ଖୋର୍ଦ୍ଧା ବିଧାୟକଙ୍କ ବେଗୁନିଆ ପ୍ରୀତି 

ଖୋର୍ଦ୍ଧା (ସ୍ୱତନ୍ତ୍ର ପ୍ରତିନିଧି) : ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବେଗୁନିଆ ପ୍ରୀତି । ବେଗୁନିଆ ନିର୍ବାଚନ ମଣ୍ଡଳୀକୁ ନିଜ କବଜ୍ଜାକୁ ନେବାକୁ ରୀତିମତ ଉଦ୍ୟମ ଆରମ୍ଭ କରିଛନ୍ତି । ତୃଣମୂଳସ୍ତରରେ ବିଜେଡିର ଭୋଟକୁ ଭାଙ୍ଗି ବିଜେପିକୁ ଶସକ୍ତ କରିବା ପାଇଁ ପ୍ରଶାନ୍ତ ଜଗଦେବଙ୍କୁ କୁଆଡେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଦାୟିତ୍ୱ ଦେଇଛନ୍ତି । ବେଗୁନିଆ ନିର୍ବାଚନ ମଣ୍ଡଳୀ ବିଜେଡିର ଅଭେଦ୍ୟ ଗଡ଼ ପାଲଟିଥିବା ବେଳେ କେବଳ ପ୍ରଶାନ୍ତ ଜଗଦେବହିଁ ଏକମାତ୍ର ନେତା ଯିଏକି ଏଠାରେ ବିଜେଡିକୁ ଦୁର୍ବଳ କରି ବିଜେପି ଭୋଟ ହାର ବଢ଼ାଇ ପାରିବ । ୨୦୧୪ ରୁ ୨୦୧୯ ବେଗୁନିଆର ବିଧାୟକ ଥିବା ପ୍ରଶାନ୍ତ ଜଗଦେବଙ୍କର ଏବେବି ବେଗୁନିଆରେ ରହିଛନ୍ତି ଅନେକ ସହଯୋଗୀ । ସେହିମାନଙ୍କୁ ଏକାଠି କରି ତୃଣମୂଳସ୍ତରରୁ ବିଜେପିକୁ ମଜଭୁତ କରିବା ପାଇଁ ରଣନୀତି ଆରମ୍ଭ କରିଛନ୍ତି ପ୍ରଶାନ୍ତ ଜଗଦେବ । ଏହାରି ଭିତରେ ନିଜ ବିଜେଡି ଅନୁଗତମାନଙ୍କୁ ନେଇ ବୈଠକ ପରେ ବୈଠକ କରି ଚାଲିଛନ୍ତି । ଆସନ୍ତା ୭ ତାରିଖରେ ବେଗୁନିଆ ମିନି ଷ୍ଟାଡିଅମରେ ବିରାଟ ମିଶ୍ରଣ ପର୍ବ ଆୟୋଜନ ପାଇଁ ଜଗଦେବଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ମିଶ୍ରଣ ପର୍ବରେ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ, ଛାମୁଆ ସଂଗଠକଙ୍କ ସହ ହଜାର ହଜାର ବିଜେଡି କର୍ମୀ ବିଜେପିରେ ସାମିଲ ହୋଇ ଫୁଲ ଧରିବେ ବୋଲି ଖୋର୍ଦ୍ଧା ବିଧାୟକଙ୍କ ପକ୍ଷରୁ ସୂଚନା ମିଳିଛି  । ଏହି ପରିପ୍ରେକ୍ଷୀରେ ଆଜି ବେଗୁନିଆ ଅତିରିକ୍ତ ଦାୟିତ୍ୱରେ ଥିବା ଖୋର୍ଦ୍ଧା ବିଡ଼ିଓ ମିନି ଷ୍ଟାଡିଅମ ବୁଲି ଦେଖିବା ସହ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଉନ୍ନୟନ ମୂଳକ କାର୍ଯ୍ୟ ଦେଖିଥିଲେ ।  ସେପଟେ ବିଜେପି ପାର୍ଥି ପ୍ରକାଶ ବିଜୁଳି ଓ ତାଙ୍କ ସମର୍ଥକ ବେଗୁନିଆ ବେଗୁନିଆ ବିଜେପିରେ ଜଗଦେବଙ୍କ ମୁଣ୍ଡ ପୁରାଇବାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ସେଥିପାଇଁ ପ୍ରଶାନ୍ତ କରୁଥିବା ସାଙ୍ଗଠନିକ ବୈଠକରେ ସାମିଲ ହେଉ ନଥିବା ଦେଖିବାକୁ ମିଳିଛି । ବେଗୁନିଆରେ ପ୍ରଶାନ୍ତ ଜଗଦେବଙ୍କ ପ୍ରବେଶ ବିଜେପିକୁ କେତେ ମଜଭୁତ କରୁଛି ତାହା ଆଗାମୀ ଦିନରେ ଜଣାପଡିବ ।