କୂଳ ଲଙ୍ଘିଲା ବୈତରଣୀ ଓ କାଣୀ

 ଦଶରଥପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ବୈତରଣୀ ଓ ଏହାର ଶାଖା କାଣୀ ନଦୀରେ ବନ୍ୟା ଆସିଛି । ଦଶରଥପୁର ବ୍ଲକ୍ର ତଳିଆ ୭ ଗୋଟି ପଂଚାୟତରେ ବନ୍ୟା ଆଶଙ୍କାରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ସଂଧ୍ୟା ସୁଧା ଦଶରଥପୁରଠାରେ ବୈତରଣୀ ନଦୀର ବନ୍ୟାଜଳ ବିପଦ ସଂକେର ୮ଫୁଟ ଉଚ୍ଚରେ ପ୍ରବାହିତ ହେଉଥିବାରୁ ଦଶରଥପୁର ବ୍ଳକର ବ୍ୟାପକ ଅଂଚଳ ଜଳମଗ୍ନ ହୋଇଛି । କଟିକଟା ପଂଚାୟତର ମାଝିସାହି, ଦଶରଥପୁର ପଂଚାୟତର ଜୟନ୍ତରା ମହାପାତ୍ର ସାହି, କସପା ପଂଚାୟତର କମାଳପୁର ଗ୍ରାମର ପ୍ରାୟ ୧୦୦ରୁ ଉର୍ଦ୍ଧ ପରିବାର ଏହି ବନ୍ୟା ଫଳରେ ପାଣି ଘେରରେ ଅଛନ୍ତି । ବୈତରଣୀର ଶାଖା କାଣୀ ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ବିଭିନ୍ନ ସ୍ଥାନରେ ପାଣି ଚାଲୁଥିବାରୁ କସପା ମଲ୍ଲିକାପୁର ପଂଚାୟତର ବହୁ ଗ୍ରାମରେ ପାଣି ପଶିଛି । ସେହିପରି ବୈତରଣୀର ମୁଖ୍ୟ ବନ୍ଧ ଅର୍ଦ୍ଦାଳୁଆ ଓ ଦେୱାନୀ ପାଟଣାଠାରେ ଘଳିଆ ପଡ଼ିଥିବାରୁ ଘାଇର ଆଶଙ୍କା ରହିଛି । ଏହି ବନ୍ୟା ଫଳରେ କାଣୀନଦୀର କନିକାପଡ଼ାଠାରେ ପୂର୍ବରୁ ମୁକୁଳା ଥିବା ଘାଇରେ ବନ୍ୟାଜଳ ପ୍ରବାହିତ ହୋଇ ବ୍ଲକର ପ୍ରାୟ ୨ହଜାରରୁ ଉର୍ଦ୍ଧ ହେକ୍ଟର ଚାଷ ଜମିରେ ପାଣି ମାଡ଼ିଯାଇଛି । ଏଥିସହ ବନ୍ୟା ଫଳରେ କସପା, ମଲ୍ଳିକାପୁର, ଦୁଦୁରାଅଂଟା, ଦତପୁର, ଶୁଶୁଆ, ଖାନନଗର, କମାରଢ଼ିହ, କୟାଁ, କଟିକଟା, ଦଶରଥପୁର, ପ୍ରଭୃତି ପଂଚାୟତର ପ୍ରାୟ ୨୦ରୁ ଉର୍ଦ୍ଧ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି । ବନ୍ୟାଚଂଳରେ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଜିଲ୍ଳା ବିଜେଡ଼ି ସଭାପତି ସରୋଜ କୁମାର ମହାପାତ୍ର ପହଁଚି ମଲ୍ଳିକାପୁର, କସପା, ଦଶରଥପୁର ପଂଚାୟତର ପାଣି ଘେରରେ ଥିବା ଲୋକମାନଙ୍କ ଦୁର୍ଦଶାକୁ ପରଖିଥିଲେ । ପରେ ପ୍ରଶାସନ ପାଖରେ ବନ୍ୟା ଘେରରେ ଥିବାଲୋକଙ୍କୁ ତୁରନ୍ତ ରିଲିଫ୍ ଓ ପାଣି ଘେରରେ ଥିବା ଲୋକଙ୍କୁ ଡ଼ଙ୍ଗା ଯୋଗାଇ ଦେବାକୁ ଦାବି କରିଛନ୍ତି । ବ୍ଳକ୍ ପ୍ରଶାସନ ପକ୍ଷରୁ ପାଣି ଘେରରେ ଥିବା ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ସହ ପାଣିବୋତଲ ଓ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିବା ନେଇ ବିଡ଼ିଓ ଆକାଶ ପଟ୍ଟନାୟକ କହିଛନ୍ତି । ଆଜି ଦଶରଥପୁର ବନ୍ୟାଚଂଳକୁ ଜିଲ୍ଲାପାଳ ଅମ୍ବର କୁମାର କର, ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ମନିଶ ଅଗ୍ରୱାଲ, ଏଡ଼ିଏମ୍  ଯୁଧିଷ୍ଠିର ନାୟକ, ଶିବାନନ୍ଦ ସ୍ୱାଇଁ, ପିଡ଼ି ଅଶୋକ କୁମାର ବେହୁରିଆ, ବିଡ଼ିଓ ଆକାଶ ପଟ୍ଟନାୟକ ଓ ଅତିରିକ୍ତ ତହସିଲଦାର ରଶ୍ମି ରଂଜନ ମଲ୍ଲିକ ପ୍ରମୁଖ ଗ୍ରସ୍ଥରେ ଯାଇ କଟିକଟା ପଂଚାୟତର ମାଝି ସାହି, ଜୟନ୍ତରାର ମହାପାତ୍ର ସାହି, ପାଣି ଘେରରେ ଥିବା ଲୋକମାନଙ୍କର ଅବସ୍ଥା ନିରିକ୍ଷଣ କରିବା ସହ ନିଜାମପୁର ପଂଚାୟତର ନୁଆପାଟଣାଠାରେ ଦବି ଥିବା ମୁଖ୍ୟ ବନ୍ଧକୁ ପରିଦର୍ଶନ କରିବା ସହିତ କୟାଁ ପଂଚାୟତର ବନ୍ୟା ପ୍ଲାବିତ ବିଭିନ୍ନ ଗ୍ରାମ ପରିଦର୍ଶନ କରି ଯୁଦ୍ଧକାଳୀନ ଭିତିରେ ବନ୍ୟାଚଂଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ବ୍ଲକ୍ ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି ।