ଖୁଣ୍ଟ ଅଛି, ଲାଇଟ୍ ନାହିଁ ଅନ୍ଧାରରେ କଳିଙ୍ଗନଗର କରିଡ଼ର; ଜେସିଡିଏଲକୁ ଅଭାବ ପଡ଼ିଲା ଲାଇଟ୍
ଯଖପୁରା : କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅନେକ କାରଖାନା ରହିଛି । କାରଖାନା ପ୍ରତିଷ୍ଠା ହେଲା ପରେ ପାରିପାର୍ଶ୍ୱିକ ଉନ୍ନତି କରିବା ସମସ୍ତ କାରଖାନାର ଦାୟିତ୍ୱ। କାରଣ କାରଖାନା ପ୍ରତିଷ୍ଠା କରିବା ପୂର୍ବରୁ ପରିବେଶ ମଞ୍ଜୁରୀ ପୂର୍ବରୁ ସେମାନେ ଏହାକୁ ନିଜର ଦାୟିତ୍ୱ ବୋଲି କହି ଜନଶୁଣାଣୀରେ କାରଖାନା ନିର୍ମାଣ ପାଇଁ ଅନୁମତି ନେଇଥାନ୍ତି । ପୁଣି କାରଖାନା ନିର୍ମାଣ କରିବା ପାଇଁ ସରକାରଙ୍କ ସହିତ ହେଉଥିବା ଚୁକ୍ତି ପତ୍ରରେ ଏଥିପାଇଁ ଲିଖିତ ପ୍ରତିଶ୍ରୁତି ରହିଥାଏ ।
କାରଖାନା ନିର୍ମାଣ ପରେ ପାରିପାର୍ଶ୍ୱିକ ଉନ୍ନତି କରିବା ଯେମିତିକି ପାନୀୟ ଜଳ ବ୍ୟବସ୍ଥା କରିବା, ରାସ୍ତା ଘାଟର ଉନ୍ନତି କରଣ କରିବା,ରାସ୍ତାରେ ଆଲୋକୀକରଣ କରିବା ମୋଟ ଉପରେ ସ୍ଥାନୀୟ ଅସୁବିଧାକୁ ଗୁରୁତ୍ୱ ଦେବା ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି । ମାତ୍ର କାରଖାନା ନିର୍ମାଣ ହେଲା ପରେ ସବୁ ପ୍ରତିଶ୍ରୁତି ଯେମିତି ପାଣିର ଗାର ସଦୃଶ । ଲୋକମାନଙ୍କର ସମସ୍ୟା ପ୍ରତି କାରଖାନା ସବୁ ଆଖି ମୁଜି ଦେଉଛନ୍ତି । ସାଧାରଣ ଲୋକଙ୍କର ମୌଳିକ ସମସ୍ୟାକୁ ମଧ୍ୟ ଗୁରୁତ୍ୱ ଦେଉ ନାହାନ୍ତି । ଜେସିଡିଏଲ ନିକଟରେ କଳିଙ୍ଗନଗରର ସମସ୍ତ କାରଖାନା ଅର୍ଥ ପଇଠ କରିଥାନ୍ତି ପାରିପାର୍ଶ୍ୱିକ ଉନ୍ନତି କରିବା ପାଇଁ । ଜେସିଡିଏଲ ମଧ୍ୟ ଏହି ଅର୍ଥରେ ସାଧାରଣ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ପ୍ରୟାସ କରୁଛି ବୋଲି କହୁଥାଏ । ମାତ୍ର ବାସ୍ତବ କ୍ଷେତ୍ରରେ ସାଧାରଣ ଲୋକଙ୍କ ସମସ୍ୟା ଦୂର ହେଉନଥିବା ପରି ଅନୁଭୂତ ହୁଏ । ରାତ୍ରି ସମୟରେ ଲୋକମାନଙ୍କ ସୁବିଧା ପାଇଁ କଳିଙ୍ଗନରର ଶିଳ୍ପାଞ୍ଚଳ ରାସ୍ତା ସବୁରେ ଆଲୋକର ବ୍ୟବସ୍ଥା କରାଯାଇଛି । ରାସ୍ତା ପାର୍ଶ୍ୱରେ ଆଲୋକ ପାଇଁ ଲାଇଟ୍ ସବୁ ଲାଗିଥିବାର ବ୍ୟବସ୍ଥା ହୋଇଛି । ମାତ୍ର ଲାଇଟ୍ ସବୁକୁ ଦେଖିଲେ ତାହା କେତେ କାର୍ଯ୍ୟ କରୁଛି ଅନୁମେୟ । ରାସ୍ତା କଡ଼ରେ ଲାଇଟ୍ ପାଇଁ ଖୁଣ୍ଟ ସବୁ ଅଛି ମାତ୍ର ଖୁଣ୍ଟ ଉପରେ ଆଲୋକ ପାଇଁ ଲାଇଟ୍ ବଲବ୍ ନଥିବାର ଦେଖିବାକୁ ମିଳିଛି । ଶହ ଶହ ଖୁଣ୍ଟ ସବୁ ଛିଡା ହୋଇଛି, କିନ୍ତୁ ଲାଇଟ୍ ଖୁଣ୍ଟରେ ବଲବ ନାହିଁ । ନାମକୁ ମାତ୍ର ଖାତାରେ ଲାଇଟ୍ ଲାଗିଛି । ମାସମାସ ଧରି ରାସ୍ତା କଡ଼ରେ ବ୍ୟବସ୍ଥା ହୋଇଥିବା ଖୁଣ୍ଟରେ ଲାଇଟ୍ ଜଳୁ ନାହିଁ । ଠାଏ ଠାଏ ସ୍ଥାନରେ ଲାଇଟ୍ ଜଳୁଛି ତ ଅନ୍ୟ ସ୍ଥାନରେ ଲାଇଟ୍ ଜଳୁନହିଁ । ଫଳରେ ସଂଜ ହେଲେ କଳିଙ୍ଗନଗର କରିଡ଼କୁ ଅନ୍ଧାର ମାଡ଼ିଆସୁଛି । ଫଳରେ ଛୋଟ ମୋଟ ଦୁର୍ଘଟଣା ଘଟୁଛି । ରାସ୍ତା କଡ଼ରୁ ଚୋରି ଡକାୟତି ହେଉଛି; ଛିନତାଇ ବଢୁଛି । ପଙ୍କପାଳ ଠାରୁ ଆରମ୍ଭ କରି ଭିସା କାରଖାନା ପର୍ଯ୍ୟନ୍ତ ପୁଣି ଦଶମାଣିଆ ଛକ ଠାରୁ ବିଆରପିଏଲ ଛକ ପର୍ଯ୍ୟନ୍ତ କେଉଁଠି ଲାଇଟ୍ ଜଳୁଛି ତା କେଉଁଠି ଲାଇଟ୍ ଜଳୁ ନାହିଁ । ପୁଣି ଯଖପୁରା ଥାନା ନିକଟରୁ ରୋହିତ କାରଖାନା ପର୍ଯ୍ୟନ୍ତ ରାସ୍ତା କଡ଼ରେ ଖୁଣ୍ଟ ଅଛି ମାତ୍ର ଲାଇଟ୍ ବାଲବ୍ ନାହିଁ । ଫଳରେ ସାଧାରଣ ଲୋକଟିଏ କାରଖାନାକୁ ସଂଲଗ୍ନ ଥିବା ରାସ୍ତାରେ ଯିବାକୁ ଭୟ କରୁଛି । ଏଥିପାଇଁ ହୋଇଥିବା ବ୍ୟବସ୍ଥା ପୁରା ଫେଲ ମାରୁଛି । ଏଠି ପ୍ରଶ୍ନ ଉଠୁଛି ରାସ୍ତାକୁ ଅଲୋକିକରଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ଅଥବା ଟଙ୍କା ସବୁ ପାଣିରେ ପଡୁଛି । ସାଧାରଣ ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟରେ ଲାଗୁ ନାହିଁ । ତେବେ ରାସ୍ତାର ଆଲୋକୀକରଣ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ଯାଉଛି କୁଆଡେ ବୋଲି ସାଧାରଣରେ ପ୍ରଶ୍ନଉଠିଛି । ଏହାକୁ ନେଇ ଜେସିଡିଏଲ ସହିତ ଯୋଗାଯୋଗ କରିବାରୁ କହୁଛନ୍ତି ଆମେ ଦେଖୁଛୁ କଣ ହେଉଛି । ଜେସିଡିଏଲ ଅଧିକାରୀ କହିଛନ୍ତି କି ଯେହେତୁ ଗୋପବନ୍ଧୁ ମାର୍ଗରୁ ଲାଇଟ୍ ପାଇଁ ଯାଇଥିବା କେବୁଲ ଚୋରି ହୋଇଯାଇଛି । ଫଳରେ ଅନ୍ୟତ୍ର ଲାଇଟ୍ ଖୁଣ୍ଟରେ ବଲବ ନଥିଲା କେବୁଲ୍ ନଥିବା ଖୁଣ୍ଟରୁ ବଲବ ନେଇ ଅନ୍ୟତ୍ର ଲଗାଯାଇଛି । କଥା ପଡ଼ିଛି ଜେସିଡିଏଲକୁ ବଲବ ଅଭାବ ଏମିତି ପଡ଼ିଲା କି ସେ ଖୁଣ୍ଟରେ ଲାଗିଥିବା ବଲବ ଖୋଲି ଅନ୍ୟ ଲାଇଟ୍ ଖୁଣ୍ଟରେ ଲଗାଉଛନ୍ତି । ଯଥା ଶୀଘ୍ର ତାର ମରାମତି କରାଯିବ ବୋଲି ଜେସିଡିଏଲ କର୍ମଚାରୀ କହିଛନ୍ତି ।