ମହାପ୍ରଭୁ ପରିଧାନ କଲେ ଚଉସରା ମାଳ
ପୁରୀ: ଧନୁମାସର ଶେଷ ଦିନରେ ନବାଙ୍କ ବେଶରେ ଭୂଷିତ ହେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଶିରରୁ ରତ୍ନ ସିଂହାସନ ଚଟାଣ ପର୍ଯ୍ୟନ୍ତ ଗେଣ୍ଡୁ ଫୁଲର ମାଳରେ ସୁସଜ୍ଜିତ ହେବେ ଶ୍ରୀଜୀଉ । ମହାପ୍ରଭୁଙ୍କ ଅତ୍ୟନ୍ତ ପ୍ରିୟ ପୁଷ୍ପ ହେଉଛି କୁଷୁମ ବା ଗେଣ୍ଡୁ ଓ ତୁଳସୀ ପତ୍ର । ଥଣ୍ଡା ଦିନ ପାଇଁ ତୁଳସୀର ଆବଶ୍ୟକତା ରହିଛି । ଟୋପର ଉପରେ ଲାଗିହେବ ମାଳ, ଚୁଳ । ସୋମବାର ଦିନ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଲାଣ ଓ ଫୁଲ ମେଲାଣ ଉସôବ ଅନୁଷ୍ଠିତ ହୋଇଛି । ସନ୍ଧ୍ୟା ଆଳତି ବେଶରେ ଖୁଣ୍ଟିଆ ଓ ପୁଷ୍ପାଳକ ସେବକମାନେ ଠାକୁରଙ୍କୁ ମାଳଚୁଳ ଲାଗି କରିଛନ୍ତି । ରଥ ଚକ ସଂଖ୍ୟା ଯେତିକି ସେହି ସଂଖ୍ୟାର ଫୁଲମାଳ ଲାଗି ହୋଇଛନ୍ତି ଶ୍ରୀ ଜୀଉମାନେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଷୋଳ ହାତ, ପ୍ରଭୁ ବଳଭଦ୍ରଙ୍କୁ ୧୪ହାତ, ସୁଭଦ୍ରାଙ୍କୁ ୧୨ ହାତ ଓ ସୁଦର୍ଶନଙ୍କ ପାଇଁ ୪ହାତର ଗେଣ୍ଡୁମାଳ ପ୍ରସ୍ତୁତ ହୋଇଥାଏ । ବଡ଼ଓଡ଼ିଆ ମଠ ପକ୍ଷରୁ ପରମ୍ପରା ଅନୁଯାୟୀ ଏହି ଚଉସରା ମାଳ ଯୋଗାଇ ଦିଆଯାଇଛି । ଗଙ୍ଗାମାତା ମଠ ପକ୍ଷରୁ ଶଙ୍ଖ, ଚକ୍ର, ହଳ, ମୂଷଳ, କୁଣ୍ଡଳ ଇତ୍ୟାଦି ଶ୍ରୀ ଜୀଉମାନଙ୍କୁ ଲାଗି କରିବା ପାଇଁ ଯୋଗାଇ ଦିଆଯାଇଛି । ଏହି ବେଶରେ ଜଗନ୍ନାଥ, ବଳଭଦ୍ର ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ, ଚକ୍ର, ହଳ, ମୂଷଳ ଧାରଣ କରିଥାନ୍ତି । ଓଡ଼ିଆ ମଠର ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀଙ୍କ ନେତୃତ୍ୱରେ ପ୍ରସ୍ତୁତ କରାଯାଇଛି ଚଉସରା ମାଳ । ନବାଙ୍କ ଅବସରରେ ବଡ଼ସିଂହାର ବେଶରେ ଠାକୁରମାନେ ଏହି ମାଳ ଲାଗି ହୋଇଛନ୍ତି । ପରଦିନ ମଙ୍ଗଳ ଆଳତି ପର୍ଯ୍ୟନ୍ତ ଏହି ମାଳ ପରିଧାନ କରିବେ । ବିଭିନ୍ନ ଶାସନ ମାନଙ୍କରୁ ଚୁଳ ଆସି ଠାକୁରମାନଙ୍କୁ ଲାଗି କରାଯିବ । ଓଡ଼ିଆ ମଠରେ ଗୋଟିଏ ଦିନରେ ୪ଟି ମାଳ ତିଆରି କରାଯାଇଛି । ପୌଷମାସରେ ବାପ ଘରକୁ ଯାଇଥିବା ମହାଲକ୍ଷ୍ମୀ ମକର ସଂକ୍ରାନ୍ତିରେ ମନ୍ଦିରକୁ ଫେରିଥାନ୍ତି । ମହାପ୍ରଭୁ ମର୍ତ୍ତ୍ୟରେ ମାନବୀୟ ଲିଳା କରୁଛନ୍ତି । ସ୍ୱାମୀଙ୍କୁ ଖୁସି କରିବା ପାଇଁ ମହାଲକ୍ଷ୍ମୀ ସଙ୍ଗରେ ଆଣିଥାନ୍ତି ଚାଉଳ, ନଡ଼ିଆ, ଗୁଡ଼, ଆଖୁ, ମୁଆଁ । ଏଥିରେ ମକର ଚାଉଳ ପ୍ରସ୍ତୁତ କରାଯାଏ ।