କ୍ୱିଣ୍ଟାଲ ପିଛା କାଟୁଛନ୍ତି ୮ କେଜି ଧାନ : ମିଲରଙ୍କ ମନମାନିରେ ଧାନ କିଣା
ବନ୍ତ: ବନ୍ତ ବ୍ଲକରେ ସରକାରୀ ନିଦେ୍ର୍ଦଶକୁ ବେଖାତିର କରାଯାଉଛି । ମିଲରଙ୍କ ମନମାନୀରେ ମଣ୍ଡିରେ ଧାନ କିଣାଯାଉଛି । ଚାଷୀଙ୍କଠାରୁ କ୍ୱିଣ୍ଟାଲ ପିଛା ୮ କେଜି ଧାନ କଟ୍ନି କରାଯାଉଥିବା ଅଭିଯୋଗ ହେଉଛି । ରାଜ୍ୟ ସରକାର କୃଷି ଓ କୃଷକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଏଥର ଖରିଫ୍ ଧାନ କ୍ୱିଣ୍ଟାଲ ୩୧ଶହ ଟଙ୍କା ଦର ଧାର୍ଯ୍ୟ କରିଛନ୍ତି । କୌଣସି ମଣ୍ଡିରେ କଟନି ଛଟ୍ନି ନ କରିବାକୁ ସରକାର କଡ଼ା ନିଦେ୍ର୍ଦଶନାମା ଜାରି କରିଛନ୍ତି । ଏହାସତ୍ତ୍ୱେ ବନ୍ତ ବ୍ଲକ୍ରେ ଖୋଲା ଯାଇଥିବା ମଣ୍ଡିରେ କଟ୍ନି ଛଟ୍ନି ଆରମ୍ଭ ହୋଇଯାଇଛି । ଗତ ୫ ତାରିଖଠାରୁ ବ୍ଲକ୍ର ୧୦ ସେବା ସମବାୟ ସମିତି ଓ କେତେକ ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ମଣ୍ଡି ଖୋଲାଯାଇଛି । ଶୁକ୍ରବାର ଠାରୁ କେତେକ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଯାଇଛି । ଏସବୁ ମଣ୍ଡିରେ ଚାଷୀଙ୍କ ଠାରୁ ବେସରକାରୀ ଭାବେ କ୍ୱିଣ୍ଟାଲ ପିଛା ୮ କେଜି ଧାନ କଟ୍ କରାଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି । ମିଲରମାନେ ଏଫ୍ଏକୁ୍ୟ ମାନର ଧାନ ଦିଅନ ହେଲେ ୮ କିଗ୍ରା କଟ୍ ନିକରିବାକୁ ଜିଦ୍ ଧରି ବସିବାରୁ ଏପରି ନିଷ୍ପରି ନିଆଯାଇଛି ବୋଲି କେତେକ ମଣ୍ଡି ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି । ଶେଷରେ ଧାନକ୍ରୟ କମିଟି ଓ ସମିତି ପକ୍ଷରୁ ନିଷ୍ପଭି ହୋଇ ମିଲରଙ୍କ ଜିଦ୍କୁ ମାନି ନେଇଥିବା ଜଣାଯାଇଛି । ରାଜ୍ୟ ସରକାର କଟ୍ନି ଛଟ୍କୁ ବନ୍ଦ କରିଥିବା ବେଳେ, ମିଲରମାନେ ନିଜ ମନମାନୀରେ ଧାନ କିଣୁଥିବା ଦେଖାଯାଇଛି । ବାତ୍ୟା ‘ଦାନା’ ଓ ଅଦିନିଆ ବର୍ଷାରେ ବନ୍ତ ଶତାଧିକ ଏକର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଏବେ ମିଲରଙ୍କ ରାଜ୍ ସମଗ୍ର ବ୍ଲକ୍ରେ ଚାଷୀଙ୍କ ଚିନ୍ତା ବଢ଼ାଇଦେଇଛି । ମିଲରଙ୍କ କଥାରେ ସମିତି ଓ ଧାନକ୍ରୟ କମିଟି ଉପରକୁ ହାତ ଟେକି ଦେଇଥିବାରୁ ଚାଷୀମାନେ ବିଶେଷ ଭାବେ କ୍ଷତି ସହୁଥିବା ପ୍ରକାଶ କରିଛନ୍ତି । ସେହିପରି ଅନ୍ୟ କେତେକ ମଣ୍ଡିରେ ମିଲରଙ୍କ ସହ ଆଲୋଚନା ସଫଳ ହୋଇପାରି ନ ଥିବାରୁ ଧାନ କିଣାରେ ବିଳମ୍ବ ଦେଖାଯାଇଛି । ବ୍ଲକ ଯୋଗାଣ ଅଧିକାରୀ ଶ୍ରଦ୍ଧାଞ୍ଜଳି ମଲ୍ଲିକଙ୍କୁ ପଚାରିବାରୁ ସେମିତି କିଛି ହେଉନାହିଁ ବୋଲି କହିଛନ୍ତି । ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି ।