ଗୁଡିଆଜୋର ସେତୁ ନିର୍ମାଣ କରିବାକୁ ଦାବି
ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବନ୍ୟା ବିପନ୍ନ ଧୋୟା ଞ୍ଚଳର ଅଣ୍ଢରା ଓ ଅମୃତମଣୋହି ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଚାଷୀମାନେ ଗୁଡିଆ ଜୋର ସେତୁ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଦାବି କରି ଆସୁଥିଲେ । ଫଳରେ କେନ୍ଦ୍ରାପଡ଼ା ବିଧାୟକ ଭାବେ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ନିର୍ବାଚିତ ହେବା ପରେ ଧୋୟାଞ୍ଚଳ ଚାଷୀଙ୍କ ସମୂହ ସ୍ୱାର୍ଥ ଦୃଷ୍ଟିରୁ ଗୁଡିଆଜୋର ସେତୁ ନିର୍ମାଣ ପାଇଁ ରାଜ୍ୟ ବିଧାନସଭାରେ ପ୍ରଶ୍ନ ଉତ୍ଥାପନ କରିବା ସହିତ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଗ୍ରାମ୍ୟଉନ୍ନୟନମନ୍ତ୍ରୀଙ୍କୁ ଭେଟି ଦାବି କରିଥିଲେ । ଯାହାଦ୍ୱାରା ସମ୍ପ୍ରତି ରାଜ୍ୟ ସରକାର ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ବନ୍ୟା ବିପନ୍ନ ଅଣ୍ଢରା ଓ ଅମୃତମଣୋହି ପଂଚାୟତର ଚାଷୀମାନଙ୍କ ସୁବିଧା ପାଇଁ ଅଣ୍ଢରା, ଅମୃତମଣୋହି ଠାରେ ଗୁଡିଆଜୋର ସେତୁ ନିର୍ମାଣ କରିବା ପାଇଁ ସରକାର ସ୍ୱୀକୃତି ପ୍ରଦାନ କରିବା ସହିତ ଅର୍ଥ ମଞ୍ଜୁର କରିଛନ୍ତି । ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ଚିଠି ନଂ୨୮୫୪୧୫୦୦୦୪୨୦୨୪ରେ ସରକାରୀ ସ୍ୱୀକୃତି ପ୍ରଦାନ କରାଯାଇଛି । ଖରସ୍ରୋତା ଓ କାଣୀନଦୀରୁ ଉତ୍ପନ ଗୁଡିଆଜୋର ଏକ ଦୀପାଞ୍ଚଳର ରୂପ ନେଇଥିବାରୁ ସେହି ଅଞ୍ଚଳରେ ଥିବା ନିଜର ଚାଷ ଜମିକୁ ଯିବା ପାଇଁ ଚାଷୀମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗ କରି ଆସୁଥିଲେ । ଗୁଡିଆ ଜୋର ସେତୁ ନିର୍ମାଣ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଏ ବାବଦରେ ୨୫ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ମାତ୍ର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବାର ୪୫ଦିନ ବିତି ଯାଇଥିଲେ ମଧ୍ୟ ସେତୁ ନିର୍ମାଣ ଆରମ୍ଭ କରାଯାଇନାହିଁ । ୧ ମାସ ପରେ ବର୍ଷା ଋତୁ ଆସିବା ସମ୍ଭାବନା ଥିବାରୁ ରାଜ୍ୟ ସରକାର ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ କାଳ ବିଳମ୍ବ ନ କରି ଅବିଳମ୍ବେ ସେତୁ ନିର୍ମାଣ ଆରମ୍ଭ କରିବା ପାଇଁ ଧୋୟାଞ୍ଚଳ ବିକାଶ ସଂଯୋଜକ ଯୁବନେତା ରଶ୍ମି ରଞ୍ଜନ ସ୍ୱାଇ, କୃଷକନେତା ଚିତ୍ତ ରଞ୍ଜନ ମଲ୍ଲିକ, ଅଶୋକ ମଲ୍ଲିକ ଉଲ୍ଲାସ ମଲ୍ଲିକ, ରଂଜିତ ମଲ୍ଲିକ ନାରାୟଣ ମଲ୍ଲିକ, ବାବାଜୀ ମଲ୍ଲିକ, ଅଶୋକ ପରିଡା, ବ୍ରଜ କିଶୋର ସେଠୀ, ପ୍ରଫୁଲ୍ଲ ଜେନା, ବିଶ୍ୱ ରଂଜନ ପରିଡା, ରନôାକର ମଲ୍ଲିକ, ଅଜାମ୍ବର ସେଠୀ, ସତ୍ୟବ୍ରତ ମଲ୍ଲିକ, ତ୍ରିଲୋଚନ ସେଠୀ ପ୍ରମୁଖ ଚାଷୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଉଚ୍ଚକର୍ତ୍ତୃପକ୍ଷଙ୍କ ଠାରେ ଦାବି କରିଛନ୍ତି ।