କେନାଲ ପୋତି ରାସ୍ତା ନିର୍ମାଣ : ଅଭିଯୋଗ ପରେ ତଦନ୍ତ
ରସୁଲପୁର: ଏହି ବ୍ଲକ ଯାବରା ପଂଚାୟତରେ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଜନ-୨ ଦ୍ୱାରା ଏକ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ବରକୋଳିପାଟଣା ଆରଡ଼ି ରାସ୍ତା ଠାରୁ ନଠୁଆବର ଭାୟା କାଣ୍ଡସରା, କପାଳୀ, କୃଷ୍ଣପଡ଼ା, କୋରକୋରା ଏବଂ ଶବର ସାହି ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କରାଯାଉଛି । ଏହି ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ୪.୫୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । କାର୍ଯ୍ୟକୁ ଠିକାଦାର ବିଜୟ କୁମାର ନାୟକ କରୁଛନ୍ତି କ୍ଷ ଏହି ନିର୍ମାଣ ପାଇଁ ଦୀର୍ଘ ୨୦୦ବର୍ଷର ଦୁଧେଇ କେନାଲର ମୁହାଣକୁ ବେଆଇନ ଭାବେ ପୋତି ଦିଆଯାଇଥିବାନେଇ ଓଡିଶା ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଯାଜପୁର ଜିଲାପାଳଙ୍କ ନିକଟରେ ସୂଚନା ଅଧିକାର କର୍ମୀ ନିରଂଜନ ବାରିକ ଓ ମଧୁସୂଦନ ପଣ୍ଡା ଗତ ଅଗଷ୍ଟ ମାସରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ଠିକାଦାର ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଡ୍ରେନେଜ ବିଭାଗ ଅଧୀନରେ ଥିବା ଦୁଧେଇ କେନାଲ ଯାହାକୁ ୨୦୧୫ ମସିହାରେ ୪୭୫୬୮୫୧ଟଙ୍କା ବ୍ୟୟ କରି ପୁନଃଉଦ୍ଧାର କରାଯାଇଥିଲା । ଏହାକୁ ଡ୍ରେନେଜ ବିଭାଗର ବିନା ଅନୁମତିରେ ଗ୍ରାମ୍ୟ ଉନ୍ନୟନ ବିଭାଗ କେନାଲକୁ ପୋତି ରାସ୍ତା ନିର୍ମାଣ କରୁଛି । ୬୦କିମି ବ୍ୟାପ୍ତ ଏହି କେନାଲର ପାଖାପାଖି ୨୦ଏକର ଜମି ଏହି ରାସ୍ତା ନିର୍ମାଣ ପାଇଁ ଜବରଦଖଲ କରାଯାଇଛି । ଯାହାଦ୍ୱାରା କେନାଲ ଉପରେ ନିର୍ଭର କରୁଥିବା୧୨ଟି ଆଖପାଖ ଗ୍ରାମର ଚାଷୀ ମାନଙ୍କ ଚାଷଜମିକୁ ଜଳସେଚନରେ ସମସ୍ୟା ସୃଷ୍ଟି ହେବ । ଏହି ରାସ୍ତା ପାଇଁ କାଣ୍ଡସରା ମୈାଜାର ଜଙ୍ଗଲ ଜମିରୁ ୨୦୦ରୁ ଉର୍ଦ୍ଧ ଗଛକୁ ଜଙ୍ଗଲ ବିଭାଗର ବିନା ଅନୁମତିରେ କାଟି ସେଠାରେ ରାସ୍ତା ନିର୍ମାଣ ହେଉଛି । ଏଥି ସହିତ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଛି । ରାସ୍ତାର ଚଉଡା ସବୁ ସ୍ଥାନରେ ସଠିକ ନାହିଁ । ଠିକାଦାର ନିଜ ମନଇଚ୍ଛା ରାସ୍ତା କାର୍ଯ୍ୟ କରୁଛି । ୬ କିମି ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ଆକଳନ କରାଯାଇଥିବା ବେଳେ ଠିକାଦାର ୪ କିମି ରାସ୍ତା ନିର୍ମାଣ କରି ଏକ ବଡ଼ ଦୁର୍ନୀତି କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଅଭିଯୋଗ କ୍ରମେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସର୍ବୋଚ୍ଚଯନ୍ତ୍ରୀ ସତ୍ୟଜିତ ଦଳାଇ ଘଟଣା ସ୍ଥଳକୁ ଜାରକା ଡିଜିଜନର ଏସସି ଅଭିନାଶ ବାରିକ, ଏସଡିଓ ଜଳନ୍ଧର ବେହେରା, କନିଷ୍ଠଯନ୍ତ୍ରୀ ଜନ୍ମେଜୟ ଷଢଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଘଟଣାର ତଦନ୍ତ କରିଥିଲେ । ତଦନ୍ତ ସମୟରେ ଠିକାଦାରଙ୍କ ପ୍ରରେଚନାରେ କିଛି ସ୍ଥାନୀୟ ଲୋକେ ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର କରିବା ସହ ତଦନ୍ତକାରୀ ଦଳ ନିକଟରେ ସେଠାରେ କୌଣସି କେନାଲ ନଥିବା କହିଥିଲେ । ତଦନ୍ତକାରୀ ଅଧିକାରୀ ମଧ୍ୟ ବିଭାଗର ତ୍ରୁଟି ଲୁଚାଇବା ପାଇଁ ଠିକାଦାରକୁ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା । ଅତିରିକ୍ତ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀଦଳାଇ ନିର୍ମାଣ କାର୍ଯ୍ୟରେ କେନାଲକୁ ପୋତା ଯାଇନଥିବା କହିବା ସହ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ପରାମର୍ଶ ଦେଇଥିବା ପ୍ରତିକ୍ରିୟା ଦେଇଛନ୍ତି । ଅଭିଯୋକାରୀ ଏହି ତଦନ୍ତ ପ୍ରକ୍ରିୟାରେ ଖୁସି ନଥିବା ସହ ତଦନ୍ତକରି ଅଧିକାରୀ ଠିକାଦାରଙ୍କ ସପକ୍ଷରେ ତଦନ୍ତ କଲେ । ଆଗାମୀ ଦିନରେ ଏଜିଟି ଓ ଲୋକାଯୁକ୍ତରେ ଅଭିଯୋଗ କରାଯିବା ନେଇ ପ୍ରକାଶ କରିଛନ୍ତି ।