କୃଷି ଅଧିକାରୀଙ୍କ ମୁଗ କ୍ଷେତ ପରିଦର୍ଶନ 

 ବରୀ :  ଯାଜପୁର  ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡକ୍ଟର ଅରୁଣ ବେହେରା ବରୀ ବ୍ଲକ୍ ଅଞ୍ଚଳରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରାୟୋଜିତ ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ଯୋଜନାରେ ହୋଇଥିବା ବ୍ୟାପକ ମୁଗ ଡାଲି ଚାଷ କ୍ଷେତ ପରିଦର୍ଶନ କରିଛନ୍ତି । ବ୍ଲକ୍ର ବାଲିବିଲ, ମନ୍ଦାରୀ, ସେରପୁର ଓ ମହାକାଳପଡ଼ା ଗ୍ରାମ ପଂଚାୟତ ଅନ୍ତର୍ଗତ ବାଳିବିଲ, ଡିହସାହି, ଖେମେଶ୍ୱର୍, ଅନିକଣା, ଶ୍ରୀରାମପୁର, ଡିହପାଳ, ମିତ୍ରସେନପୁର ଗ୍ରାମ ଗୁଡିକର ଚାଷୀମାନେ ଧାନ ଅମଳ ପରେ ଜମିରେ ଥିବା ବତରରେ ବ୍ୟାପକ ମୁଗ ଚାଷ ଅତ୍ୟନ୍ତ ସଫଳତା  ସହିତ କରିଥିବା ଦେଖି ସନ୍ତୋଷ ପ୍ରକଟ କରିଥିଲେ । ଉପସ୍ଥିତ ଉଭୟ ମହିଳା ଓ ପୁରୁଷ ଚାଷୀମାନଙ୍କ ସହିତ ସେମାନେ ସମ୍ମୁଖୀନ ହେଉଥିବା ରୋଗ ଓ ପୋକ ସମସ୍ୟା ସଂପର୍କରେ ଆଲୋଚନା କରି ସରଳ ସମାଧାନ ବୁଝାଇଥିଲେ । ଏହି ଯୋଜନାରେ ସଫଳ ଚାଷ ପାଇଁ ସରକାରଙ୍କ ଠାରୁ ସଂପୂର୍ଣ୍ଣ ନିଃଶୁଳ୍କରେ ମିଳିଥିବା କୀଟନାଶକ, ବିଭିନ୍ନ ଜୈବିକ ଅଣୁ ସାର, ଏଲୋ ଷ୍ଟିକ୍, ଫେରୋମିନ୍ ଟ୍ରାପ, ଲାଇଟ୍ ଟ୍ରାପ୍ ଆଦି ସାମଗ୍ରୀର ଉପାଦେୟତା ଓ ସଠିକ୍ ବ୍ୟବହାର ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ ।  ଏହି ଅବସରରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ବ୍ଲକ ସହକାରୀ କୃଷି ଅଧିକାରୀ ବିକାଶ ମହାପାତ୍ର, କୃଷି ଓଭରସିଆର ଶ୍ରୀକାନ୍ତ କୁମାର ନାୟକ, ପ୍ରିୟରଞ୍ଜନ ରାଉତ୍, ଜିଲ୍ଲା କାର୍ଯ୍ୟାଳୟର ସହକାରୀ କୃଷି ଅଧିକାରୀ ଜ୍ୟୋତିରଂଜନ ଦାସ, ଗ୍ରାମ୍ୟ କୃଷୀ ଅଧିକାରିଣୀ ଲକ୍ଷ୍ମୀ ମଲ୍ଲିକ ପ୍ରମୁଖ ସାମିଲ ଥିବା ବେଳେ କାର୍ଯ୍ୟକାରୀ ସଂଗଠନ ଆଦର୍ଶ ଓଡ଼ିଶା ଫାଉଣ୍ଡେସନର କର୍ମକର୍ତ୍ତା ତଥା ବ୍ଲକ୍ ସଂଯୋଜିକା ଏବଂ କ୍ଲଷ୍ଟର ସଂଯୋଜକମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।