କେବେ ଦୂର ହେବ ଦାଦନ ଦୁଃଖ? ପ୍ରତିବର୍ଷ ୩୫ ହଜାର ଶ୍ରମିକ ଯାଉଛନ୍ତି ଦାଦନ ଖଟି

 ନବରଙ୍ଗପୁର: ଦାଦନ ଦୁଃଖର ଅନ୍ତ ଘଟୁନି । ବାହାରକୁ ଯାଇ ନିର୍ଯାତନାର ଶିକାର ହେଉଛନ୍ତି ଶ୍ରମିକମାନେ । ଏହାକୁ ରୋକିବାରେ ବିଫଳ ହୋଇଛି ଶ୍ରମ ବିଭାଗ । ନା ସେମାନଙ୍କର ପଞ୍ଜୀକରଣ କରାଯାଉଛି ନା ରୋକିବା ଦିଗରେ ନିଆଯାଉଛି ଅନ୍ୟ କୌଣସି ଠୋସ୍ ପଦକ୍ଷେପ । ଏହି କାରଣରୁ ଗତ ୪ ବର୍ଷରେ ବାହାରକୁ ଦାଦନ ଯାଇ ୩୧ଜଣଙ୍କ ମୃତୁ୍ୟ ହୋଇସାରିଲାଣି । ପ୍ରତିବର୍ଷ ଏହି ଜିଲ୍ଲାରୁ ୩୫ ହଜାର ଶ୍ରମିକ ଦାଦନ ଖଟିବାକୁ ଯାଉଥିବା ଖୋଦ୍ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି । ଏମିତିକି ଦାଦନ ରୋକିବା ପାଇଁ ତିଆରି ହୋଇଥିବା ମନରେଗା କାର୍ଯ୍ୟକାରୀରେ ତ୍ରୁଟି ରହୁଥିବାରୁ ଜିଲ୍ଲାରୁ ଦାଦନ ସୁଅକୁ ଅଟକାଯାଇପାରୁନଥିବା ଜିଲ୍ଲା ଗସ୍ତରେ ଆସିଥିବା ବେଳେ କିଛିଦିନ ତଳେ ସ୍ୱୀକାର କରିଥିଲେ । 
ବିଭାଗୀୟ ସୂତ୍ରରୁ ଜଣାପଡିଛି ଯେ, କୃଷି ପ୍ରଧାନ ଜିଲ୍ଲା ନବରଙ୍ଗପୁର ଗତ କିଛି ବର୍ଷ ହେଲା ଦାଦନପ୍ରବଣ ଜିଲ୍ଲାର ମାନ୍ୟତା ପାଇଛି । ଗତ ୪ବର୍ଷ ମଧ୍ୟରେ ଜିଲ୍ଲାର ୩୧ ଶ୍ରମିକ ଦାଦନ ଯାଇ ଜୀବନ ହରାଇଛନ୍ତି । ଗାଁକୁ କାହାର ଶବ ଫେରିଛି ତ’ ଆଉ କାହାର ଫେରିପାରିନାହିଁ ।୨୦୨୧ରେ ୩ ଜଣଙ୍କ ମୃତୁ୍ୟ ଘଟିଥିଲା । ୨୦୨୨ରେ ୨, ୨୦୨୩ରେ ୩, ୨୦୨୪ରେ ୧୦ ଏବଂ ୨୦୨୫ ଅଗଷ୍ଟ ୧୨ ତାରିଖ ସୁଦ୍ଧା ୧୩ଜଣ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ୩୧ଜଣ ଶ୍ରମିକଙ୍କ ମଧ୍ୟରୁ ୧୩ ଶ୍ରମିକଙ୍କ ଶବକୁ କେରଳ, ତାମିଲନାଡୁରୁ ଆଣିବା ପାଇଁ ରାଜକୋଷରୁ ୬୧ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ବଳକା ଶ୍ରମିକଙ୍କୁ ସମ୍ପୃକ୍ତ କମ୍ପାନୀ ଓ ପରିବାର ଲୋକେ ନିଜ ଖର୍ଚ୍ଚରେ ଗାଁକୁ ଆଣିଥିବା  ବେଳେ କେତେକଙ୍କ ଶବକୁ ଆଣିବା