ଜମି ଦେବା ନାଁରେ ଠକେଇ

ବାଲିଅନ୍ତା : ଧଉଳି ଥାନା ଅଧିନ ଏକ ଅଞ୍ଚଳରେ ଗତ ୨୦୨୨ ମସିହାରେ ଜମି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ବିଚାରପତି ଇତିଶ୍ରୀ ମହାପାତ୍ର ଜଣେ ପୂଜକଙ୍କୁ ଅଢେଇବର୍ଷ କାରାଦଣ୍ଡ ସଜା ଶୁଣାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ରଶ୍ମୀ ରଞ୍ଜନ ସ୍ୱାଇଁ ପରିବାର ସହ ଧଉଳି ଥାନା ଅଞ୍ଚଳରେ ରୁହନ୍ତି  । ଗତ ୨୦୨୧ ମସିହାରେ ପୂଜକ କଳିଙ୍ଗ କୁମାର ପଣ୍ଡା ତାଙ୍କୁ ସାକ୍ଷାତ କରି ନିଜର ଆର୍ଥିକ ସମସ୍ୟା ଥିବା ଦର୍ଶାଇ ପଳାଶପୁର ଶାସନରେ ପନôୀଙ୍କ ନାମରେ ଥିବା ଦୁଇଟି ଜମି କିଣିବା ଲାଗି ରଶ୍ମିରଞ୍ଜନଙ୍କୁ ପ୍ରବର୍ତ୍ତାଇଥିଲେ । ଶ୍ରୀ ପଣ୍ଡା ଉକ୍ତ ଜମି ସଙ୍କ୍ରାନ୍ତୀୟ କାଗଜ ପତ୍ର ଆଣି ଦେଖାଇବା ପରେ ଜମି ଦୁଇଟିକୁ କିଣିବା ଲାଗି ରଶ୍ମିରଞ୍ଜନ ସମ୍ମତି ଜଣାଇଥିଲେ  । ଉଭୟଙ୍କ ମଧ୍ୟରେ ଆଲୋଚନାରେ ଜମି ଦୁଇଟିର ମୂଲ୍ୟ ମୋଟ ୧୨ ଲକ୍ଷ ଟଙ୍କା ସ୍ଥିରୀକୃତ ହୋଇଥିଲା । ଏନେଇ ରଶ୍ମି ରଞ୍ଜନ ଅଗ୍ରୀମ ୧୦ ଲକ୍ଷ ଟଙ୍କା ଦବାସହ ଉଭୟ ପକ୍ଷ ମଧ୍ୟରେ ଏକ ଚୁକ୍ତି ହୋଇଥିଲା । ଚୁକ୍ତି ଅନୁଯାଇ ଆସନ୍ତା ଛଅମାସ ମଧ୍ୟରେ ବକେୟା ୨ ଲକ୍ଷ ଟଙ୍କା ଦେଲେ ତାଙ୍କ ନାମରେ ଜମି ପଞ୍ଜୀକରଣ କରିବେ । ଚୁକ୍ତି ଅନୁଯାଇ ଛଅମାସ ବିତି ଯାଇଥିଲେ ମଧ୍ୟ ଶ୍ରୀ ପଣ୍ଡା ଏବଂ ତାଙ୍କ ପନôୀ ରଶ୍ମିରଞ୍ଜନଙ୍କ ନିକଟରୁ ବକେୟା ୨ ଲକ୍ଷ ଟଙ୍କା ଗ୍ରହଣ କରି ନଥିଲେ କି ତାଙ୍କ ନାମରେ ଜମି ମଧ୍ୟ ପଞ୍ଜୀକରଣ କଲେନି । ବାଧ୍ୟ ହୋଇ ରଶ୍ମି ରଞ୍ଜନ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ୧ ଲକ୍ଷ ଟଙ୍କା ଉଭୟଙ୍କୁ ଦେବା ସହ ଜମି ପଞ୍ଜୀକରଣ ଲାଗି ଅନୁରୋଧ କରିଥିଲେ  । ଶ୍ରୀ ପଣ୍ଡା ତାଙ୍କ ନିକଟରୁ ଉକ୍ତ ୧ ଲକ୍ଷ ଟଙ୍କା ନେଇ ଯାଇଥିବା ବେଳେ, ଜମି ପଞ୍ଜୀକରଣ ଲାଗି ଏକମାସ ସମୟ ମାଗିଥିଲେ  । କିନ୍ତୁ ଏକ ମାସ ଅତିକ୍ରମ କରିଯାଇଥିଲେ ମଧ୍ୟ ଶ୍ରୀ ପଣ୍ଡା ତାଙ୍କୁ ଆଉ ଧରାଛୁଆଁ ଦେଇନ ନଥିଲେ । ଏପରିକି ତାଙ୍କୁ ମିଥ୍ୟା କେଶ୍ରେ ଫସାଇ ଦେବାପାଇଁ ଧମକ ଦେଇଥିଲେ । ଅନ୍ୟ କିଛି ଉପାୟ ନପାଇ ରଶ୍ମିରଞ୍ଜନ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାକୁ ଭିତ୍ତିକରି ଅଭିଯୋଗକାରୀ ରଶ୍ମିରଞ୍ଜନଙ୍କ ଏତାଲା ଆଧାରରେ ଧଉଳି ଥାନାରେ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲାର ବିଚାର କରି କୋର୍ଟ ୭ ଜଣ ସାକ୍ଷୀ ଓ ଉପଯୁକ୍ତ ଦସ୍ତାବିଜକୁ ଆଧାର କରି କଳିଙ୍ଗ କୁମାର ପଣ୍ଡାକୁ ଦଫା-୪୨୦/୩୪ ଆଧାରରେ ୨ ବର୍ଷ ୫ ମାସ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି  । ଜୋରିମନା ଅନାଦେୟ କ୍ଷେତ୍ରରେ ୩ ମାସର ଅଧିକ କାରାଦଣ୍ଡ ଲାଗି ମଧ୍ୟ ଆଦେଶ ଦେଇଛନ୍ତି  ।