ମାତ୍ ଦେଇ ପାରିନାହାନ୍ତି ମାୟାଧର କି ଶରତ

ମାତ୍ ଦେଇ ପାରିନାହାନ୍ତି ମାୟାଧର କି ଶରତ

ଯଖପୁରା : ରାଜ୍ୟ ରାଜନୀତିରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ସ୍ଥିତି ଟିକେ ଭିନ୍ନ ପ୍ରକାର ହେଇଥାଏ । ସୁକିନ୍ଦା ନିର୍ବାଚନ ମଣ୍ଡଳୀର ରାଜନୀତି ରୋଚକ ହୋଇଥିବାର ନଜିର ଆସେ । ଖଣି ଖାଦାନରେ ପରିପୂର୍ଣ୍ଣ ଏହି ନିର୍ବାଚନ ମଣ୍ଡଳୀ । ଅତୀତରେ ଦେଖା ଯାଇଛି କି ଖଣି ଖାଦାନକୁ ନେଇ ବିଭିନ୍ନ ଦଳ ତାଙ୍କର ରଣନୀତି କରିଥାନ୍ତି । 
ଖଣି ଅଞ୍ଚଳ ଭୋଟରକୁ ଆକୃଷ୍ଟ କରିବା ପାଇଁ ସମସ୍ତ ଦଳ ଲଗିପଡ଼ିଥାନ୍ତି । ଖଣି ଅଞ୍ଚଳର ଶ୍ରମଜୀବୀଙ୍କୁ ନିଜ ସପକ୍ଷରେ ନେବାକୁ ସହଜ ମନେ କରି ସମସ୍ତ ଦଳ ନିଜ ନିଜର ସଂଗଠନ ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ଯଦି ଅତୀତର ସମସ୍ତ ନିର୍ବାଚନକୁ ହିସାବକୁ ନିଆଯାଏ ତେବେ ଜନତା ଦଳ ଠାରୁ ଆରମ୍ଭ କରି ବିଜୁ ଜନତା ଦଳ ପର୍ଯ୍ୟନ୍ତ ଖଣି ଅଞ୍ଚଳରେ ନିଜର ବାନା ଉଡ଼ାଇ ଆସିଛି । ଖଣି ଅଞ୍ଚଳରେ ସାଧାରଣ ଆଦିବାସୀ ଖଟିଖିଆ ଲୋକଙ୍କ ସଂଖ୍ୟା ଅଧିକ । ତେଣୁ ସେମାନଙ୍କୁ ନିଜ ସପକ୍ଷରେ ସହଜରେ ନିଆଯାଇ ପାରିବ ଭାବି ସମସ୍ତ ଦଳ ନିଜ ନିଜର ବଳ ଲଗାଇଥାନ୍ତି । ସେହି ଦୃଷ୍ଟିରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଖଣି ଅଞ୍ଚଳ ଉପରେ ସମସ୍ତ ରାଜନୈତିକ ଦଳ ମାନଙ୍କର ଆଖି ରହିଥାଏ । ଖଣି ଅଞ୍ଚଳର ଭୋଟ ମଧ୍ୟ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପାଇଁ ଅନେକ ଗୁରୁତ୍ୱ ରଖିଥାଏ । ସୁକିନ୍ଦା ଖଣି ଅଞ୍ଚଳଟି ୩୭ ନମ୍ବର ଜୋନ ଅନ୍ତର୍ଭୁକ୍ତ । ୩୭ ଜୋନଟି ସବୁବେଳେ ଅଣ କଂଗ୍ରେସ ଗଡ ଭାବେ ପରିଚିତ । ସେହି ଅଞ୍ଚଳରୁ ସର୍ବାଧିକ ଭୋଟ ବିଜୁ ଜନତା ଦଳକୁ ସବୁବେଳେ ମିଳିଥାଏ । ଯାହା ଫଳରେ ନିର୍ବାଚନ ଜିତିବାରେ ହେଉ କି ଜିତିବାର ବ୍ୟବଧାନ ସଂଖ୍ୟା ବଢାଇବାରେ ସହାୟକ ହୋଇଥାଏ । ଅତୀତରେ ଦେଖାଯାଇଛି ଖଣି ଅଞ୍ଚଳରେ ଅନେକ ନେତା ନିଜର ଦବଦବା ରଖିବା ପାଇଁ ସଂଗଠନ କରିଥାନ୍ତି । କିନ୍ତୁ ସର୍ବାଗ୍ରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ଦବଦବା ଏହି ଅଞ୍ଚଳରେ ରହିଥିବାର ନଜିର ଆସେ । 
ଶ୍ରମିକ ସଂଗଠନରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ପ୍ରଫୁଲ୍ଲ ଘଡାଇ ସେଠାରେ ଗୋଟି ଚଳାଇବାରେ ସକ୍ଷମ ହୋଇଛନ୍ତି । ନବେ ଦଶକରୁ ଯଦି ଆମେ ଦେଖିବା ତେବେ ଖଣି ଅଞ୍ଚଳରେ ନିଜର ସ୍ଥିତି ଜାହିର କରିବା ପାଇଁ ସେତେ ବେଳର ଶ୍ରମିକ ନେତା  ମାୟାଧର ନାୟକ ଠାରୁ ଆରମ୍ଭ କରି କଂଗ୍ରେସ ନେତା ଶରତ ରାଉତ ଅନେକ ଚେଷ୍ଟା କରିଛନ୍ତି । କିନ୍ତୁ ପ୍ରଫୁଲ୍ଲ ଘଡାଇଙ୍କୁ ମାତ ଦେବାରେ ବିଫଳ ହୋଇଛନ୍ତି । ସେ ସମୟରେ ଖଣି ଅଞ୍ଚଳରେ ପ୍ରଫୁଲ୍ଲ ଘଡାଇଙ୍କ ମଙ୍ଗ ଧରିଥିଲେ ଏବେକାର ବିଜେପି ପ୍ରାର୍ଥୀ ହୋଇଥିବା ଟୁଟୁ ବଳ ଓ ସ୍ୱର୍ଗତ ସମ୍ରାଟ ଗୁପ୍ତା । ଯାହାଙ୍କୁ ଟକ୍କର ଦେବା ଏତେ ସହଜନଥିଲା । ତେଣୁ ଶରତ ଖଣି ଅଞ୍ଚଳରେ ପ୍ରବେଶ କରି ସଂଗଠନ କରିବା କାଠିକର ପାଠ ଥିଲା । ଯଦିଓ କିଛି ସମୟ ପାଇଁ ସୁକିନ୍ଦାର ଅମେଳେନ୍ଦୁ ବେହେରାଙ୍କୁ ଧରି ଖଣି ଅଞ୍ଚଳରେ ପ୍ରବେଶ କରିବାରେ କିଛିଟା ସମର୍ଥ ହୋଇଥିଲେ; କିନ୍ତୁ ଯାହା ତାଙ୍କ ପାଇଁ ଯଥେଷ୍ଟ ନଥିଲା । ପ୍ରଫୁଲ୍ଲଙ୍କ ଗୋଟି ଚାଳନାରେ ସେ ଖଣି ଅଞ୍ଚଳରେ ଫେଲ ମାରିଥିଲେ । ଯେଉଁଥିରେ ସେତେବେଳର ମନ୍ତ୍ରୀ ଥିବା ପ୍ରଫୁଲ୍ଲ ସମସ୍ତଙ୍କୁ ମାତ ଦେଇ ଖଣି ଅଞ୍ଚଳରେ ନିଜର ସ୍ଥିତି ଜାହିର କରିଥିଲେ । ଶ୍ରମିକ ମାନଙ୍କୁ ନେଇ ନିଜର ସଂଗଠନ କରିଥିଲେ । ଫଳରେ ଆଜି ପର୍ଯ୍ୟନ୍ତ ଖଣି ଅଞ୍ଚଳରେ ତାଙ୍କର ଦବଦବା ରହିଆସିଛି । ଯାହା ଫଳରେ ସୁକିନ୍ଦା ବ୍ଲକ୍ରୁ ନିର୍ବାଚନ ସମୟରେ ଖଣି ଅଞ୍ଚଳରୁ ସର୍ବାଧିକ ଭୋଟ ପ୍ରଫୁଲ୍ଲଙ୍କୁ ମିଳିଆସୁଛି । ପ୍ରଫୁଲ୍ଲଙ୍କ ସଂଗଠନ ତାଙ୍କ ପୁତ୍ର ପ୍ରୀତିରଂଜନଙ୍କ ସପକ୍ଷରେ ରହିଛି । କୁହିକା, ପିମ୍ପୁଡ଼ିଆ, କଙ୍କଡାପାଳ, ରାଂଶୋଳ, କାଳିଆପାଣି, ଚିଙ୍ଗୁଡ଼ିପାଳ, କଂସ ପଞ୍ଚାୟତକୁ ନେଇ ୩୭ ନମ୍ବର ଜୋନ । ଏହିସବୁ ପଞ୍ଚାୟତରେ ବିଜେଡିର ପ୍ରଭାବ ରହିଥିବାର ନଜିର ଆସେ । ଖଣି ଅଞ୍ଚଳର ଏହିସବୁ ପଞ୍ଚାୟତରୁ ଅଧିକାଂଶ ଭୋଟ ଶାସକ ଦଳ ସପକ୍ଷରେ ରହିଥାଏ । କାରଣ ଏହି ସବୁ ଅଞ୍ଚଳକୁ ପୂର୍ବରୁ ପ୍ରଫୁଲ୍ଲ ନିଜର ପକେଟ୍ ଭୋଟ କରି ରଖିଛନ୍ତି । ଯାହାକୁ ଆଜି ପର୍ଯ୍ୟନ୍ତ ଭାଙ୍ଗିବାରେ କୌଣସି ଦଳ ସକ୍ଷମ ହୋଇନାହାନ୍ତି । ୨୦୧୯ ମସିହା ସାଧାରଣ ନିର୍ବାଚନକୁ ଯଦି ହିସାବକୁ ନିଆଯାଏ ତେବେ ବିଜେଡି ଖଣି ଅଞ୍ଚଳରୁ ସର୍ବାଧିକ ଭୋଟ ହାତେଇ ଥିଲା । 
ଖଣି ଅଞ୍ଚଳର ଭୋଟର ସଂଖ୍ୟା ୩୫ ହଜାରରୁ ଅଧିକ । ଗତନିର୍ବାଚନରେ ବିଜେପି ଖଣି ଅଞ୍ଚଳରୁ ୭୮୫୦ ଖଣ୍ଡ ଭୋଟ ପାଇଥିବା ସମୟରେ ବିଜେଡିକୁ ମିଳିଥିଲା ୧୫୧୦୫ ଖଣ୍ଡ ଭୋଟ । ସେହିପରି କଂଗ୍ରେସକୁ ମିଳିଥିଲା ୧୦୭୨ଖଣ୍ଡ ଭୋଟ । ଫଳରେ ଖଣି ଅଞ୍ଚଳ ବିଜେଡିକୁ ସର୍ବାଧିକ ଭୋଟ ଦେଇଥଲା । ବିଜେଡି ଏଠାରୁ ବିଜେପି ଠାରୁ ୭୨୫୫ ଖଣ୍ଡ ଭୋଟ ଅଧିକ ପାଇଥିଲା । ଯାହା ଅନେକାଂଶରେ ବିଜେଡିକୁ ଜିତାଇବାରେ ସହାୟକ ହୋଇଥିଲା । ବିଜେପି ନେତା ଟୁଟୁ ବଳ ଘର