ଖଣି ଅଞ୍ଚଳରେ ମିଳିତ ଚଢଉ: ରଗଦା ଡ୍ୟାମ ତଳୁ ବିପୁଳ ପରିମାଣର ଦେଶୀ ମଦ ଜବତ
କାଳିଆପାଣି : ବୁଧବାର ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ଉପାନ୍ତ ଅଞ୍ଚଳର ରଗଦା ଡ୍ୟାମ ନିକଟରୁ ବିପୁଳ ପରିମାଣର ଦେଶୀ ମହୁଲି ମଦ ଏବଂ ପୋଚ ଜବଦ ହୋଇଛି । କାଳିଆପାଣି ଖଣି ଅଞ୍ଚଳରେ ଏହା ପୂର୍ବରୁ ଏକା ବେଳେ ଗୋଟିଏ ଦିନରେ ଏତେ ପରିମାଣରେ କେବେ ବି ଦେଶୀ ମହୁଲି ମଦ ଏବଂ କଞ୍ଚା ମହୁଲ ପୋଚ ଜବଦ କରାଯାଇ ନଥିଲା । ଆଜି ଢେଙ୍କାନାଳ ଜିଲା କାମାକ୍ଷାନଗର ସବ୍ଡ଼ିଭିଜନର ଉପଜିଲାପାଳ ତଥା ଏକ୍ଜୁଟିଭ ମାଜିଷ୍ଟ୍ରେଟ କମଳା ମଲ୍ଲିକ ଏବଂ କାମାକ୍ଷାନଗର ରେଞ୍ଜ, ଡେପୁଟି ସୁପରିଟେଣ୍ଡେଂଟ ଶାୱନ କୁମାର ଭୋଳ ଏହାର ନେତୃତ୍ୱ ନେଇଥିଲେ । ଆଜି ଭୋର ସକାଳୁ ଢେଙ୍କାନାଳ ଜିଲାର ୪ଟି ଥାନା ଅଧିନରେ ଥିବା ଅବକାରୀ ବିଭାଗ ଯଥା କାମାକ୍ଷାନଗର, ଭୁବନ, ପରଜଙ୍ଗ ଏବଂ ତୁମୁସିଙ୍ଗା ସେକ୍ସନର ଅଧିକାରୀ ଓ ଶତାଧିକ ଅବକାରୀ ବିଭାଗର ସଶସ୍ତ୍ର କନେଷ୍ଟବଳ, ମହିଳା ପୁଲିସ ଏଥିରେ ସାମିଲ ଥିଲେ । ଅବକାରୀ ବିଭାଗର ଅଚାନକ ଚଢାଉ ସମୟରେ ରଗଦା ଡ୍ୟାମ ବନ୍ଧ ତଳେ ସ୍ଥାନୀୟ ଅଞ୍ଚଳର ଲୋକମାନେ ବିପୁଳ ପରିମାଣର ମହୁଲି ମଦ ରାନ୍ଧୁ ଥିବାର ଦେଖିବାକୁ ପାଇଥିଲେ । ପୁଲିସ ଉକ୍ତ ସ୍ଥାନକୁ ପହଁଚିବା ପୂର୍ବରୁ ମଦ ରାନ୍ଧୁଥିବା ଲୋକମାନେ ସେଠାରୁ ଖସି ପଳାଇଥିଲେ । ତେବେ ସେମାନେ ରାନ୍ଧୁଥିବା ୪୦୦୦ଲିଟର ମହୁଲି ମଦ, ୩୦୦୦ଲିଟର ମହୁଲି ପୋଚ, ୬୦ଟି ସିଲଭର ଡ଼େକଚି, ୧୦୦ଗୋଚ୍ଛା ଜାଳେଣି କାଠ ସେଠାରୁ ଜବଦ ହୋଇଥିଲା । ଏଠାରେ ସ୍ମରଣ ଥାଉକି ଗତ ୨୦୨୩ ମସିହାରେ ଅଭିଯୋଗ ପାଇ କଙ୍କଡ଼ାହାଡ଼ ଥାନା ଅଧିକାରୀ ଉକ୍ତ ସ୍ଥାନକୁ ଚଢ଼ଉ ପାଇଁ ଆସି ମଦ ରାନ୍ଧୁଥିବା ଲୋକ ମାନଙ୍କ ଆକ୍ରମଣର ଶିକାର ହୋଇଥିଲେ । ତେବେ ଚଳିତ ଥର ଏଠାରେ ଏକ ବଡ଼ ଧରଣର ଧରପଗଡ଼ ହୋଇଛି । ଯାହା ସମଗ୍ର ଖଣି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଦୀର୍ଘ ୨୦ବର୍ଷଠାରୁ ଉର୍ଦ୍ଧ ହେବ ଉକ୍ତ ରଗଦା ଡ୍ୟାମ ଏବଂ ଏହାର ପାର୍ଶ୍ୱବର୍ତୀ ଗାଁ ଗୁଡିକର ଲୋକମାନେ ନିର୍ଦ୍ୱନ୍ଦରେ ମହୁଲି ମଦ ରାନ୍ଧି ନିକଟରେ ଥିବା କାଳିଆପାଣି ଖଣି ଅଞ୍ଚଳର ବିଭିନ୍ନ ବସ୍ତି, କଳିଙ୍ଗନଗର, ଟମକା, ଭୁବନ, କଙ୍କଡ଼ାହାଡ଼ ଏବଂ ସୁକିନ୍ଦା ଆଦି ଅଞ୍ଚଳକୁ ଚୋରା ଚାଲାଣ କରାଯାଉଥିଲା । ଅଭିଯୋଗ ଏନେଇ ବିଭିନ୍ନ ଗଣମାଧ୍ୟମରେ ବହୁବାର ଖବର ପ୍ରକାଶିତ ହୋଇଆସୁଛି । ଶେଷରେ ଅତି ଅତିଷ୍ଠ ହୋଇ ସେଇ ଅଞ୍ଚଳର ମହିଳା ମାନେ ସାମୂହିକ ଭାବେ ଯାଜପୁର ଜିଲାପାଳ ଏବଂ ଢେଙ୍କାନାଳ ଜିଲାପାଳଙ୍କ ସମେତ ଅବକାରୀ ବିଭାଗକୁ ଅନେକବାର ଲିଖିତ ଅଭିଯୋଗ କରିଥିଲେ । ଯାହାକୁ ଆଜି ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ସ୍ୱରୂପ ଏଠାରେ ଚଢଉ କରି ଏକ ଭଲ ପଦକ୍ଷେପ ନେଇଥିଲେ । ଏଠାରେ ଅବକାରୀ ବିଭାଗର ଚଢ଼ଉ ସମୟରେ ସ୍ଥାନୀୟ ଅଞ୍ଚଳର ଶହଶହ ମହିଳା ଉପସ୍ଥିତ ରହି ସହଯୋଗ କରିଥିଲେ । ଅବକାରୀ ବିଭାଗର ଇନିସପେକ୍ଟର ପ୍ରକାଶ କୁମାର ସାହୁ, ସବ ଇନିସପେକ୍ଟର ସୌରଭ କୁମାର ମିଶ୍ର, ଓଆଇସି ଦୀପଦ୍ୱତନ ବିଶ୍ୱାଳ, ବାସନ୍ତୀ ବାକଲି, ପ୍ରକାଶ କୁମାର ନାୟକ, ବୁଲୁ ପାତ୍ର, ଏଏସଆଇ ସନାତନ ବେହେରା, ପ୍ରକାଶ କୁମାର ରାଉତ, ବିଜନ କୁମାର ସାହୁଙ୍କ ସମେତ ଦୁଇଜଣ ହାବିଲଦାର, ୫ଜଣ ସିପାହିଙ୍କ ସମେତ ଶତାଧିକ କନେଷ୍ଟବଳ ଚଢାଉରେ ସାମିଲ ଥିଲେ ।