‘ଖଗୋଳ ବିଜ୍ଞାନାଗାର’ର ଶୁଭ ଉଦ୍ଘାଟନ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ନୋଡାଲ ଏମଇ ସ୍କୁଲରେ ବିଶେଷ ଭାବରେ ନିର୍ମିତ କକ୍ଷରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ କରକମଳରେ ‘ଖଗୋଳ ବିଜ୍ଞାନାଗାର'ର ଶୁଭ ଉଦ୍ଘାଟନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯେ୍ୟାଧନ ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁ, ଡେପୁଟି କଲେକ୍ଟର ଅଶୋକ ଚକ୍ରବର୍ତ୍ତୀ, ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଖଣ୍ଡପାଣି, ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ଦିପ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ ଜଗନ୍ନାଥଙ୍କ ଫୋଟ ଚିତ୍ର ନିକଟରେ ପୂଜାର୍ଚ୍ଚନା ପରେ ସାଂସଦ ଶ୍ରୀ ମାଝି ଫିତାକାଟି ଏହି ବିଜ୍ଞାନଗାରକୁ ଉଦ୍ଘାଟନ କରିଥିଲେ । ଏହାପରେ ସମସ୍ତ ଅତିଥିମାନେ ଖଗୋଳ ବିଜ୍ଞାନାଗାରରେ ଥିବା ବିଭିନ୍ନ ବିଜ୍ଞାନ ବିଷୟ ଯନ୍ତ୍ରପାତି ଯଥା ଦୂରବିକ୍ଷଣ ଯନ୍ତ୍ର, ଅଣୁବୀକ୍ଷଣ ଯନ୍ତ୍ର ଏବଂ ଏଥି ସହିତ ଅନ୍ୟାନ୍ୟ ବିଜ୍ଞାନ ବିଷୟକ ଉପକରଣକ ଦେଖିଥିଲେ । ଏଥିସହିତ କାନ୍ଥରେ ବିଶ୍ୱ ବ୍ରହ୍ମାଣ୍ଡରେ ଥିବା ଗ୍ରହ ନକ୍ଷତ୍ର, ଛାୟାପଥ, ଧୂମକେତୁ ଇତ୍ୟାଦିର ଚିତ୍ର ଏବଂ ଭାରତର ବିଜ୍ଞାନ କ୍ଷେତ୍ରରେ କରାଯାଇ ଥିବା ବିଭିନ୍ନ ଉପକରଣ ଚିତ୍ର ଗୁଡ଼ିକର ଭୂୟସୀ ପ୍ରଶଂସା କରିଥିଲେ । ଏହି ଖଗୋଳ ବିଜ୍ଞାନାଗାର ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଜ୍ଞାନ ବିଷୟରେ ଶିକ୍ଷାଲାଭ କରିବା ଅତି ସହଜ ହେବ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ । ଏହି ଉଦ୍ଘାଟନ ସମାରୋହରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ମଧ୍ୟ ଯୋଗଦାନ କରିଥିଲେ ।