ସୁକିନ୍ଦା ହୋଇଥିବା ସତ୍ୱେ ଓ ପୂର୍ବରୁ ଏହି ସବୁ ଅଞ୍ଚଳ ତାଙ୍କର ପରିଚିତ ଅଞ୍ଚଳ ହୋଇଥିବା ସତ୍ୱେ ତାଙ୍କୁ ସେଠାରୁ କମ ଭୋଟ ମିଳିଥିଲା । ମାତ୍ର ଏବେକାର ପରିସ୍ଥିତି ଟିକେ ଭିନ୍ନ । ଯଦିଓ ଖଣି ଅଞ୍ଚଳ ବିଜେଡି ପାଇଁ ସାହା ଭରସା ସାଜିଛି ତଥାପି ଏଠାରୁ ପୂର୍ବ ଅପେକ୍ଷା ଅଧିକ ଭୋଟ ବିଜେପି ହାତେଇବ ବୋଲି ଦାବି କରନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ । ଯେହେତୁ ଖଣି ଅଞ୍ଚଳରେ ଉଭୟ ଘଡ଼ାଇଙ୍କ ଦବଦବା ରହିଛି ତାହା ଏତେ ସହଜ ହେବନାହିଁ ବୋଲି ରାଜନୀତି ସମୀକ୍ଷକ କୁହନ୍ତି । ଯଦିଓ କିଛି ଦିନ ହେବ ଖଣି ଅଞ୍ଚଳରେ ଶ୍ରମିକ ସଂଗଠନକୁ ନେଇ ଅନେକ ସମସ୍ୟା ଦେଖାଦେଇଛି ତାହାର ସୁଯୋଗ ନେବା ଅପେକ୍ଷାରେ ରହିଛି ବିଜେପି । ଖଣି ଅଞ୍ଚଳରେ ଅନେକ ପରିବାରରେ ଗାଡ଼ି ଘୋଡ଼ା ସବୁ ରହିଛି । ତେଣୁ ଗାଡ଼ି ଲୋଡ଼ିଂକୁ ନେଇ ସେ ଅଞ୍ଚଳରେ କିଛି ସମସ୍ୟା ରହିଛି । ଯାହାକୁ ନେଇ କିଛିଟା ଶ୍ରମିକ ଅଶାନ୍ତି ରହିଛି । ପୁଣି ଗାଡ଼ି ଖଲାସୀକୁ ନେଇ ମଧ୍ୟ ବିବାଦ ରହିଛି । ଏସବୁ ଗୋଳିଆ ପାଣିରୁ ଫାଇଦା ନେବା ପାଇଁ ବିଜେପି ଅଣ୍ଟା ଭିଡିଛି । ଆଗାମୀ ଦିନରେ ଅସନ୍ତୁଷ୍ଟଙ୍କୁ ନେଇ ବିଜେପି କେତେ ଭୋଟ ଗୋଟାଇବାରେ ସକ୍ଷମ ହେଉଛି ତାହା ସମୟ କହିବ । କିନ୍ତୁ ଖଣି ଅଞ୍ଚଳରେ ବିକାଶ ଓ ନିଜର ପତିଆରା ଜାହିର କରି ବିଜେଡି ନିଜ ସପକ୍ଷରେ ଭୋଟ ଆଣିବା ପାଇଁ କସରତ କରୁଛି । ବିଗତ ଦିନରେ ମିଳିଥିବା ସଫଳତାକୁ ଦୋହୋରେଇବା ପାଇଁ ବିଜେଡି ଚେଷ୍ଟାରେ ଅଛି । ବିଜେଡିକୁ ସର୍ବାଧିକ ଭୋଟ ଭୋଟ ଦେଉଥିବା ଖଣି ଅଞ୍ଚଳର ଭୋଟ ହାତେଇବା ଅନ୍ୟ ଦଳ ପାଇଁ ସହଜ ହେବ କି ନାହିଁ ତାହା ସମୟ ହିଁ କହିବ ।