କେନାଲ ଯୋଗେ ଜମିକୁ ଗଲା ପାଣି

 ଗୋଲାମୁଣ୍ଡା : ସାଧାରଣତଃ କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଚାଷ ଜମିକୁ ପାଣି ଯୋଗାଣ ପାଇଁ କେନାଲ ଖନନ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପକ୍ଷରୁ ଯେଉଁ ଜାଗାକୁ କ୍ଷୁଦ୍ର ଜଳ ସେଚନ ବିଭାଗ କେନାଲ ପହଞ୍ଚାଇ ପାରିନାହିଁ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଦୂର ଦୃଷ୍ଟି ଫଳରେ ବ୍ଲକରେ ପ୍ରଥମ ଥର ପାଇଁ ମନରେଗା ଯୋଜନାରେ କଂକ୍ରିଟ କେନାଲ କାମ ହୋଇପାରିଛି । ବର୍ତ୍ତମାନ ଚାଷୀ ଏହି କେନାଲ ଯୋଗେ ନିଜ ଜମିକୁ ପାଣି ମଡ଼ାଇ ପାରୁଛି । ଯାହାକୁ ନେଇ ଚାଷୀଙ୍କ ମୁହଁରେ ହସ ଫୁଟିଛି । କେଗାଁ ଅଞ୍ଚଳକୁ ବ୍ଲକ ଅଧ୍ୟକ୍ଷ ଆସିଥିବା ବେଳେ ଚାଷୀମାନେ ଅଧ୍ୟକ୍ଷଙ୍କ ଗାଡିକୁ ଅଟକାଇ ଚାଷ ଜମିର ପାଣି ସମସ୍ୟା ସମାଧାନ କରିବାକୁ ଦାବି କରିଥିଲେ । ଯାହା ପରେ ବ୍ଲକ ଅଧ୍ୟକ୍ଷ ଏହି ବିଷୟରେ ବିଡ଼ିଓ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପାଳ, ପଞ୍ଚାୟତ ରାଜମନ୍ତ୍ରୀଙ୍କ ସହିତ ଆଲୋଚନା କରି ସମସ୍ୟାର ସାମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଫଳସ୍ୱରୂପ ତତ୍କାଳୀନ ବିଡ଼ିଓ ଓ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ମନରେଗା ଯୋଜନା ମାଧ୍ୟମରେ କେନାଲର ବ୍ୟବସ୍ଥା କରିଥିଲେ  । ଚଳିତ  ଆର୍ଥିକ ବର୍ଷରେ ଗ୍ରୀଷ୍ମ କାଳରେ ଏହି କେନାଲ କାମ ସଂପୂର୍ଣ୍ଣ ହୋଇଥିବାବେଳେ ବର୍ତ୍ତମାନ ଚାଷୀ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ କେନାଲରୁ ନିଜ ଚାଷ ଜମିକୁ ଜଳସେଚିତ କରିପାରୁଛି । ଏଥିପାଇଁ କେଗାଁର ଚାଷୀ ଧର୍ଯ୍ୟ ନାଏକ, ପୁନି ଚଣ୍ଡି, ଦଶରଥ ମାଝୀ, କଳାକୃଷ୍ଣ ଧଙ୍ଗଡାମାଝୀ, ଦୁଖୁ ପୁଝାରୀ, ଦୁଲ ଚଣ୍ଡି, ନିଳମଣୀ ପୁଟେଲ, ପଙ୍କଜ ପୁଟେଲ, ମଧୁସୁଦନ ଧଙ୍ଗଡାମାଝୀ, ଦିନବନ୍ଧୁ ଧଙ୍ଗଡାମାଝୀ, ଟୁନା ଧଙ୍ଗଡାମାଝୀ, ରାମ ଧଙ୍ଗଡାମାଝୀ, ପିତାମ୍ବର ନାଏକ, ମୁଦିଆ ପୁଟେଲ , ଦୁର୍ବଳ ପୁଟେଲ, ଲୋକେଶ୍ୱର ପୁଟେଲଙ୍କ ସମେତ ଶତାଧିକ ଚାଷୀ ବ୍ଲକ ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ।