କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପାଇଁ ଦାବିପତ୍ର
ଦେବଗଡ଼ : ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତରେ ଗତ ୨୨ ତାରିଖ ସନ୍ଧ୍ୟାରେ କାଳବୈଶାଖି ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଅଞ୍ଚÿଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରାଯାଇଥିଲେ ମଧ୍ୟ ଆଜି ଯାଏଁ କୌଣସି କ୍ଷତିପୂରଣ ଦିଆଯାଇନାହିଁ । ଫଳରେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଦାବି କରିଛନ୍ତି । ଭୁବନେଶ୍ୱରରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରି କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ବିଧାୟକ ଦାବିପତ୍ର ପ୍ରଦାନ କରିଛନ୍ତି । କୁଆପଥର ମାଡରେ ଘରର ଆଜବେଷ୍ଟ ଏବଂ ଟାଇଲ ଛାତ ଫାଟି ଯାଇ ଘର ଭିତରେ କୁଆପଥର ଏବଂ ବର୍ଷା ପାଣି ପଶିଥିଲା । ଫଳରେ ଲୋକଙ୍କର ଧାନ, ଚାଉଳ ଓ ଆସବାବପତ୍ର ନଷ୍ଟ ହୋଇଥିବା ବେଳେ କ୍ଷୟକ୍ଷତିର ସମ୍ମୁଖିନ ହୋଇଥିଲେ । ଗୁଣ୍ଡିଆପାଲି ପଂଚାୟତର ବିଭିନ୍ନ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଆଖପାଖ ଅଞ୍ଚଳର ଲୋକ ମଧ୍ୟ କ୍ଷୟକ୍ଷତିର ସମ୍ମୁଖିନ ହୋଇଛନ୍ତି । କୁଆପଥର ମାଡରେ ଉକ୍ତ ଅଞ୍ଚଳରେ ଏକଡ ଏକଡ ଜମିରେ ହୋଇଥିବା ତରଭୁଜ ଚାଷ ନଷ୍ଟ ହୋଇଯାଇଛି । କୁଆପଥର ମାଡରେ ତରଭୁଜ ସବୁ ଫାଟି ଯାଇଥିବା ବେଳେ ଚାଷୀ ହଜାର ହଜାର ଟଙ୍କାର କ୍ଷତି ସହିଛି । ରାଜସ୍ୱ ବିଭାଗ ତୁରନ୍ତ ଏହି ସବୁର ତଦନ୍ତ କରି କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ବିଧାୟକ ଦାବି କରିଛନ୍ତି ।