ମାଛ ପଇସା ମାଗିବାରୁ... ଟାଙ୍ଗିଆରେ ହାଣି ଯୁବତୀଙ୍କୁ ହତ୍ୟା 

ମାଲକାନଗିରି : ଭାଗ ପୋଖରୀରୁ ମାଛ ଚୋରି, ମାଛ ପଇସା ମାଗିବାରୁ ଟାଙ୍ଗିଆରେ ହାଣି ଯୁବତୀଙ୍କୁ ହତ୍ୟା କରାଯାଇଛି । ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ମହୁପଦର ଗ୍ରାମରୁ । ସୂଚନା ଅନୁଯାୟୀ ଗ୍ରାମର ଲକ୍ଷ୍ମୀ କଲାର ଓ ଅନ୍ୟଜଣେ ବ୍ୟକ୍ତି ପୋଖରୀରେ ମାଛ ଚାଷ କରିଥିଲେ । ସେହି ଗ୍ରାମର ଜଣେ ବ୍ୟକ୍ତି ପୋଖରୀରୁ ମାଛ ଚୋରି କରି ନେଇ ଥିବାର ଜାଣି ଲକ୍ଷ୍ମୀ ଗତ କାଲି ରାତିରେ ଉକ୍ତ ବ୍ୟକ୍ତି ନିକଟକୁ ଯାଇ ଭାଗରେ ମାଛ ଛଡା ଯାଇଛି ତୋର ଚୋରି କରିବା ଠିକ ହୋଇ ନାହିଁ ବୋଲି ପ୍ରକାଶ କରିଥିଲେ । ଯଦି ମାଛ ଧରି ଆଣିଛୁ ତେବେ ଏହାର ମୂଲ୍ୟ ପ୍ରଦାନ ପାଇଁ ଦାବି କରିଥିଲେ । ଉକ୍ତ ବ୍ୟକ୍ତି ଟଙ୍କା ନଦେଇ ଓଲଟି ଗାଳି ଗୁଲଜ କରିବାରୁ ଲକ୍ଷ୍ମୀ ରାତିରେ ନିଜ ଘରକୁ ଫେରି ଆସିଥିଲେ । ତେବେ ଆଜି ସକାଳେ ଘରେ ଲକ୍ଷ୍ମୀ ଲୁଗା ଶୁଖାଉ ଥିବା ସମୟରେ ହଠାତ ଉକ୍ତ ବ୍ୟକ୍ତି ଆସି ଲକ୍ଷ୍ମୀର ମୁଣ୍ଡକୁ ଟଙ୍ଗିଆରେ ଆକ୍ରମଣ କରିଥିଲା । ଟଙ୍ଗିଆ ମାଡ଼ରେ ରକ୍ତାକ୍ତ ହେବା ସହ ଲକ୍ଷ୍ମୀ ତଳେ ପଡି ଯାଇଥିଲା । ନିକଟରେ ଲକ୍ଷ୍ମୀର ଭଉଣୀ ବାସନ ମାଜୁଥିବା ବେଳେ ଏହା ଦେଖି ଚିକôାର କରି ଗାଁ ଲୋକଙ୍କୁ ଡାକି ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ମୀକୁ ମାଥିଲି ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ପହଁଚିବା ପରେ ଡାକ୍ତର ଲକ୍ଷ୍ମୀକୁ ମୃତ ଘୋଷଣା କରିଥିଲେ । ଖବର ପାଇ ମାଥିଲି ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ମୃତ ଶରୀର ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଚଲାଇଛି । ହତ୍ୟା ସନେ୍ଦହରେ ମହୁପଦର ଗ୍ରାମର ଜଣେ ଯୁବକକୁ ଥାନାରେ ପୁଲିସ ଅଟକ ରଖି ପଚରା ଉଚରା କରିଛି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ମାଥିଲି ଥାନା ଅଧିକାରୀ ଦେବ ଦତ୍ତ ମଲ୍ଲିକ ସୂଚନା ଦେଇଛନ୍ତି । ଲକ୍ଷ୍ମୀଙ୍କ ମୃତୁ୍ୟ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।