କାହିଁକି ବଢୁଛି ହୃଦ୍ ରୋଗ?


କିଛିବର୍ଷ ପୂର୍ବେ କେନ୍ଦ୍ର ସରକାର ଅଣ-ସଂକ୍ରାମକ ରୋଗଗୁଡ଼ିକ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇ ଏଭଳି ରୋଗରେ ପଡ଼ିଲେ କିଭଳି ଭାବରେ ଚିକିତ୍ସା କରାଯିବ ଏବଂ ଜୀବନ ବଞ୍ଚାଇ ହେବ ତାକୁ ନେଇ ଜନଚେତନା କାର୍ଯ୍ୟକ୍ରମ ରାଜ୍ୟ ସାରା କରାଯାଉଥିଲା । ଅଣ-ସଂକ୍ରାମକ ଏବଂ ମାରାତ୍ମକ ରୋଗ ଭାବରେ ହୃଦ୍ରୋଗ, ମଧୂମେହ, କର୍କଟ ରୋଗରେ ସର୍ବାଧିକ ମୃତୁ୍ୟ ଘଟୁଛି । ବର୍ତ୍ତମାନ ପ୍ରତି ଲକ୍ଷେ ଲୋକରେ ୨୮୨ ଜଣ ହୃଦ୍ଘାତର ଶିକାର ହେଉଛନ୍ତି । ଦିନକୁ ଦିନ ହୃଦ୍ଘାତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ହୃଦ୍ଘାତ ବର୍ତ୍ତମାନ ଏକ ନୀରବ ମହାମାରୀର ରୂପ ନେଇ ସାରିଲାଣି । ହୃଦ୍ଘାତ ହେବାର ପ୍ରାକ୍ ସୂଚନାକୁ ଲୋକମାନେ ଅଣଦେଖା କରିବା ଏବଂ ଏ ସମ୍ପର୍କରେ ଅଧିକ ଜ୍ଞାନ ନଥିବା କାରଣରୁ ହୃଦ୍ରୋଗୀଙ୍କ ସଂଖ୍ୟା ବଢୁଛି । ବର୍ତ୍ତମାନର ଜୀବନଶୈଳୀ ମଧ୍ୟ ହୃଦ୍ରୋଗୀଙ୍କ ସଂଖ୍ୟା ବଢ଼ାଇବାରେ ସହାୟକ ହେଉଛି । ଛଣା ଖାଦ୍ୟ ପ୍ରତି ଆଗ୍ରହ, ଖାଦ୍ୟରେ ବ୍ୟବହାର କରାଯାଉଥିବା ତେଲ ପ୍ରତି ସଚେତନତାର ଅଭାବ ଆଦି ବିଭିନ୍ନ କାରଣରୁ ରକ୍ତରେ କୋଲେଷ୍ଟ୍ରୋଲ୍ ମାତ୍ରା ବୃଦ୍ଧି ପାଇ ହୃତ୍ପିଣ୍ଡକୁ ଯାଇଥିବା ଧମନୀ ଏବଂ ଶିରାର ଭିତର ଅଂଶକୁ ବନ୍ଦ କରି ଦେଉଛି । ଯାହା ଫଳରେ ହୃତ୍ପିଣ୍ଡକୁ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇନପାରି ରୋଗୀଙ୍କର ମୃତୁ୍ୟ ଘଟୁଛି । 
ରକ୍ତରେ କୋଲେଷ୍ଟ୍ରୋଲ୍ ବୃଦ୍ଧି ସମସ୍ୟା ଖାଦ୍ୟରୁ ହିଁ ହେଉଛି । ଠିକ୍ ଭାବରେ ମଧ୍ୟ ଚିକିତ୍ସା ନମିଳିବା ଯୋଗୁଁ ଅନେକ ରୋଗୀ ମୃତୁ୍ୟ ମୁଖରେ ପଡୁଛନ୍ତି । ଉଚ୍ଚ ରକ୍ତଚାପ, ମଧୂମେହ ଏବଂ ହୃଦ୍ଘାତ ଏହି ତିନିଟି ଶାରୀରିକ ସମସ୍ୟା ପ୍ରାୟତଃ ପରସ୍ପର ସହିତ ଜଡ଼ିତ । ଲୋକମାନେ ଅଧିକ ସଂଖ୍ୟାରେ ମୋଟାପଣର ଶିକାର ହେଉଛନ୍ତି । ଖାଦ୍ୟାଭାସ ଯୋଗୁଁ ଶରୀରରେ ଚର୍ବି ଜମାଟ ବାନ୍ଧି ଲୋକେ ଅଧିକ ମୋଟା ହେବାରେ ଲାଗିଛନ୍ତି । ଶରୀରର ଓଜନ ହ୍ରାସ କରାଇବା ପାଇଁ ନିୟନ୍ତ୍ରିତ ଖାଦ୍ୟ ସହିତ ଶାରୀରିକ ଶ୍ରମର ଆବଶ୍ୟକତା ରହିଛି । ବର୍ତ୍ତମାନ ସମୟରେ ଲୋକମାନେ ଶାରୀରିକ ଶ୍ରମ କରିବା ପାଇଁ ଅତ୍ୟନ୍ତ କୁଣ୍ଠିତ । ସାଇକେଲ୍ର ବ୍ୟବହାର ପରିବର୍ତ୍ତେ ଦୁଇଚକିଆ ମୋଟର୍ ଯାନର ବ୍ୟବହାର ବର୍ତ୍ତମାନ ଏକ ଜୀବନଶୈଳୀରେ ପରିଣତ ହୋଇଗଲାଣି । ଲୋକମାନେ ନିଜର ରୋଜଗାରକୁ ଗୁରୁତ୍ୱ ନଦେଇ ମୋଟର୍ ଯାନ କିଣିବା ଉପରେ ଗୁରୁତ୍ୱ ଦେଉଥିବାରୁ ଏବଂ ମୋଟର୍ ଯାନ ନିର୍ମାତାମାନେ ବ୍ୟାଙ୍କ୍ ମାଧ୍ୟମରେ କରଜ ତଥା କିସ୍ତିରେ ମୋଟର୍ ଯାନ କିଣିପାରିବାର ସୁବିଧା କରି ଦେଇଛନ୍ତି । ଏହା ଫଳରେ ଲୋକମାନଙ୍କର ଚାଲିବାର ଅଭ୍ୟାସ କିମ୍ବା ସାଇକେଲ୍ ଚଲାଇବାର ଅଭ୍ୟାସ ଧୀରେ ଧୀରେ ଲୋପ ପାଉଛି । ଏହା ମଧ୍ୟ ହୃଦ୍ଘାତ ଭଳି ଅଣ ସଂକ୍ରାମକ ରୋଗର କାରଣ । ମୋଟ୍ ଉପରେ ଦେଖିବାକୁ ଗଲେ ଖାଦ୍ୟ, ଜୀବନଶୈଳୀ, ରାତ୍ରି ଅନିଦ୍ରା ରହି ଦିନ ବେଳେ ଶୋଇବା, ପ୍ରାତଃଭ୍ରମଣ ଭଳି କାର୍ଯ୍ୟ ପରିବର୍ତ୍ତେ ପରିଶ୍ରମ ନଥିବା ଗମନାଗମନ ବ୍ୟବସ୍ଥାକୁ ଆଦରି ନେବା ଭଳି ସୁବିଧାଜନକ କାର୍ଯ୍ୟକୁ ଲୋକମାନେ ଗ୍ରହଣ କରି ନେଉଛନ୍ତି । ବର୍ତ୍ତମାନ ଏହି ଜୀବନଶୈଳୀକୁ ପରିବର୍ତ୍ତନ କରିବାର ସମୟ ଆସିଛି । 
ଜୀବନଶୈଳୀରେ ପରିବର୍ତ୍ତନ ନକରିଲେ ଖାଦ୍ୟ, ଶାରୀରିକ ବ୍ୟାୟାମ, ବିଶ୍ରାମ ଆଦି ସମ୍ପର୍କରେ ସଚେତନ ନହେଲେ ହୃଦ୍ଘାତ, ମଧୂମେହ ଭଳି ରୋଗ ଅଧିକ ଦେଖା ଦେବ । ଏଭଳି ରୋଗୀଙ୍କ ତୁଳନାରେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଦେବା ପାଇଁ ଡ଼ାକ୍ତରଖାନାର ସଂଖ୍ୟା ମଧ୍ୟ ବହୁତ କମ୍ । ତେଣୁ ହୃଦ୍ଘାତ ଭଳି ଜରୁରୀକାଳୀନ ପରିସ୍ଥିତିରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟ ସେବା ପାଇବା ସମସ୍ତଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ବର୍ତ୍ତମାନ ଏଥିରୁ ମୁକ୍ତି ପାଇବାର ଏକମାତ୍ର ଉପାୟ ହେଲା ସ୍ୱାସ୍ଥ୍ୟ ସଚେତନତା । ଏହି ରୋଗ ବିଷୟରେ ସଚେତନତାର ବାର୍ତ୍ତା ଯେତିକି ପ୍ରସାରିତ ହେବ ସେତିକି ପରିମାଣରେ ରୋଗୀଙ୍କର ସଂଖ୍ୟା କମିବ ।