ସିନାପାଲିକୁ ଏନ୍ଏସି ଘୋଷଣା ଦାବି ନେଇ ପ୍ରସ୍ତୁତି
ନୂଆପଡା : ସିନାପାଲି ଅଞ୍ଚଳର ବହୁ ଅପେକ୍ଷିତ ସିନାପାଲି ସହରକୁ ଏନ୍ଏସି ଘୋଷଣା ନେଇ ଗତ କିଛିଦିନ ହେଲା ଅଂଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଏନେଇ ନାନା ଆଶାଆଶଙ୍କା ପ୍ରକାଶ ପାଇଛି । ବିଶେଷ ସୂତ୍ର ଅନୁଯାୟୀ ବିଜେପି ସରକାରଙ୍କ ପ୍ରଥମ ପର୍ଯ୍ୟାୟ ଏନ୍ଏସି ତାଳିକା ଖୁବଶୀଘ୍ର ପ୍ରକାଶ ପାଇବାକୁ ଥିବା ବେଳେ, ଏଥିରେ ସିନାପାଲିର ନାଁକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପରେ ସ୍ଥାନୀୟ ନାଗରିକ କମିଟୀ ପକ୍ଷରୁ ଏନେଇ ଏକ ବୈଠକ କରାଯାଇଥିଲା । ବୈଠକର ନିଷ୍ପତ୍ତି କ୍ରମେ କମିଟିର ଏକ ପ୍ରତିନିଧି ଦଳ ନିକଟରେ ନୂଆପଡା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସବିଶେଷ ତଥ୍ୟ ନେବା ସହ ସିନାପାଲି ଏନ୍ଏସି ସମ୍ବନ୍ଧିତ ଆବଶ୍ୟକ ଜରୁରୀ ତଥ୍ୟ ତୁରନ୍ତ ବିଭାଗକୁ ପ୍ରେରଣ କରିବାକୁ ଅନୁରୋଧ କରିଥିଲେ । ଏହି ପ୍ରତିନିଧି ଦଳରେ ଡ. ଅରିଗଞ୍ଜନ ଯୋଷୀ, ଶଶିଭୂଷଣ ମାଝୀ, ଲିଙ୍ଗରାଜ ଘିଭେଲା, ସୁବ୍ରତ ଠାକୁର, ନନ୍ଦ ପାତ୍ର, ତ୍ରିନାଥ ମେହେର, ମନିଷ ପଟେଲ, ମଧୁସୂଦନ ମାଝୀ ରହିଥିବା ବେଳେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଉପସ୍ଥିତ ଥିଲେ । ଏହାପରେ ନାଗରିକ କମିଟୀର ଅଧ୍ୟକ୍ଷ ଡମ୍ବରୁଧର ମେହେରଙ୍କ ସଭାପତିତ୍ୱରେ ଏକ ସଭା କରାଯାଇ ଖୁବଶୀଘ୍ର ବିଭାଗୀୟ ମଂତ୍ରୀ ଓ ସଚିବଙ୍କୁ ଏ ନେଇ ସାକ୍ଷାତ କରିବାକୁ ସ୍ଥିର କରାଯାଇଛି । ସଭାରେ ବୈଶମ୍ପାୟନ ମେହେର, ନୀଳମଣି ମେହେର, ଶଶିଭୂଷଣ ମାଝୀ, ନାରାୟଣ ପାତ୍ର, ସୁବ୍ରତ ଠାକୁର, ଲିଙ୍ଗରାଜ ଘିଭେଲା, ନନ୍ଦକୁମାର ପାତ୍ର, ମନିଷ ପଟେଲ, ତ୍ରିନାଥ ମେହେର, ମଧୁସୂଦନ ମାଝୀ, ବୈଷ୍ଣବ ମେହେର, ଲମ୍ବୋଦର ମାଝୀ, କୈଲାସ ଜଗତ, ଚଂଦ୍ର ଶେଖର ମେହେର, ପିତାମ୍ବର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ବହୁ ବର୍ଷ ହେଲା ଅନେକ ଅନୁଷ୍ଠାନ ଦ୍ୱାରା ବିଭିନ୍ନ ମାଧ୍ୟମରେ ସିନାପାଲିକୁ ଏନ୍ଏସି ପାଇଁ ଦାବି କରାଯାଉଥିବା ବେଳେ, ଗତ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ବିଜେଡି ସରକାର ରାଜ୍ୟର ଅନ୍ୟ ସହର ସମେତ ସିନାପାଲିକୁ ଏନ୍ଏସି କରାଯିବାର ଏକ ତାଳିକା ଘୋଷଣା କରିଥିଲେ । ଯୋଗ୍ୟତା ଅନୁଯାୟୀ ବର୍ତ୍ତମାନର ସରକାର ପ୍ରଥମ ପର୍ଯାୟରେ ସିନାପାଲିକୁ ଏନ୍ଏସି ମାନ୍ୟତା ଦେବାକୁ ଦାବି ହେଉଛି ।