ପାଇଁ ଅର୍ଥାଭାବରୁ ସେଠାରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ଏବେ ସୁଦ୍ଧା ରାଜ୍ୟବାହାରୁ ୯୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଜିଲ୍ଲାରେ ଲାଇସେନ୍ସପ୍ରାପ୍ତ ଶ୍ରମିକ ଠିକାଦାର ୬ ଜଣ ଥିବାବେଳେ ସେମାନେ ୪୨୪ ଶ୍ରମିକଙ୍କୁ ଦାଦନ ଖଟାଇବାକୁ ନେଇଥିଲେ । କିନ୍ତୁ ବେସରକାରୀ ତଥ୍ୟ ଅନୁସାରେ ଏହି ସଂଖ୍ୟା ଢେର ଅଧିକ ।ଏହାକୁ ଆକଳନ କରିବା ମୁସ୍କିଲ । ପ୍ରତି ବ୍ଲକରେ ମାଳମାଳ ଶ୍ରମିକ ଦଲାଲ ଓ ଶତାଧିକ ଦାଦନ ଶ୍ରମିକ ଅଛନ୍ତି । ବିଶେଷ କରି ପାପଡାହାଣ୍ଡି ଓ ଝରିଗାଁ ବ୍ଲକକୁ ଦାଦନ ପ୍ରବଣ ଭାବେ ଚିହ୍ନଟ କରି ସେଠାରେ ୩୬୫ ଦିନ ମନରେଗା ଯୋଜନା ଲାଗୁ କରାଯାଇଛି ।  ତଥାପି ଦାଦନ ରୋକିବାରେ ଏହି ଦୁଇଟି ବ୍ଲକ ବିଫଳ ହୋଇଛି । ଅନ୍ୟପକ୍ଷେ ଦାଦନ ଶ୍ରମିକଙ୍କ  ତଥ୍ୟ ପଞ୍ଜିକରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ ମଧ୍ୟ ବିଡିଓ କିମ୍ବା ପିଇଓ ଏଥିପ୍ରତି ଆନ୍ତରିକତା ଦେଖାଉନାହାନ୍ତି । ଏହାର ଅଭାବରେ ୪ବର୍ଷ ପରେ ମଧ୍ୟ ଜଣେ ହେଲେ ଦାଦନଙ୍କ ତଥ୍ୟ ସଂଗ୍ରହ ହୋଇପାରିନାହିଁ ।  ଶ୍ରମବିଭାଗ ପକ୍ଷରୁ ୯ ଲକ୍ଷ ଟଙ୍କାର ୟୁସି ପ୍ରଦାନ କରିବାରେ ମଧ୍ୟ ଅବହେଳା ପ୍ରଦର୍ଶନ କରୁଛନ୍ତି । ଶ୍ରମ ବିଭାଗ ପକ୍ଷରୁ ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ରିମାଇଣ୍ଡର ଦେଲେ ମଧ୍ୟ କୌଣସି ବ୍ଲକରୁ ୟୁସି ପହଞ୍ଚôପାରୁନି । ଏହି ଅନୁଦାନ ବାବଦରେ ଗୋଷ୍ଠୀଉନ୍ନୟନ ଅଧିକାରୀମାନେ କୌଣସି ଉତ୍ତର ମଧ୍ୟ ଦେଇପାରୁ ନାହାନ୍ତି । ଏ ନେଇ ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ପୁଣି ଥରେ ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କୁ ଚିଠି କରାଯିବ ବୋଲି ଶ୍ରମ ଅଧିକାରୀ ଶ୍ରୀ ଛୋଟରାୟ ଟୁଡୁ କହିଛନ୍ତି ।