ଖାଉଟି ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପୌରସଂସ୍ଥାକୁ ୨୦ ଲକ୍ଷ କ୍ଷତିପୂରଣ ନିଦେ୍ର୍ଦଶ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଖାଉଟି ଅଦାଲତର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପଣ୍ଡା ଓ ସଦସ୍ୟା ସଲମା ବାନୋଙ୍କ ଖଣ୍ଡପୀଠ ନବରଙ୍ଗପୁର ପୌରସଂସ୍ଥାର ଦୋକାନ ଗୃହ ଆବଣ୍ଟନରେ ଅନିୟମିତତା ଅଭିଯୋଗର ବିଚାର କରି ୪ ଜଣ ଅଭିଯୋଗକାରୀଙ୍କୁ ପ୍ରତ୍ୟେକ ୫ ଲକ୍ଷ ଟଙ୍କା କିମ୍ବା ଯଥା ଶୀଘ୍ର ୪ ଟି ଦୋକାନ ଗୃହ ଯଥାଶୀଘ୍ର ଦେବା ପାଇଁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଆଇନଜୀବୀ ରାମ ପ୍ରସାଦ ପାତ୍ର ଅଭିଯୋଗକାରୀଙ୍କ ତରଫରୁ ଏହି ମାମଲା ପରିଚାଳନା କରିଥିଲେ । ମାମଲା ଅନୁଯାୟୀ ୪ ଜଣ ଆବେଦନକାରୀ ଗତ ୨୦୧୫ ମସିହାରେ ପୌରସଂସ୍ଥାର ବିଜ୍ଞାପନ ଅନୁସାରେ ଅଗ୍ରୀମ ୧୦, ୦୦୦/- ଟଙ୍କା ପଇଠ କରି ଦୋକାନ ଗୃହ ପାଇଁ ବାରମ୍ବାର ଅଫିସ ଦୌଡ଼ିଥିଲେ ମଧ୍ୟ ପୌର କର୍ତ୍ତୃପକ୍ଷ ଦୀର୍ଘ ୯ ବର୍ଷ ବିତିଯାଇଥିଲେ ମଧ୍ୟ ଦୋକାନ ଗୃହ ଦେଇନଥିଲେ । ବିଜ୍ଞାପନ ଅନୁସାରେ ପୌରପାଳିକା କାର୍ଯ୍ୟାଳୟ ନିକଟରେ, ନୂଆ ବସ୍ ଷ୍ଟାଣ୍ଡରେ ଓ ଜୀବନ ବୀମା କାର୍ଯ୍ୟାଳୟ ନିକଟରେ ଦୋକାନ ଗୃହ ନିର୍ମାଣ ପାଇଁ ଖାଲି ସ୍ଥଳ କିମ୍ବା ଖାଲି ଥିବା ଦୋକାନ ଗୃହ ମଧ୍ୟରୁ ପୌରସଂସ୍ଥା କାର୍ଯ୍ୟାଳୟ ନିକଟର ଦୋକାନ ଗୃହ ପାଇଁ ଶରତ କୁମାର ଦାଶ ଆବେଦନ କରିଥିଲେ । ଅନ୍ୟ ଜଣେ ଆବେଦନକାରୀ ଶୁଭେନ୍ଦୁ ନାୟକଙ୍କ ଆବେଦନର ଏକ ମାସ ମଧ୍ୟରେ ଦେହାନ୍ତ ହୋଇଯିବାରୁ ତାଙ୍କ ସ୍ତ୍ରୀ ଅଞ୍ଜୁଶ୍ରୀ ସାହୁ ଦୋକାନ ଗୃହ ପାଇଁ ବାରମ୍ବାର ଅଫିସ ଯାଇଥିଲେ ମଧ୍ୟ ତାଙ୍କ ଅନୁରୋଧକୁ ପୌର କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇନଥିଲେ । ସେହିଭଳି ଦେବୀ ପ୍ରସାଦ ପଟ୍ଟନାୟକ ଓ ୟୁ. ଅରୁଣ କୁମାର ପୌରସଂସ୍ଥା କାର୍ଯ୍ୟାଳୟ ନିକଟର ଦୋକାନ ଗୃହ ପାଇଁ ଆବେଦନ କରିଥିଲେ । ଆବେଦନକାରୀ ମାନେ ଦୋକାନ ଗୃହ ପାଇଁ ଅନେକ ଥର ଲିଖିତ ଅନୁରୋଧ ପତ୍ର ପୌରସଂସ୍ଥା କାର୍ଯ୍ୟାଳୟରେ ଦାଖଲ କରିଥିଲେ ମଧ୍ୟ ସେମାନଙ୍କ ଅନୁରୋଧ କୁ କୌଣସି ଗୁରୁତ୍ୱ ନଦେବା ଯୋଗୁଁ ଆବେଦନ କାରୀ ମାନେ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ ।
ଅଭିଯୋଗ ଅନୁଯାୟୀ ଦୀର୍ଘ ୯ ବର୍ଷ ମଧ୍ୟରେ ଅନ୍ୟମାନଙ୍କୁ ଦୋକାନ ଗୃହ ପ୍ରଦାନ କରିଥିଲେ ମଧ୍ୟ ଆବେଦନକାରୀ ମାନେ ଅଗ୍ରୀମ ରାଶି ପଇଠ କରିଥିବା ସତ୍ତ୍ୱେ ସେମାନଙ୍କୁ କୌଣସି ଦୋକାନ ଗୃହ ଦେଇନଥିଲେ କି ସେମାନଙ୍କ ଅଗ୍ରୀମ ଟଙ୍କା ମଧ୍ୟ ଫେରସ୍ତ କରି ନଥିଲେ । ଏପରିକି ଖାଉଟି ଅଦାଲତର ନୋଟିସ୍ ପାଇବା ପରେ ମଧ୍ୟ ପୌର କର୍ତ୍ତୃପକ୍ଷ ଅଦାଲତରେ ହାଜର ହୋଇନଥିଲେ କି ତାଙ୍କ ର କୌଣସି ପକ୍ଷ ରଖିନଥିଲେ । ପୌରସଂସ୍ଥାର ଏଭଳି ବେଆଇନ କାର୍ଯ୍ୟ ଯୋଗୁଁ ଓ କାର୍ଯ୍ୟରେ ଅବହେଳା ଯୋଗୁଁ ଆବେଦନକାରୀ ମାନେ ନିଜ ଜୀବିକା ହରାଇ ଗଭୀର ମାନସିକ ଚାପ ଓ ଆର୍ଥିକ କ୍ଷତି ସହିଥିବାରୁ ଏଥିପାଇଁ ଯଥାଶୀଘ୍ର ଏକ ଦୋକାନ ଗୃହ ଯୋଗାଇବା ପାଇଁ, ପଇଠ କରିଥିବା ଅଗ୍ରୀମ ଟଙ୍କା ଫେରାଇବା ପାଇଁ ଓ ୧୬, ୫୦, ୦୦୦/- ଟଙ୍କା କ୍ଷତିପୂରଣ ବାବଦକୁ ଦେବା ପାଇଁ ପ୍ରାର୍ଥନା କରିଥିଲେ । ଏହି ମାମଲାର ବିଚାର କରି ଖାଉଟି ଅଦାଲତ ୪ ଜଣ ଆବେଦନକାରୀଙ୍କୁ ଯଥାଶୀଘ୍ର ଉପଯୁକ୍ତ ସ୍ଥାନରେ ଦୋକାନ ଗୃହ ଯୋଗାଇ ଦେବା ପାଇଁ କିମ୍ବା ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଦେବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଏକ ମାସ ମଧ୍ୟରେ ଦୋକାନ ଗୃହ କିମ୍ବା କ୍ଷତିପୂରଣ ରାଶି ପ୍ରଦାନ ନକଲେ ବାର୍ଷିକ ୧୨% ସୁଦ୍ଧ ସହ ଦେବାକୁ ପଡ଼ିବ ବୋଲି ନିଦେ୍ର୍ଦଶନାମାରେ ସ୍ପଷ୍ଟ କରାଯାଇଛି । ଏହି ନିଦେ୍ର୍ଦଶର ଅବମାନନା କଲେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଖାଉଟି ଅଦାଲତ ସ୍ପଷ୍ଟ କରିଛନ୍ତି ।