କେରଡାଗଡ-ମଦନପୁର ରାସ୍ତାରେ କୃତ୍ରିମ ପୋଖରୀ: ୭ ପଞ୍ଚାୟତବାସୀଙ୍କ ଗମନାଗମନା ଠପ୍ ଆଶଙ୍କା
ରାଜନଗର : ରାଜ୍ୟରେ ୨୪ବର୍ଷର ବିଜୁ ଜନତାଦଳ ସରକାର ବଦଳିଲା । ବିଜେପି ସରକାର ରାଜ୍ୟରେ ଶାସନ ଭାର ଗ୍ରହଣ କରିବା ପରେ ସ୍ୱଚ୍ଛ ଶାସନ ଫେରିବ । ରାସ୍ତାଘାଟର ଉନ୍ନତିକରଣ ହେବା ସହ ଗମନାଗମନ ସୁଗମ ହେବ ବୋଲି ଲୋକମାନେ ଆଶା ରଖିଥିଲେ । ମାତ୍ର ରାସ୍ତାଘାଟ ଉନ୍ନତିକରଣ ହେବା ତ ଦୂରର କଥା, ରାସ୍ତା ଅବସ୍ଥା କହିଲେ ନସରେ । ପୂର୍ତ୍ତ ବିଭାଗ ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତାର ଅନେକ ସ୍ଥାନରେ ଦୁଇରୁ ଅଢେଇ ଫୁଟ ଗଭୀରରେ ଛୋଟ ଛୋଟ ଗାଡିଆ (କୃତ୍ରିମ ପୋଖରୀ)ର ଭ୍ରମ ସୃଷ୍ଟି କରୁଛି । ଗୋଟିଏ କିମ୍ବା ଦୁଇଟି ନୁହେଁ, ରାସ୍ତାର ଅନେକ ସ୍ଥାନରେ ଗାଢଗୁଡିକରେ ବର୍ଷାଜଳ ଜମିରହି କୃତ୍ରିମ ପୋଖରୀ ପାଲଟିଛି । ରାଜନଗର ବ୍ଲକରେ ପୂର୍ତ ବିଭାଗ ସବ-ଡିଭିଜନ କାର୍ଯ୍ୟାଳୟ ଶ୍ରୀହିନ ହୋାଇଥିବା ବେଳେ ବିଭାଗୀୟ ରାସ୍ତା ଅବସ୍ଥା ବି ଶୋଚନୀୟ ହୋଇପଡିଛି । ସବ-ଡିଭିଜନ କାର୍ଯ୍ୟାଳୟକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଏକାଧିକ ସ୍ଥାନରେ ଦାୟିତ୍ୱ ନେଇଥିବା ବାହାନାରେ ଆସୁନଥିବା ଅଭିଯୋଗ ହୋଇଛି ।
ସେହିପରି ଦୁଇଜଣ କନିଷ୍ଠ ଯନ୍ତ୍ରୀଙ୍କ ସ୍ଥାନରେ ଜଣେ କନିଷ୍ଠ ଯନ୍ତ୍ରୀ ଦାୟିତ୍ୱରେ ଥିବା ବେଳେ ତାଙ୍କର ମଧ୍ୟ ଦେଖା ମିଳୁନି । କିରାଣୀ ଓ ଖଲାସୀଙ୍କ ଦୟାରେ ପୂର୍ତ୍ତ ବିଭାଗ ଚାଲିଥିବା ବେଳେ ଗୋପାଳପୁର ଭାୟା କେରଡାଗଡ-ମଦନପୁର ୧୩ କି.ମି ରାସ୍ତା ଅବସ୍ଥା ବେହାଲ ହେବା ସହ ଆଣ୍ଠୁଏ ଲେଖାଏଁ ଖାଲ ହେବାରେ ଲାଗିଛି । ବିଭାଗର ଏଥିପ୍ରତି ନିଘାନାହିଁ । ଏହି ରାସ୍ତା ଉପରେ ସାନବଡଗୋପାଳପୁର, ବାଲିସାହିପାଟଣା, କେରଡାଗଡ, ରାଜପୁର, ବେଲପାଳ, ଓସ୍ତିଆ ଓ ବନ୍ଧପଡା ପଞ୍ଚାୟତର ପ୍ରାୟ ୬୦ହଜାରରୁ ଉଦ୍ଧ୍ୱର୍ ଲୋକ ଯିବା ଆସିବା ପାଇଁ ନିର୍ଭର କରିଥାନ୍ତି । ଖାଲି ସେତିକି ନୁହେଁ, ଆଳି ବ୍ଲକ ଏକମାଣିଆ ପଞ୍ଚାୟତ ଲୋକମାନେ ନିର୍ଭର କରିଥାନ୍ତି । ବ୍ଲକ ସଦର ମହକୁମାକୁ ଯିବା ଆସିବା ସହ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ରୋଗୀମାନେ ଚିକିସôା ପାଇଁ ଆସିଥାନ୍ତି । ଗର୍ଭବତୀ, ପ୍ରସୂତୀ ମହିଳା ଓ ଗୁରୁତର ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ରାଜନଗର ଓ ୟୁକେ ମହାବୀର ମହାବିଦ୍ୟାଳୟ ମଦନପୁରକୁ ପ୍ରତିଦିନ ଶତାଧିକ ଛାତ୍ରଛାତ୍ରୀ ଯିବା ଆସିବା କରିଥାନ୍ତି । ଏହି ରାସ୍ତାର ଗୋପାଳପୁରଠାରୁ କେରଡାଗଡ ହେଉ କିମ୍ବା କେରଡାଗଡଠାରୁ ମଦନପୁର ପର୍ଯ୍ୟନ୍ତ ରାସ୍ତାର ଶତାଧିକ ସ୍ଥାନରେ ଗାଢ ସୃଷ୍ଟି ହୋଇ ମରଣଯନ୍ତା ପାଲଟିଛି । ଯାହାଫଳରେ ୭ଟି ପଞ୍ଚାୟତ ଅଧିବାସୀଙ୍କ ଲାଇଫ ଲାଇନ୍ କୁହାଯାଉଥିବା ଗମନାଗମନ ପଥ ଠପ୍ ହେବାର ଆଶଙ୍କା ସୃଷ୍ଟି ହୋଇଛି । କେବେ ରାଜ୍ୟ ସରକାର ଏ ରାସ୍ତାପ୍ରତି ଦୃଷ୍ଟି ଦେବେ ଦେଖିବାକୁ ବାକି ରହିଲା ।