ଅନୁବାଦକଙ୍କ କୃତି ନୟାଗଡ଼କୁ ଗୌରବ କରିଛି
ନୟାଗଡ଼ରୁ ସ୍ୱତନ୍ତ୍ର ପ୍ରତିନିଧି ରବୀନ୍ଦ୍ର କୁମାର ପଟ୍ଟନାୟକ : ପ୍ରବୀଣ ସାରସ୍ୱତ ସାଧକମାନଙ୍କ ଜିଲ୍ଲା ଭାବେ ରାଜ୍ୟ ତଥା ଜାତୀୟସ୍ତରରେ ନୟାଗଡ଼ର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏହି ମାଟିର ସାହିତି୍ୟକମାନଙ୍କ କୃତି ଓ କିର୍ତ୍ତି ନୟାଗଡ଼କୁ ଯେଭଳି ଗରିମାମଣ୍ଡିତ କରିଛି ଅନୁରୂପ ଭାବେ ଧୁରୀଣ ଅନୁବାଦକମାନଙ୍କ ପାଇଁ ମଧ୍ୟ ଜିଲ୍ଲା ଗୌରବ ମଣ୍ଡିତ ହୋଇଛି । ଓଡ଼ିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ ଭାଷାରେ ମୌଳକ ରଚନାର ଭାବଧାରାକୁ ଅକ୍ଷୁର୍ଣ୍ଣ ରଖି ଅତ୍ୟନ୍ତ ଚମକ୍ରାର ଢ଼ଙ୍ଗରେ ଜିଲ୍ଲାର ଅନୁବାଦକମାନେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି । କେବଳ ଭାରତୀୟ ଭାଷା ନୁହେଁ ଏପରିକି ଋଷିଆ ଏବଂ କିଜିକ୍ସ୍ତାନ ଭାଷାରେ ଲିଖିତ ପୁସ୍ତକ ଗୁଡ଼ିକର ମଧ୍ୟ ସାବଲୀଳ ଭାଷାରେ ଓଡ଼ିଆରେ ଅନୁବାଦ କରିବାର ସାମ୍ୟର୍ଥ ଜିଲ୍ଲାର ଲେଖ ମାନଙ୍କ ରହିଛି ।
ଭାପୁର ବ୍ଲକ କରବର ଗ୍ରାମର ପ୍ରାଧ୍ୟାପକ ପ୍ରସନ୍ନ କୁମାର ସାହୁ ଋଷିଆ ଭାଷାରେ ଲିଖିତ ୪ଟି ଏବଂ କିଜିକ୍ସ୍ତାନ ଭାଷାରେ ଲିଖିତ ଗୋଟିଏ ପୁସ୍ତକର ସୁନ୍ଦର ଭାବେ ଓଡ଼ିଆରେ ଅନୁବାଦ କରିଛନ୍ତି । ସେହିଭଳି ନୟାଗଡ଼ର ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ସାହିତି୍ୟକ ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ରଙ୍କ ୪ଟି ପୁସ୍ତକ ମଧ୍ୟ ଇଂରାଜୀରେ ଅନୁଦିତ ହୋଇଛି । ରାମଚନ୍ଦ୍ରଙ୍କ ଲିଖିତ ପୁସ୍ତକ ‘ଏକାନ୍ତ ନିଜସ୍ୱ'କୁ ଇଂ.ସୁଜିତ ପଟ୍ଟନାୟକ, ‘ଉପତ୍ୟକାର ହସ' ପୁସ୍ତକକୁ ଅଧ୍ୟାପକ ଆଶୁତୋଷ ମିଶ୍ର, ‘ମରୁ ମନ୍ଥନ' ପୁସ୍ତକକୁ ଅଧ୍ୟାପକ ମୋହିନୀ ମିଶ୍ର ଏବଂ ‘ଅନେଇ ଛାଇ ଅସରନ୍ତି ଅନ୍ଧାର' ପୁସ୍ତକକୁ ଅଧ୍ୟାପକ ରଜନୀକାନ୍ତ ମିଶ୍ର ଇଂରାଜୀରେ ଅନୁବାଦ କରିଥିବାବେଳେ ଗଦାଧର ନନ୍ଦଙ୍କ ଓଡ଼ିଆ ନାଟକ ପୁସ୍ତକକୁ ମଧ୍ୟ ଅଧ୍ୟାପକ ଦୁଃଖିଶ୍ୟାମ ଦାଶ ଇଂରାଜୀରେ ଅନୁବାଦ କରି ଅନେକ ପ୍ରଶଂସା ସାଉଁଟିଛନ୍ତି । ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସାହିତି୍ୟକ ଶରତ ଚନ୍ଦ୍ର ଆଚାର୍ଯ୍ୟ ହିନ୍ଦୀରେ ଲିଖିତ ବିଭିନ୍ନ ଲୋକପ୍ରିୟ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିବାର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ସେହିଭଳି ନୟାଗଡ଼ର ସଂଯୁକ୍ତା ସୁରଦେଓ ମଧ୍ୟ କେତେକ ଲୋକପ୍ରିୟ ହିନ୍ଦୀ ଗଳ୍ପର ଓଡ଼ିଆ ଅନୁବାଦ କରିଛନ୍ତି । ସେହିଭଳି ସଂସ୍କୃତ ଭାଷାରେ ମଧ୍ୟ ନୟାଗଡ଼ ଜିଲ୍ଲାର ସାରସ୍ୱତ ସ୍ରଷ୍ଟାମାନଙ୍କ ନୈପୁଣ୍ୟତା କିଛି କମ ନୁହେଁ । ପ୍ରାଧ୍ୟାପକ ଡ଼.ଗୋପବନ୍ଧୁ ମିଶ୍ର ପ୍ରବୀଣ ଲେଖକ ମନୋଜ ଦାସଙ୍କ ବହୁ ଚର୍ଚ୍ଚିତ ଓଡ଼ିଆ ଉପନ୍ୟାାସ ‘ଅମୃତ ଫଳ' ପୁସ୍ତକକୁ ଅତ୍ୟନ୍ତ ମାର୍ମିକ ଭାବେ ସଂସ୍କୃତରେ ଅନୁବାଦ କରି କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି । ଅନୁରୂପ ଭାବେ ପ୍ରତିଭା ରାୟ, ସୀତାକାନ୍ତ ମହାପାତ୍ର, ଗୌରହରି ଦାସଙ୍କ ଭଳି ପ୍ରଥିତଯଶା ସାରସ୍ୱତ ସାଧକ ମାନଙ୍କ ଦ୍ୱାରା ଲିଖିତ ଅନେକ ଓଡ଼ିଆ ଗଳ୍ପକୁ ସଂସ୍କୃତରେ ଅନୁବାଦ କରିଥିବାବେଳେ ଏହା ଦେଶ ବିଦେଶର ବିଭିନ୍ନ ସଂଭ୍ରାନ୍ତ ପତ୍ର ପତ୍ରିକାରେ ପ୍ରକାଶିତ ହୋଇ ଜିଲ୍ଲାର ମର୍ଯ୍ୟାଦା ବୃଦ୍ଧି କରିଛି । ଅନ୍ୟପକ୍ଷରେ ଦଶପଲ୍ଲାର ଡ଼.ନାରାୟଣ ମହାପାତ୍ର ୯ଟି ପୁରାତନ ସଂସ୍କୃତର ପୁସ୍ତକର ଓଡ଼ିଆ ଅନୁବାଦ କରିଥିବାବେଳେ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ‘ଧର୍ମପଦ' ପୁସ୍ତକର ସଂସ୍କୃତ ଅନୁବାଦ କରିଛନ୍ତି । ସେହିଭଳି ଘୋଳାହାଣ୍ଡି ଗ୍ରାମର ପଣ୍ଡିତ ସନାତନ ରଥଶର୍ମା ଗୋଟିଏ ସଂସ୍କୃତ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଛନ୍ତି । ଅନ୍ୟପକ୍ଷରେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟାପିକା ଡ଼.ପରାମ୍ବା ଶ୍ରୀଯୋଗମାୟା ଓଡ଼ିଶାର ପ୍ରଖ୍ୟାତ ବୈଜ୍ଞାନିକ ଗୋକୁଳାନନ୍ଦ ମହାପାତ୍ରଙ୍କ ରଚିତ ‘ଚନ୍ଦ୍ରର ମୃତୁ୍ୟ' ସଂସ୍କୃତରେ ଅନୁବାଦ କରିଥିବାବେଳେ ପ୍ରସିଦ୍ଧ ଗୁଜରାଟି କବି ହର୍ଷଦେବ ମାଧବଙ୍କ ସଂସ୍କୃତ କାବ୍ୟ ସଂକଳନ ‘ଅନ୍ୟାଥା'ର ଇଂରାଜୀ ଅନୁବାଦ କରି ସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସେହିଭଳି ପଦ୍ମାବତୀ ଗ୍ରାମର ଅଧ୍ୟାପକ ଡ଼.ପବିତ୍ର କୁମାର ସୁବୁଦ୍ଧି ‘ରିଚାର୍ଡ଼ ବଚ୍'ଙ୍କ ଇଂଗ୍ରାଜୀ ପୁସ୍ତକର ଓଡ଼ିଆ ଅନୁବାଦ କରିଛନ୍ତି ।