ରାସ୍ତାରେ ଧାନ ପୋତିଲେ ଲୋକେ

ଯାଜପୁର : ବର୍ଷାରେ ବେହଲା ହୋଇପଡ଼ିଲା ରାସ୍ତା । କାଦୁଅରେ ଭର୍ତ୍ତି ହୋଇଗଲା । ଯାହା ଚାଲିବା ଅନୁପଯୁକ୍ତ ହୋଇପଡ଼ିଲା । ପୂର୍ତ୍ତ ବିଭାଗର ଦୃଷ୍ଟି ଆକର୍ଷଣ ପରେ ବି ରାସ୍ତା ମରାମତି କରାଗଲାନି । 
ଫଳରେ ଅସନ୍ତୁଷ୍ଟ ଲୋକେ ପୂର୍ତ୍ତ ବିଭାଗ ଅଧିନ ସୁକିନ୍ଦା-ହାତିବାରୀ ଗ୍ରାମର ଏଟିଏମ୍ ଛକ ନିକଟରେ ଧାନଗଛ ପୋତିଥିଲେ । ଯୋଉ ସ୍ଥାନରେ ରାସ୍ତାଟି ସଂପୁର୍ଣ୍ଣ ଭାଙ୍ଗିରୁଜି ଯାଇ ଗାଡ ହୋଇଛି । ଖବର ଅନୁଯାଇ ପୂର୍ବ ସରକାର ସମୟରେ ୧୦କିଲୋମିଟର ଦୈଘ୍ୟ ବିଶିଷ୍ଟ ସୁକିନ୍ଦା-ହାତିବାରୀ ରାସ୍ତାକୁ ପୁର୍ତ ବିଭାଗ ଅଧିନକୁ ଅଣାଯାଇ ଚଉଡା ରାସ୍ତା ନିର୍ମାଣ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ରାସ୍ତାଟି ଉପରେ ପୁର୍ତ ବିଭାଗ ଆଦୌ ଦୃଷ୍ଟି ନଦେବାରୁ ବିଭିନ୍ନ ସ୍ଥାନରେ ଖାଲଖମାରେ ପରିଣତ ହୋଇଥିଲା । ଯାହା ମରାମତି କରିବାକୁ ଲୋକମାନେ ବାରମ୍ବାର ଦାବି କରି ଆସୁଥିଲେ । ଯେହେତୁ ଏହି ସ୍ଥାନଟି ଗ୍ରାମର ମୁଖ୍ୟ ପ୍ରବେଶ ପଥ ଭାବରେ ବ୍ୟବହାର ହୋଇଥାଏ ତେଣୁ ଏହାର ମରାମତି ନହେବାରୁ ଲୋକେ ଗାଁରୁ ବାହାରିବା ଅସମ୍ଭବ ହୋଇ ପଡିଥିଲା । ତେଣୁ ଗ୍ରାମବାସି ଏବଂ ବାପୁଜୀ ଯୁବକ ସଂଘର କର୍ମକର୍ତ୍ତା ମିଳିତ ଭାବରେ ମୋରମ ପକାଇ ମରାମତି କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେଥିରେ ବର୍ଷା ଜଳ ଜମି ରହି ଆଣ୍ଠୁଏ ଲେଖାଏଁ କାଦୁଅ ପଙ୍କ ହୋଇ ଯିବାରୁ ରାସ୍ତା ପାର ହେବା ଅସମ୍ଭବ ହୋଇ ପଡିଥିଲା । ଯାହାକୁ ନେଇ ଅସନ୍ତୁଷ୍ଟ ଗ୍ରାମବାସି ଏଭଳି ଅଭିନବ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଏନେଇ ପୂର୍ତ୍ତ ବିଭାଗର ଏସ୍ଡିଓ ଦିଲ୍ଲୀପ୍ କୁମାର ନାୟକଙ୍କୁ ପଚାରିବାରୁ ଏହି ରାସ୍ତା ପାଇଁ ସରକାରଙ୍କ ପାଖକୁ ପ୍ରସ୍ତାବ ଯାଇଛି ଆଲଟ୍ମେଣ୍ଟ ଆସିବା ପରେ କାର୍ଯ୍ୟ କରାଯିବ ବୋଲି କହିଥିଲେ ।