୟକ୍ଷା ରେଶମା ଦୋରା, ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିବା ବେଳେ ଆତ୍ମାର ଅଧକ୍ଷ ବିଜୟ ସ୍ୱାଇଁ, ବରିଷ୍ଠ ବିଜେପି ନେତା ଶିବ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆସିକା ପଂଚାୟତ ସମିତିର ୨୭ ପଂଚାୟତ ୪୫୯ ଗୋଟି ଗୃହ ଅନୁମୋଦନ ହୋଇଛି  । ଆଜି ବିଧାୟକ ଉପସ୍ଥିତରେ ମାତ୍ର ୮୯ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ  । ଏହି ଯୋଜନାରେ ଭିନ୍ନକ୍ଷମ, ବିଧବା, ଦୂରାରୋଗ୍ୟ ପୀଡ଼ିତ, ସାମାଜିକ ଅନଗ୍ରସର, ପ୍ରାକୃତିକ ବିପର୍ଯ୍ୟୟ କବଳିତ ପରିବାର, ହାତୀ ଉପଦ୍ରବରେ ପିଡ଼ିତ ଓ ଘରପୋଡି ପରିବାରକୁ ଅଗ୍ରାଧିକାର ଭିତ୍ତିରେ ସାମିଲ କରାଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିଡିଓ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଟିକିନା ବିଶ୍ୱାଳ ଏଥିରେ ସଂଯୋଜନା କରିଥିଲେ ।