ଗୋଟିଏ ରାତିରେ ୩ ଘରୁ ଚୋରି
ବାଲିକୁଦା: ବାଲିଚନ୍ଦ୍ରପୁର ଥାନା ଗୋପାଳପୁର ପଞ୍ଚାୟତସ୍ଥିତ ଗଜେନ୍ଦ୍ରପୁର ଗ୍ରାମରେ ରାତିରେ ତିନି ଜଣଙ୍କ ଘରୁ ଚୋରି ହୋଇଛି । ସୂଚନା ମୁତାବକ ଉକ୍ତ ଗାଁର ସରୋଜ କୁମାର ଭୂୟାଁ, ଗୟାଧର ଜେନା ଓ ଅଭିରାମ ସେନାପତିଙ୍କ ଘରେ ବିଳମ୍ବିତ ରାତିରେ ଚୋରମାନେ ପସି କଳାକନା ବୁଲାଇଛନ୍ତି । ସରୋଜଙ୍କ ଘର ପଛପଟ କବାଟ ଭାଙ୍ଗି ଘରେ ପସି ଆଲମିରା ଭାଙ୍ଗି୨୫ ହଜାର ଟଙ୍କା ସହ ସୁନା ହାର, ଚେନ, କାନଫୁଲ, ଦୁଇଟି ମୁଦି, ଶାଙ୍ଖି ଓ ମଙ୍ଗଳସୂତ୍ର ଆଦି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି । ଗୟାଧର ଜେନାଙ୍କ ଘରୁ ଦୁର୍ବୃତ କିଛି ସୁନା ଗହଣା ଚୋରି କରିନେଇଥିବା ବେଳେ ଅଭିରାମଙ୍କ ଘରୁ କିଛି ନେଇପାରିନଥିବା ଜଣାପଡ଼ିଛି । ଏନେଇ ସରୋଜ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ସନ୍ଧାନି କୁକୁର ସହାୟତାରେ ତଦନ୍ତ ଜାରିରଖିଛି ।