କୁଲଢିହା ଅଭୟାରଣ୍ୟରେ ବାଘୁଣୀ ‘ଯମୁନା’ 

ନୀଳଗିରି: ମହାରାଷ୍ଟ୍ରର ବ୍ୟାଘ୍ର ଅଭୟାରଣ୍ୟରୁ ବାଘୁଣୀ ‘ଯମୁନା'କୁ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ଛଡ଼ା ଯାଇଥିଲା । କିନ୍ତୁ ଏହି ବାଘୁଣୀ ଯମୁନା ରବିବାର ରାତିରେ ଶିମିଳିପାଳରୁ ଖସି ଆସି କପ୍ତିପଦା ରେଞ୍ଜ ଅଧୀନ ଶୁଖୁଆପଟା ପାହାଡ଼ ଦେଇ ବାଲେଶ୍ୱର ଜିଲା ନୀଳଗିରିସ୍ଥିତ ଔପଦା ଏବଂ ସେଠାରୁ କୁଲଢିହା ଅଭୟାରଣ୍ୟରେ ପହଞ୍ଚିଥିବା ଚର୍ଚ୍ଚା ହେଉଛିି । ଏନ୍କ୍ଲୋଜରରୁ ଯମୁନାକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନରେ ଛଡ଼ାଯାଇଥିଲା । ପାହାଡ଼ିଆ ଜଙ୍ଗଲରେ ଯମୁନା କିଛି ଦିନ ଧରି ନିଜର ବାସସ୍ଥାନ ପ୍ରସ୍ତୁତି କରିବାରେ ଲାଗିଥିଲା । ମାତ୍ର ସମତଳ ଜଙ୍ଗଲରୁ ଆସି ପାହାଡ଼ିଆ ଜଙ୍ଗଲରେ ନିଜକୁ ଖାପ ଖୁଆଇବା ପାଇଁ କୋର୍ ଅଞ୍ଚଳର ସୀମାନ୍ତରେ ଘୁରିବୁଲିଥିଲା । ଚର୍ଚ୍ଚା ହେବା ପରେ ବନବିଭାଗ ଅଧିକାରୀ ଓ କର୍ମଚାରୀମାନେ ବାରମ୍ୱର କୁଲଡିହା ଗସ୍ତ କରୁଥିବା ସୂଚନା ମିଳିଛି । ଅପରପକ୍ଷରେ ୨ଦିନ ହେବ ବାଲେଶ୍ୱର ଡିଏଫଓ ଖୁସୱନ୍ତ ସିଂଙ୍କ ସମେତ ବାରିପଦା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସ୍ଟିଆର)ର ଅଧିକାରୀ ଓ କର୍ମଚାରୀ ବାରମ୍ବାର କୁଲଡିହା ଗସ୍ତ କରୁଛନ୍ତି । ସେପଟେ କୁଲଡିହା ଅଭୟାରଣ୍ୟ ଅଧୀନ ଜୁରିଆତୋଟାରୁ ଯୋଡ଼ାଚୁଆ ରାସ୍ତାକୁ ସିଲ୍ କରାଯାଇଛି । ପର୍ଯ୍ୟଟକଙ୍କୁ ଏହି ଅଞ୍ଚଳରେ ବୁଲିବାକୁ ମନା କରାଯାଇଛି । କୁଲଡିହା ଭିତରେ ଥିବା ଅନ୍ୟ ଜଙ୍ଗଲରେ ପର୍ଯ୍ୟଟକମାନେ ଗାଡ଼ିରୁ ଓହ୍ଲାଇ ବନ୍ୟଜନ୍ତୁଙ୍କୁ ଦେଖୁଥିବା ସମୟରେ ବାଲେଶ୍ୱର ଡିଏଫଓ ଶ୍ରୀ ସିଂ ସେମାନଙ୍କୁ ଗାଡ଼ି ଭିତରେ ବସି ଜନ୍ତୁ ଦେଖିବାକୁ ତାଗିଦ କରିଥିବା ନେଇ କେତେକ ପର୍ଯ୍ୟଟକ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ କୁଲଡିହାରେ ବାଘ ପଶିଥିବା ନେଇ ନୀଳଗିରିର ସୀମାନ୍ତ ଅଞ୍ଚଳ ଗାଁଗୁଡ଼ିକରେ ଆତଙ୍କ ଖେଳି ଯାଇଛି । ବନବିଭାଗ ପକ୍ଷରୁ ବନାଞ୍ଚଳବାସୀଙ୍କୁ ସତର୍କ ଓ ସଚେତନତା କରାଯିବା ପରିବର୍ତ୍ତେ ତଥ୍ୟ ଲୁଚାଇଲେ ଅଞ୍ଚଳବାସୀଙ୍କ ବେଶୀ କ୍ଷତି ଘଟିବ ବୋଲି ଅଞ୍ଚଳରେ ମତପ୍ରକାଶ ପାଇଛି । ତେବେ ବଣ ପାହାଡ ଘେରା କୁଲଡିହା ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ନୀଳଗାଇ, ବଳିଆ କୁକୁର, ବଜ୍ରକାପ୍ତା ଇତ୍ୟାଦି ବନ୍ୟପ୍ରାଣୀ ଦେଖାଯାଆନ୍ତି । ଏଥିପ୍ରତି ପ୍ରଶାସନ ଯତ୍ନବାନ ହେବା ସହ ଲୋକମାନଙ୍କ ସୁରକ୍ଷା ପାଇଁ ବିଧିବଦ୍ଧ ଯୋଜନା କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।