ଫଟୋ ପ୍ରଦର୍ଶନୀ ପାଇଁ ସିକିମ ଗଲେ ରିତିକ୍ ଆଦିତ୍ୟ
ଯାଜପୁର : ସିକିମ ରାଜ୍ୟର ୫୦ବର୍ଷ ପୂର୍ତି ଉପଲକ୍ଷେ ପାଳିତ ହେବାକୁ ଥିବା ଜାତୀୟ ସ୍ତରର ଫଟୋ ପ୍ରଦର୍ଶନୀରେ ଭାଗ ନେବେ ଓଡ଼ିଶାର ଯୁବ ଆର୍ଟିଷ୍ଟ ରିତିକ ଆଦିତ୍ୟ ଜେନା । ଏଥିନିମନ୍ତେ ଗ୍ୟାଙ୍ଗଟନ ଯାତ୍ରା କରିଛନ୍ତି ରିତିକ ଆଦିତ୍ୟ । ୫୦ବର୍ଷର ସୁନାର ସିକ୍କିମ ସମର୍ଥ ଓ ସମୃଦ୍ଧ ପାଳନ ଉପଲକ୍ଷେ ସିକ୍କିମ ରାଜ୍ୟର ବୈଭବମୟ ଅସ୍ମିତା, ଐତିହାସିକ ସାଂସ୍କୃତିକ,ବିକାଶଧାରା ସାଂପ୍ରତିକ ଦୃଶ୍ୟ ପଟ୍ଟ ପରିବର୍ତନ, ଲୋକକଳା-ଲୋକ ସଂସ୍କୃତି-ଲୋକ ଚଳଣୀ, ପରମ୍ପରା, ପର୍ଯ୍ୟଟନ ବିକାଶ, କଳା ସ୍ଥାପତ୍ୟକୁ ନେଇ ୪ଟି ବିଭାଗରେ ବିଭକ୍ତ କରି ଫଟୋ ଗ୍ରାଫି ପ୍ରଦର୍ଶିତ ହେବ । ସେବେକାର ସିକ୍କିମ ଏବଂ ଏବେକାର ସିକ୍କିମକୁ ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଦେଶର ବିଭିନ୍ନ ରାଜ୍ୟରୁ ବଛା ବଛା ଆର୍ଟିଷ୍ଟିକ୍ ବିଭିନ୍ନ ବିଭାଗର କଳାକାର ମାନଙ୍କୁ ବିଭିନ୍ନସ୍ତରରୁ ଚୟନ କରି ଜାତୀୟ ସ୍ତରର ପ୍ରଦର୍ଶନୀ-ସାଂସ୍କୃତିକ ମିଳନ-୨୦୨୫ ମାଧ୍ୟମରେ ସମର୍ଥ ସିକ୍କିମ ସମୃଦ୍ଧ ସିକ୍କିମର ବାର୍ତା ଦେଶର ଯୁବ କଳାକାରଙ୍କ ଦ୍ୱାରା ଆୟୋଜନ କରାଯାଇଛି । ଏହି ମର୍ଯ୍ୟାଦାଜନକ ଜାତୀୟସ୍ତରର କାର୍ଯକ୍ରମକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିବାବେଳେ, ଏହା ଏକବର୍ଷ ଧରି ବିଭନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନର ବ୍ୟବସ୍ଥା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସିକ୍କିମର ଏହି କାର୍ଯ୍ୟକ୍ରମରେ ଭାଗନେବାକୁ ଓଡ଼ିଶାରୁ ୩ଜଣ ଯୁବ କଳାକାରଙ୍କୁ ଚୟନ କରାଯାଇଥିବାବେଳେ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲାର ତଥା ବିକେଆର୍ଟ କଲେଜ ଭୁବନେଶ୍ୱରର ଛାତ୍ର ରିତିକ୍ ଆଦିତ୍ୟଙ୍କୁ ଫଟୋରେ ଫଟୋରେ ସାରା ସିକ୍କିମ ବିଷୟ ବସ୍ତୁ ନେଇ ଭାଗ ନେବାର ସୁଯୋଗ ମିଳିଛି । ପୁଅ ରିତିକ୍ ଆଦିତ୍ୟର ଜାତୀୟ ସ୍ତରର ଏହି ସମ୍ମାନଜନକ ବିଶେଷ ଭାଗିଦାରୀର ସଫଳତା ପାଇଁ ତାଙ୍କ ପିତା ସମାଜସେବୀ ଅକ୍ଷୟ ଜେନା ଓ ମାତା ରାଜଶ୍ରୀ ଜେନା ଶୁଭ ମନାସିଛନ୍ତି ।