‘ଗଙ୍ଗାଧରଙ୍କ ସାହିତ୍ୟ ସମାଜ ପାଇଁ ଅମୃତର ଧାର’

 ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ଠାରେ ଗଙ୍ଗାଧର ସାରସ୍ୱତ ସମିତି ଆନୁକୂଲ୍ୟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଭବ୍ୟ ଜନ୍ମଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ମୁଖ୍ୟଅତିଥି ଭାବରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଭାବରେ ଜିଲ୍ଲାପାଳ ତଥା ପ୍ରଥିତଯଶା କବି ମଧୁସୂଦନ ଦାଶ, ମୁଖ୍ୟବକ୍ତା ଓଡିଶାର ବିଶିଷ୍ଟ ପ୍ରବାଚିକା ବିଜୟିନୀ ଶତପଥୀ ଓ ସମ୍ମାନିତ ଅତିଥି ଭାବରେ ସୁସାହିତି୍ୟକ ଡ.ସୁଶୀଳ କୁମାର ବାଗ ଯୋଗ ଦେଇଥିବା ବେଳେ ସମିତିର ସଭାପତି ଯୁବ ଲେଖକ ବୈଷ୍ଣବ ମେହେର ଓ ସଂପାଦକ ତରୁଣ କୁମାର ମେହେର ମଂଚାସୀନ ଥିଲେ । ଏ ଅବସରରେ ନିଜ ସୃଷ୍ଟିର ଅନୁରୂପ ଜୀବନ ବଂଚୁଥିବା କବି ଗଙ୍ଗାଧରଙ୍କ ସାହିତ୍ୟ ମଣିଷ ସମାଜ ପାଇଁ ଅମୃତରଧାର ବୋଲି ବକ୍ତାଗଣ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ରୂପେଶ ଚନ୍ଦ୍ର୍ର ମେହେର ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ । ବଂଶୀଧର ଜଗତ, ଚୂଡାମଣି ମେହେରଙ୍କ ନିଦେ୍ର୍ଦଶନାରେ କବିଙ୍କ ରଚିତ ଗୀତକୁ ସିନାପାଲି ହାଇସ୍କୁଲ ଛାତ୍ରୀମାନେ ସଙ୍ଗୀତରେ ପରିବେଷଣ କରିଥିଲେ ।  ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେରଙ୍କ ବାର୍ଷିକ ବିବରଣୀ ପଠନ ପରେ ଅତିଥିମାନେ ମୁଖପତ୍ର "ଅମୃତଗଙ୍ଗା’ ଓ ଇ-ପତ୍ରିକା "ସ୍ୱର୍ଣ୍ଣୋଦୟ"କୁ ଉନ୍ମୋଚନ କରିଥିଲେ । ଏହାକୁ ଲଳିତ କୁମାର ସୂନାରୀ ପରିଚାଳନା କରିଥିଲେ । ଏହି ଅବସରରେ ସାହିତି୍ୟକ ଡ. ସୁଶୀଳ କୁମାର ବାଗ, କବି ପ୍ରବୋଧ ହୋତା, କବୀ ଗୀତାଶ୍ରୀ ପ୍ରିୟମ୍ବଦାଙ୍କୁ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମକୁ ଅଧ୍ୟାପକ ଧୃବଚରଣ ପଧାନ ପରିଚାଳନା କରିଥିବା ବେଳେ ଗୌତମ ମେହେର, ରଶ୍ମୀରଂଜନ ସା, ଲୋଚନ ମେହେର ମାନପତ୍ର ପାଠ କରିଥିଲେ । ସଭା ଆରମ୍ଭ ପୂର୍ବରୁ ସ୍ଥାନୀୟ ନେହେରୁ ସ୍ମୃତିମଣ୍ଡପ ଠାରୁ ଅତିଥିମାନଙ୍କୁ ଏକ ଭବ୍ୟ ଶୋଭାଯାତ୍ରା ମାଧ୍ୟମରେ ସଭାମଞ୍ଚକୁ ପାଛୋଟି ଅଣାଯାଇଥିଲା । ଶେଷରେ ସଂପାଦକ ତରୁଣ କୁମାର ମେହେର ଧନ୍ୟବାଦ ପ୍ରଦାନ କରିଥିଲେ । ଏହା ପୂର୍ବରୁ ସକାଳେ ଗଙ୍ଗାଧର ମାର୍ଗ ସ୍ଥିତ କବିଙ୍କ ପ୍ରତିମୂର୍ତ୍ତିରେ ସମିତି ପକ୍ଷରୁ ମାଲ୍ୟାର୍ପଣ କରାଯାଇ ସମିତି ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କବିତା ପାଠର ଆୟୋଜନ ହୋଇଥିବାବେଳେ ଏଥିରେ ପଚାଶରୁ ଅଧିକ କବିକବୟିତ୍ରୀ କବିତା ପାଠ କରିଥିଲେ ।