ଭାଟି କର୍ମଚାରୀଙ୍କ ଦବଙ୍ଗଗିରି : ଲୋକଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବଡ଼ଚେର ଗାଁ ପଞ୍ଚାୟତ କୁଟ୍ରାବାହାଳି ଗ୍ରାମର ମଦ ଭାଟିର କିଛି କର୍ମଚାରୀ ମିଶି ଦୁଇ ଜଣ ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସୂଚନାରୁ ପ୍ରକାଶ ଯେ, ବଡ଼ଚେରଗାଁର ମୁନା ବାଗ ଓ ପୁଟିଆଚୁରା ଗାଁର ତରୁଣ ବାନ୍ଧିଛୋଡ ମଦ ପିଇବା ପାଇଁ ମଦ କାଉଣ୍ଟରକୁ ଯାଇଥିଲେ । ସେହି ସମୟରେ କିଛି ଟଙ୍କା ପାଇଁ ଭାଟି କର୍ମଚାରୀ ଓ ସେହି ଦୁଇ ଜଣଙ୍କ ସହିତ କଥା କଟାକଟି ହୋଇଥିଲା । ଉକ୍ତ ସମୟରେ ଭାଟି କର୍ମଚାରୀ ରାଗିଯାଇ କିଛି କର୍ମଚାରୀ ଓ ମାଡ଼ ଭାଟି ମ୍ୟାନେଜର ମିଶି ସଂଘବଦ୍ଧ ଭାବରେ ମୁନା ବାଗ ଓ ତରୁଣ ବନ୍ଧିଛୋଡଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ପୁଲିସକୁ ଯୋଗାଯୋଗ କରିଥିଲେ । ପୁଲିସ ତୁରନ୍ତ ପହଞ୍ଚି ଭାଟି କର୍ମଚାରୀ ଓ ମାଡ଼ ଖାଇଥିବା ପରିବାରର ଜଣେ ସଦସ୍ୟଙ୍କୁ ନିଜ ଜିମାକୁ ନେଇଥିଲେ । ମାଡ଼ ଖାଇଥିବା ଲୋକଙ୍କ ପରିବାର ରାଗି ଯାଇ ଭାଟି ଘେରାଉ କରିଥିବା ବେଳେ ପୁଲିସଗାଡିକୁ ମଧ୍ୟ ଅଟକ ରଖିଥିବା ଦେଖିବାକୁ ମିଳିଥିଲା । ପ୍ରକାଶଥାଉକି, ଆଗରୁ ମଧ୍ୟ କୁଟ୍ରା ବାହାଳି ମଦ ଭାଟିର କର୍ମଚାରୀମାନେ ଦବଙ୍ଗଗିରି କରି ଅନେକ ଲୋକଙ୍କୁ ମାଡ଼ ମାରିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ମଦ ଭାଟି କର୍ମଚାରୀ ଓ ମ୍ୟାନେଜର ମଦ କିଣି ଆସୁଥିବା ଗ୍ରାହକମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଯଦି ଏପରି ଦିନକୁ ଦିନ ବିହାରୀ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କୁ ପିଟିବେ, ତେବେ ମଦଭାଟି ବନ୍ଦ କରି ଦିଆଯାଉ ବୋଲି ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି । ଏପରି ଦିନକୁ ଦିନ ବିଶୃଙ୍ଖଳା ବଢିଚାଲି ଥିବାରୁ କିଛି ଦୂରରେ ଥିବା ଯୁକ୍ତ ୨ ବିଜୁ ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟଙ୍କ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କୁପ୍ରଭାବ ପଡିବାର ବହୁତ ସମ୍ଭାବନା ରହିଛି । ତେଣୁ ପ୍ରଶାସନ ତୁରନ୍ତ ଏହା ଉପରେ ପଦକ୍ଷେପ ନେଇ ଭାଟି ଉଚ୍ଛେଦ କରିବା ପାଇଁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।