ସ୍ୱଚ୍ଛ ସର୍ବେକ୍ଷଣରେ ଭଲ ମତାମତ ପାଇଁ ଚାଲିଛି ନିବେଦନ : ସହରରେ କୁଢ଼ କୁଢ଼ ଅଳିଆ ଆବର୍ଜନା
ଜଟଣୀ : ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗୀତା ପାଖେଇ ଆସିଲେ ତତ୍ପରତା ଦେଖାଇ ସାର୍ଟିଫିକେଟ ହାସଲ କରିବାକୁ ରାଜ୍ୟର ସମସ୍ତ ନଗରପାଳିକା ଓ ମହାନଗର ଗୁଡିକ ମଧ୍ୟରେ ବେଶ କସରତ ଆରମ୍ଭ ହୋଇଯାଏ । ଏହି ମର୍ମରେ ଜଟଣୀ ନଗରପାଳିକା ପକ୍ଷରୁ ସହରକୁ ଲୋକ ଦେଖାଣିଆ ଭାବେ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ହାତକୁ ନିଆଯାଇ ବିଶେଷକରି ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତାରେ ସଫଳତା ହାସଲ କରିବା ପାଇଁ ବହୁ ଅର୍ଥ ବାଟମାରଣା କରାଯାଇ ଉଦ୍ୟମ ମାନ କରାଯାଉଥିବା ବେଳେ, ତାହା କେତେଦୂର କାର୍ଯ୍ୟକାରୀ ହେଉଛି ତାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ସବୁ ଘରୁ ଅଳିଆ ସଂଗ୍ରହ କରିବାରେ ଜେଏମ୍ସି ବିଫଳ ହୋଇଛି । ଯାହାକୁ ନେଇ ସବୁଠି ସମସ୍ୟା ଉପୁଜିଛି । ଯାହାର ସମାଧାନ ବାଟ ବାହାର କରିବାରେ ପୌର କର୍ତ୍ତୁପକ୍ଷ କେବଳ ମୌଖିକ ଆଲୋଚନାରେ ବ୍ୟସ୍ତ ରହୁଥିବା ବହୁ ଦିଗରୁ ଅଭିଯୋଗ ହେଉଛି । ଯାହାକୁ ନେଇ ଖିଲାପୀ ବାସିନ୍ଦାମାନେ ମନମୁଖୀ ହୋଇଯାଇଛନ୍ତି । ପ୍ରତ୍ୟେକ ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ ସହ ପୃଥକ ବର୍ଜ୍ୟ ସଂଗ୍ରହକୁ ମୁ୍ୟନିସିପାଲଟି ପ୍ରାଥମିକତା ଦେଉଥିଲେ ହେଁ ଏବେ ସୁଦ୍ଧା ସବୁ ଘରେ ସଫା ଆପ୍ର କୁ୍ୟଆର କୋର୍ଡÿ ଲାଗିପାରିନାହିଁ କି ଲୋକଙ୍କୁ ସଫା ଆପର କାର୍ଯ୍ୟକାରିତା ସମ୍ପର୍କରେ ସଚେତନତା କରାଯାଇନାହିଁ । ଡଷ୍ଟବିନ୍ ବ୍ୟବସ୍ଥା ଉଠିଯିବା ଫଳରେ ରାସ୍ତାକଡରେ କୁଢ କୁଢ ଅଳିଆ ଜମି ରହୁଥିବା ନଜରକୁ ଆସୁଛି । ଏପରି ସ୍ଥିତିରେ ଜେଏମ୍ସି ଚଳିତ ଥର ସ୍ୱଚ୍ଛ ସର୍ବେକ୍ଷଣରେ ପରିମଳ କାର୍ଯ୍ୟକୁ ନେଇ ଭଲ ମନ୍ତବ୍ୟ ଦେବା ଲାଗି ଜନସାଧାରଣଙ୍କୁ ଫୁସୁଲେଇ ଅନଲାଇନ ମାଧ୍ୟମରେ ଭୋଟିଂ କରିବା ପାଇଁ ଉଦ୍ୟମ ଜାରି ରଖିଥିବାକୁ ସାଧାରଣରେ ନାପସନ୍ଦ କରାଯାଇଛି । ପରିମଳ ବ୍ୟବସ୍ଥାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଓ ଅଭିଯୋଗ ପ୍ରକାଶ ପାଉଥିବାବେଳେ, ମୁ୍ୟନିସିପାଲଟିର ଏହି ଅପିଲ୍କୁ ସ୍ୱଚ୍ଛ ସର୍ବେକ୍ଷଣରେ କେତେ ଉପରକୁ ନେବ ସେନେଇ ପ୍ରଶ୍ନବାଚୀସୃଷ୍ଟି ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣର ସଂସ୍କରଣ ଘୋଷଣା ହେବା ପରେ ସହରର ସ୍ୱଚ୍ଛତା ନେଇ ମୁ୍ୟନିସିପାଲଟି ଜନସାଧାରଣଙ୍କ ଫିଡ୍ବ୍ୟାକ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଜେଏମସି ପକ୍ଷରୁ ଏ ନେଇ ଟ୍ୱିଟ୍ କରି ଜନସାଧାରଣଙ୍କୁ ସେମାନଙ୍କ ମତ ଜଣାଇବାକୁ କୁହାଯାଇଛି । ଅନ୍ୟପକ୍ଷେ ସର୍ବେକ୍ଷଣ ଆସିଲେ ନାଗରିକଙ୍କ ସହଭାଗିତା ମନେପଡି ପ୍ରମୁଖ ରାସ୍ତା ଚିକ୍କଣ କରି ବାଃ ବାଃ ନେବାକୁ ପ୍ରୟାସ କରାଯାଉଥିବା ସମାଜିକ କର୍ମୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ସହରର ରାସ୍ତାଘାଟର ଅବସ୍ଥା ଦେଖିଲେ ଏହାକୁ ଏକ ସ୍ୱଚ୍ଛ ସହର ଭାବେ ବିବେଚନା କରିବା କଷ୍ଟକର । ସହରରେ ୨୫୦ରୁ ଊର୍ଦ୍ଧ୍ୱ ସଫେଇକର୍ମୀ ନିୟୋଜିତ ହୋଇଥ୍ବା ବେଳେ, ଗୋଟିଏ ସଫେଇ ସଂସ୍ଥାକୁ କାହା ସ୍ୱାର୍ଥରେ ଟେଣ୍ଡର ଅବଧି ସରିବା ପରେ ମଧ୍ୟ ପୁନଃ ଟେଣ୍ଡର ଆହ୍ୱାନ ନକରି କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇଛି । ସେହିପରି ସାନ୍ଧ୍ୟ କାଳୀନ ସଫେଇ ବନ୍ଦ ହୋଇଯାଇଥିବା ବେଳେ ମେସିନ ଦ୍ୱାରା ମୁଖ୍ୟ ରାସ୍ତା ସଫେଇ ଏକ ଭେଳିକି ହୋଇଥିବା ବେଳେ, ସଫେଇ ଆଦି ବିଭିନ୍ନ କାର୍ଯ୍ୟରେ ବର୍ଷକୁ ପ୍ରାୟ କୋଟିଏ ଟଙ୍କା ପାଖାପାଖି ଖର୍ଚ୍ଚ ହେଉଛି । ୨୦୨୦-୨୧ ମସିହାରେ ଜଟଣୀ ମୁ୍ୟନିସିପାଲିଟି ସର୍ବଭାରତୀୟ ସ୍ତରରେ ଷଷ୍ଠ ସ୍ଥାନରେ ରହିଥିବା ବେଳେ, ରାଜ୍ୟରେ ପ୍ରଥମ ସ୍ଥାନରେ ରହିଥିଲା । ସେହିପରି ୨୦୨୨ ମସିହାରେ ରାଜ୍ୟ ସ୍ତରରେ ଦୁଇ ନମ୍ବର ସ୍ଥାନରେ ରହିଥିଲା । ତେବେ ମତାମତ ବର୍ଗରେ ଜେଏମ୍ସି ପଛରେ ପଡ଼ିବା ଆଶଙ୍କା ଦେଖାଗଲାଣି । ସର୍ଭେରେ ସହରରେ ପରିମଳ ଅବସ୍ଥା, ନାଳ ଓ ଡ୍ରେନ୍ ସଫେଇ, ସୁଲଭ ଶୌଚାଳୟ, ଘରୁ ବର୍ଜ୍ୟ ସଂଗ୍ରହ ଆଦି କାର୍ଯ୍ୟକୁ ନେଇ ପ୍ରଶ୍ନ କରାଯାଇଛି । ତେବେ ଚିହ୍ନା ପରିଚୟ ଲୋକଙ୍କୁ ସେମାନଙ୍କ ମୋବାଇଲ ଫୋନ ମାଗି ନିଜେ ନିଜେ ଓଟିପି ଦେଇ ପ୍ରଶ୍ନର ଉତ୍ତର ଭରି ଦେଉଥିବା ଅଭିଯୋଗ ହେଉଛି ।