କୃତି ଛାତ୍ରୀଙ୍କୁ ସମ୍ୱର୍ଦ୍ଧନା

 ମାଲକାନଗିରି : ମଧ୍ୟପ୍ରଦେଶର ସୁଜଲପୁର ଠାରେ ଅନୁଷ୍ଠିତ ଜାତୀୟସ୍ତରୀୟ କନିଷ୍ଠ ବର୍ଗ ସ୍କୁଲ୍ ହ୍ୟାଣ୍ଡ୍ ବଲ୍ ଚାମ୍ପିୟନସିପ୍ରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଓ ଜାତୀୟସ୍ତରୀୟ ମ୍ୟାଗାଜିନ୍ରେ ସ୍ଥାନ ପାଇଥିବା ମାଲକାନଗିରି ଜିଲ୍ଲାର ସିନ୍ଧ୍ରିମାଳ ସ୍ଥିତ କସ୍ତୁରବା ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ କୁମାରୀ ବିଭୂତି ମୁଣ୍ଡାଗୁଡିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେହି ବିଦ୍ୟାଳୟରେ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଚିତ୍ତରଂଜନ ପାଣିଗ୍ରାହୀ ଫୁଲତୋଡା ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏବଂ ତାଙ୍କର ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି  । କୁମାରୀ ବିଭୂତି ମୁଣ୍ଡାଗୁଡିଆ ଏକ ନିମ୍ନ ମଧ୍ୟବିତ୍ତ ଆଦିବାସୀ ପରିବାରରୁ ଆସି କ୍ରୀଡାପ୍ରତି ଆଗ୍ରହ ରଖି ହକି ଓ ହ୍ୟାଣ୍ଡ୍ ବଲ୍ରେ ରାଜ୍ୟସ୍ତରରେ କୃତିତ୍ୱ ଅର୍ଜନ କରି ଜାତୀୟସ୍ତରରେ ମଧ୍ୟ କୃତିତ୍ୱ ଅର୍ଜନ କରିଛନ୍ତି । କୁମାରୀ ମୁଣ୍ଡାଗୁଡିଆ ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ସ୍ଥିତ ସ୍ୱାମୀ ଶିବାନନ୍ଦ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ଜ୍ୟୋସ୍ନ୍ନା ମହାନ୍ତିଙ୍କ ତତ୍ତ୍ୱାବଧାନରେ ମଧ୍ୟପ୍ରଦେଶର ସୁଜଲପୁରକୁ ଯାଇଥିବାବେଳେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସନାତନ ପ୍ରଧାନଙ୍କ ଠାରୁ ତାଲିମ ନେଇ ଅଭ୍ୟାସ କରୁଥିଲେ । ତେଣୁ ଶ୍ରୀ ପ୍ରଧାନଙ୍କୁ ମଧ୍ୟ ଆଜି ଜିଲ୍ଲା ଶିକ୍ଷାଧିକାରୀ ସମ୍ମାନିତ କରିଥିଲେ । ଏହି ଅବସରରେ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଜିଲ୍ଲା ଆଦିବାସୀ ଶିକ୍ଷା ତଥା ଶୈକ୍ଷିକ ସଂଯୋଜକ ଶେଷଶଙ୍କର ମହାଳିକ, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ  ବାସନ୍ତୀ ପାଟଲା, ଶିକ୍ଷକଶିକ୍ଷୟିତ୍ରୀ, ୱାର୍ଡେନ୍, ସମସ୍ତ କର୍ମଚାରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶିବ ମାଡକାମୀ ଉପସ୍ଥିତ ଥିଲେ ।