ଖଣ୍ଡଗିରି ପୁଲିସ ଜାଲରେ ଏଟିଏମ ଲୁଟେରା


ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରି କରୁଥିଲା ଟଙ୍କା ହଡ଼ପ
ଭୁବନେଶ୍ୱର, ୭ା୧୧ : ଗୁରୁବାର ଖଣ୍ଡଗିରି ଥାନା ପୁଲିସ ଜଣେ କୁଖ୍ୟାତ ଏଟିଏମ ଠକକୁ ଅଟକ ରଖିଥିବା ଜଣାପଡ଼ିଛି । ଗିରଫ ଠକ ନାମ ହେଉଛି ସମ୍ଭବ ଆଚାର୍ଯ୍ୟ ଓ ତା ଘର ସ୍ଥାନୀୟ ଥାନା ଅନ୍ତର୍ଗତ ରିଜା ଭେଲ୍ଲିରେ ରହୁଥିବା ଜଣାପଡ଼ିଛି । ସମ୍ଭବ ନାମରେ ଖଣ୍ଡଗିରି ଓ ଭରତପୁର ଥାନାରେ ଏକାଧିକ ଏଟିଏମ ଠକେଇ ମାମଲା ରହିଥିବା ବେଳେ ସେ ସ୍ଥାନୀୟ ଅଞ୍ଚଳର ଏକାଧିକ ଏଟିଏମରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ସମ୍ଭବ ଆପାର୍ଟମେଣ୍ଟରେ ରହିବା ସହ ବେଶ ସାମ୍ଭାନ୍ତ୍ୟ ଚଳଣିରେ ବଞ୍ଚୁଥିଲା । ତେବେ ସେ ଅତି ଚତୁର ଭାବେ ବିଭିନ୍ନ ଏଟିଏମ ନିକଟରେ ଖଟି କରିବା ସହ ଏଟିଏମ ଭିତରକୁ ଟଙ୍କା ଉଠାଣ ପାଇଁ ଯାଉଥିବା ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରୁଥିଲା । ବରିଷ୍ଠ ନାଗରିକ ଜଣଙ୍କ ଏଟିଏମରେ ପଶିବା ମାତ୍ରେ ସମ୍ଭବ ତାଙ୍କ ପଛେ ପଛେ ଏଟିଏମକୁ ପ୍ରବେଶ କରି ତାଙ୍କୁ ଟଙ୍କା ଉଠାଣର ସାହାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଉଥିଲା । ପରେ ସେମାନଙ୍କର ଏଟିଏମ ନେଇ ଟଙ୍କା ଉଠାଣ ବାହାନାରେ ପ୍ରଥମେ ପାର୍ସୱାଡଟିକୁ ପଚାରି ବୁଝୁଥିଲା । ପରେ ବରିଷ୍ଠ ନାଗରିକଙ୍କ ସରଳତାର ସୁଯୋଗ ନେଇ ନିଜ ପାଖରେ ପୂର୍ବରୁ ରଖିଥିବା ପୁରୁଣା ଏଟିଏମ କାର୍ଡ ସେମାନଙ୍କୁ ଦେବା ସହ ଏଟିଏମରୁ ଟଙ୍କା ବାହାରୁ ନଥିବା କହି ବରିଷ୍ଠ ନାଗରିକଙ୍କୁ ଅନ୍ୟ ଏଟିଏମକୁ ପଠାଇ ଦେଉଥିଲା । ପରେ ନିଜ ପାଖରେ ରଖିଥିବା ଏଟିଏମ କାର୍ଡ ମାଧ୍ୟମରେ ସମସ୍ତ ଟଙ୍କା ଉଠାଣ କରି ନେଉଥିଲା ଠକ । ଏହିଭଳି ଏକ ଠକେଇର ଶିକାର ହେବା ପରେ ଗତ କିଛିଦିନ ତଳେ ଖଣ୍ଡଗିରି ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ସମ୍ଭବକୁ ଖଣ୍ଡଗିରି ଥାନା ପୁଲିସ ଉଠାଇ ଆଣିଥିବା ଜଣାପଡ଼ିଛି ।