‘ସାମାଜିକ ସୁରକ୍ଷା ଓ ଦକ୍ଷତା ବିକାଶରେ ଓଡିଶା ସର୍ବାଗ୍ରେ ରହିଛି’
କେନ୍ଦ୍ରାପଡ଼ା : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ବର୍ଷ ମଧ୍ୟରେ ଏକକାଳୀନ ଦୈନିକ ମଜୁରୀ ଏକଶହ ଟଙ୍କା ବୃଦ୍ଧି କରି ଇତିହାସ ରଚିଛନ୍ତି ବୋଲି କେନ୍ଦ୍ରାପଡା ସହର ଉପକଣ୍ଠରେ ଥିବା ଏକ ହୋଟେଲରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ତଥା କଟକ ମେୟର ସୁବାସ ସିଂ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓଡିଶାରେ ଦୈନିକ ମଜୁରୀ ୩୩୬ ଟଙ୍କାରୁ ୪୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ଦ୍ୱାରା ସରକାରୀ, ଅର୍ଦ୍ଧସରକାରୀ, ଶିଳ୍ପ ସଂସ୍ଥା, ଘରୋଇ କାର୍ଯ୍ୟ ଏବଂ ସବୁସ୍ତରରେ ପ୍ରାୟ ୧କୋଟି ଶ୍ରମିକ ଏହି ମଜୁରୀ ବୃଦ୍ଧିରେ ଉପକୃତ ହୋଇପାରିବେ । ବିଶେଷ କରି ମୁ୍ୟନିସିପାଲଟିରେ କାର୍ଯ୍ୟରତ ଶ୍ରମିକ, ବିଦୁ୍ୟତ୍ ବିଭାଗରେ କାର୍ଯ୍ୟରତ ଶ୍ରମିକ, ପରିବହନ ବିଭାଗରେ କାର୍ଯ୍ୟରତ ଶ୍ରମିକ, ବିଭିନ୍ନ କମ୍ପାନୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଶ୍ରମିକ ଏହାଦ୍ୱାରା ଉପକୃତ ହେବେ ବୋଲି ଶ୍ରୀ ସିଂ କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଓଡିଶା ରାଜ୍ୟ ତମାମ ରୂପାନ୍ତିକରଣ, ଶିଳ୍ପ ବିକାଶ ଧାରାରେ ଶ୍ରମିକମାନଙ୍କର ଭୂମିକା ସବୁଠାରୁ ପ୍ରଶଂସନୀୟ । ସେମାନଙ୍କ ମଜୁରୀ ଓ ସାମାଜିକ ସୁରକ୍ଷା ଯୋଗାଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ଶ୍ରୀ ସିଂ ପ୍ରକାଶ କରିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମା’ମାନଙ୍କ ପାଇଁ ୧୦ ଲକ୍ଷ ଏବଂ ସଂପୂର୍ଣ୍ଣ ପରିବାର ପାଇଁ ୫ ଲକ୍ଷ ଟଙ୍କା, ଶ୍ରମିକ ଶ୍ରେଣୀର ଲୋକଙ୍କପାଇଁ ଏକ ବଡ ସୁରକ୍ଷା ପ୍ରଦାନ କରିପାରିଛି । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସମଗ୍ର ରାଜ୍ୟରେ ଆଜି ସୁଦ୍ଧା ୪୨ ଲକ୍ଷ ୪୮ହଜାର ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ଏହାଛଡା ଅଟୋ ଚାଳକ, ଫଟୋଗ୍ରାଫର, ଘରୋଇ କାର୍ଯ୍ୟରତ ଶ୍ରମିକ, ଅଣସଂଗଠିତ ଶ୍ରମିକ ବୋର୍ଡରେ ସାମିଲ ହୋଇ ସବୁ ପ୍ରକାର ସହାୟତା ପାଇବାକୁ ହକଦାର ହୋଇପାରିବେ ବୋଲି ବିଜୁ ଶ୍ରମିକ ସାମୁଖ୍ୟ ଜିଲ୍ଲା ସଂଯୋଜକ ଆଇନଜୀବୀ ନଳିନୀ ତ୍ରିପାଠୀ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ଉପଦେଷ୍ଟା ରାଜୀବ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।