କୃଷକ ସଂଗଠନର ସ୍ମାରକ ପତ୍ର ପ୍ରଦାନ
ଜଗତସିଂହପୁର : ଧାନମଣ୍ଡିରେ ବ୍ୟାପକ ବେଆଇନ କଟିନୀ ଛଟିନୀ ବନ୍ଦ କରିବା ପ୍ରତିବାଦରେ ୧୫ ତାରିଖ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗଣଧାରଣା ୧୪ ଦିନରେ ପହଞ୍ଚôଛି । ଏହି ଚାଷୀଙ୍କ ସମସ୍ୟାକୁ ଆଜି ଉପ-ମୁଖ୍ୟମନ୍ତ୍ରୀ ଜିଲ୍ଲାଗ୍ରସ୍ତରେ ଆସିଥିବା ସମୟରେ ସଂସ୍କୃତି ଭବନ ପରିସରରେ ନବନିର୍ମାଣ କୃଷକ ସଂଗଠନ କନକବର୍ଦ୍ଧନ ସିଂହଦେଓଙ୍କୁ ଭେଟି ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ଚାଷୀଙ୍କୁ ଅଖା ଯୋଗାଣ ନଦେବା, ଗାଡିର ଅଭାବ ପାଇଁ ମଣ୍ଡିରେ ଧାନ ପଡିରହିବା, ମିଲରଙ୍କ ମନମାନି ସାଙ୍ଗକୁ ଚଳିତ ବର୍ଷର ଧାନ ସଂଗ୍ରହରେ ବ୍ୟାପକ ହରିଲୁଟ ଲାଗିରହିଥିବା ଦର୍ଶାଇ ଆଜି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଶ୍ରୀ ସିଂଦେଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଅପରପକ୍ଷରେ କଟନି ଛଟନି ହେବ ନାହିଁ ବୋଲି ସରକାର ବାହାସ୍ପୋଟ ମାରୁଥିଲା ବେଳେ ବାସ୍ତବରେ କିନ୍ତୁ ମିଲର ଓ ସମ୍ପାଦକମାନଙ୍କ ମଧୁଚନ୍ଦ୍ରିକାପାଇଁ ଚାଷୀମାନେ ବଳି ପଡୁଛନ୍ତି । ମଣ୍ଡିରେ ମିଲରମାନେ ନିର୍ଭିକ ଭାବେ କ୍ୱିଣ୍ଟାଲ ପିଛା ୫/୧୦ କେଜି ଧାନ କାଟି ନେଉଥିଲେ ମଧ୍ୟ ସରକାର ଏ କଥାକୁ ଅସ୍ୱୀକାର କରିବାରେ ଲାଗିଛି ଯାହାକି ବିଜେପି ସରକାରର ଛଳନା ପ୍ରମାଣିତ ହେଉଛି । ଚାଷୀର ଭଲ ଧାନକୁ ମିଲର ଖରାପ ଧାନ କହି ଚାଷୀଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି ଓ ଚାଷୀର ଅସହାୟତାର ସୁଯୋଗ ନେଇ କ୍ୱିଣ୍ଟାଲ ପିଛା ୫/୧୦ କେଜି ଧାନ କାଟି ଦେବାକୁ ବାଧ୍ୟ କରୁଛି । ଚାଷୀଙ୍କ ଠାରୁ ଧାନ କାଟି ନେବା ପ୍ରକ୍ରିୟାରେ ପ୍ରଶାସନ ମଧ୍ୟ ସଂପୂର୍ଣ୍ଣ ଭାବେ ସାମିଲ ରହି ମିଲର ସ୍ୱାର୍ଥବପାଇଁ କାର୍ଯ୍ୟ କରୁଛି । ଧାନ ବିକ୍ରି ନହେବା ଭୟରେ ଚାଷୀ ମିଲରକୁ ଧାନ କାଟି ଦେବା ପାଇଁ ବାଧ୍ୟ ହେଉଥିବା ବେଳେ ସରକାର କହୁଛନ୍ତି ଚାଷୀମାନେ ୮୦୦ ଟଙ୍କା ଅତିରିକ୍ତ ସହାୟତା ପାଇ ଖୁସି ଅଛନ୍ତି ।