ରାସ୍ତାରେ ଭାସୁଛି ଡ୍ରେନ୍ ପାଣି
କୋକସରା : କୋକସରା ବ୍ଲକ ବଡପୋଡାଗୁଡା ଗ୍ରାମ ପଞ୍ଚାୟତର ଏନଗୁଡା ଗ୍ରାମର ଉପରପଡ଼ା ଠାରେ ଥିବା ନଳକୂପ ଡ୍ରେନ୍ ଦୀର୍ଘଦିନ ହେବ ସଫା ନ କରାଯାଇଥିବାରୁ ଅଳିଆ , ଆବର୍ଜନା ଭର୍ତ୍ତି ହୋଇ ପୋତି ହେବା ସହ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ଡ୍ରେନ୍ର ଅପରିଷ୍କାର ପାଣି ଭାସୁଛି । ଦୈନନ୍ଦିନ ପଡ଼ାବାସୀ ଦୂଷିତ ପାଣି ମାଡି ଯାତାୟତ କରୁଛନ୍ତି । ଅନ୍ୟପକ୍ଷରେ ପାଣି ଜମି ରହୁଥିବାରୁ ମଶା, ମାଛିଙ୍କ ଉପଦ୍ରବ ବଢ଼ି ଚାଲିଛି । ଫଳରେ ବର୍ଷା ଋତୁରେ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ମଧ୍ୟ ଆଶଙ୍କା ରହିଛି । ଏଭଳି ସମାନ ସ୍ଥିତି ଗ୍ରାମର ତଳପଡ଼ା ଠାରେ ଥିବା ନଳକୂପ ଡ୍ରେନ ମଧ୍ୟ ଦୀର୍ଘଦିନ ହେବ ସଫା କରାଯାଇ ନ ଥିବାରୁ ଆବର୍ଜନା ଭର୍ତ୍ତି ହୋଇ ପଚି ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ନାକ ଟେକି ବାହାରକୁ ବାହାରୁଛନ୍ତି । ଉକ୍ତ ଗ୍ରାମରୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ରାସ୍ତା ବରଗଛ ପାର୍ଶ୍ୱରେ ଡ୍ରେନ୍ର ଅପରିଷ୍କାର ପାଣି ମାଡ଼ି ଯାତାୟତ କରୁଛନ୍ତି । ଫଳରେ ସ୍ଥାନୀୟ ବାସିନ୍ଦା ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପଞ୍ଚାୟତ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।