ମଜଦୁର ସଂଘ ଛାଡ଼ିଲେ ଶତାଧିକ ଶ୍ରମିକ


 ଯାଜପୁର: ଶ୍ରମିକ ସଂଗଠନରୁ ସୁକିନ୍ଦାରେ ରାଜନୈତିକ ଭିତ୍ତିଭୂମିକୁ ସବଳ କରିଥିଲେ ପ୍ରାକ୍ତନମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ । ସୁକିନ୍ଦା କ୍ରୋମଜୋନରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ନେଇ ଗଢି ଉଠିଥିବା ସୁକିନ୍ଦା ରିଜିଅନ କ୍ରୋମାଇଟ ଖଣିମଜଦୁର ସଙ୍ଘ ଘଡ଼ାଇ ପିତା-ପୁତ୍ରଙ୍କ ପାଇଁ ଦୁର୍ଗ ହୋଇ ରହିଥିଲା । ବିଭିନ୍ନ ନିର୍ବାଚନରେ ଘଡ଼ାଇଙ୍କ ଗଡ଼ ସୁରକ୍ଷିତ ରଖିବାରେ ଖଣି ଅଞ୍ଚଳ ଦୁର୍ଗ ହୋଇ ଠିଆ ହୋଇଥିଲା । କିନ୍ତୁ ଚଳିତ ନିର୍ବାଚନରେ ଘଡ଼ାଇଙ୍କ ଗଡ଼ ଦୋହଲି ଗଲା ପରେ ଦୁର୍ଗରେ ପ୍ରବେଶ କରିଛି ବିଜେପି । କ୍ରୋମଜୋନ ସହ ଦୀର୍ଘବର୍ଷର ସଂପର୍କରେ ରହିଥିବା ବିଜେପି ନେତା ପ୍ରଦୀପ ବଳସାମନ୍ତ ବିଧାୟକ ହେବା ପରେ ଘଡ଼ାଇ ଦୁର୍ଗକୁ ଦୋହଲାଇବାକୁ ଆରମ୍ଭ କରିଛନ୍ତି ଅଭିଯାନ । ଅଭିଯାନର ନେତୃତ୍ୱ ବରିଷ୍ଠ ନେତା ଅମଳେନ୍ଦୁ ବେହୁରା ଏବଂ ସତ୍ୟଜିତ ଦାସ ନେଇଥିବା ବେଳେ ପ୍ରଥମ ସଫଳତା ହାସଲ କରିଛନ୍ତି । ସୁକିନ୍ଦା ରିଜିଅନ କ୍ରୋମାଇଟ ଖଣିମଜଦୂର ସଙ୍ଘରେ ସାମିଲ ହୋଇ ଦୀର୍ଘବର୍ଷ ଧରି ଘଡ଼ାଇ ଦୁର୍ଗକୁ ଜଗି ରହିଥିବା ଶତାଧିକ ଶ୍ରମିକ ଆଜି ବିଜେପି ସହ ହାତ ମିଳାଇଛନ୍ତି । ମିଳିଥିବା ଖବର ମତେ ଡେକୋ କମ୍ପାନୀ ଅଧିନରେ କାର୍ଯ୍ୟରତ ୩୧୮ଜଣ ଶ୍ରମିକ ଓ କର୍ମଚାରୀ ରବିବାର ଦିବା ୧୦ଘଟିକା ସମୟରେ କାଙ୍କଡପାଳ ଗ୍ରାମ ନିକଟସ୍ଥ ଖେଳ ପଡିଆରେ ଏକ ସଭାକରି ସୁକିନ୍ଦା ରିଜିଅନ କ୍ରୋମାଇଟ ଖଣି ମଜଦୁର ସଙ୍ଘରୁ ଇସ୍ତଫା ଦେଇଛନ୍ତି । ଦୀର୍ଘଦିନ ଧରି ସଙ୍ଘ ନେତାଙ୍କ ଦ୍ୱାରା ଅତ୍ୟାଚାରିତ ହୋଇ ରହିଥିବାରୁଏବେ ରାଜନୈତିକ ପରିବର୍ତ୍ତନ ପରେ ସେମାନେ ଇସ୍ତଫା ଦେଇଥିବା କହିବା ସହିତ ଉକ୍ତ ପତ୍ରକୁ ସଙ୍ଘର ସମ୍ପାଦକଙ୍କ ନିକଟକୁ ପଠାଇଥିବା ଜଣାପଡିଛି । ଦଳର ନେତା ଅମଳେନ୍ଦୁ ବେହୁରାଙ୍କ ନେତୃତ୍ୱରେ ପ୍ରମୋଦ ଦାସ, ଲୋଚନ ମହାନ୍ତ, କୁନାଲ ମହାନ୍ତ, ମଙ୍ଗରାଜ ମହାନ୍ତ, ପ୍ରକାଶ କୁମାର ନାୟକ, ନୀଳମଣି ଆରୁଖ, ପ୍ରେମାନନ୍ଦ ସାହୁ ପ୍ରମୁଖଙ୍କୁ ବଛାଯାଇ ଏକ ପ୍ରାରମ୍ଭିକ ସମିତି ଗଢାଯାଇ ଆଗାମୀ ଦିନର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା । ନୂତନ ସମିତିର ମନୋନୀତ ସଦସ୍ୟ ପ୍ରମୋଦ ଦାସଙ୍କ କହିବାନୁଯାଇ ଶ୍ରମିକ ମାନେ ବର୍ଷବର୍ଷ ଧରି ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ । ଶ୍ରମିକ ମାନଙ୍କ ପ୍ରାପ୍ୟକୁ କାଟି ଶ୍ରମିକ ସଙ୍ଘର ସଭାପତି ପ୍ରଫୁଲ୍ଲ ଘଡାଇ, ପରେ ତାଙ୍କ ପୁତ୍ର ତଥା ପୂର୍ବତନ ବିଧାୟକ ପ୍ରୀତିରଂଜନଙ୍କ ସମେତ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, ଶ୍ରମିକ ଠିକାଦାର, ଖାତାଦାର ଆଦି ସମସ୍ତେ ମିଳିମିଶି ଲୁଟି ଚାଲିଥିଲେ । ଶ୍ରମିକମାନଙ୍କୁ ନିୟମିତ କରାନଯାଇ ସାମୟିକ ଭାବରେ ନିଯୁକ୍ତି ପ୍ରଦାନ କରାଯାଉଥିଲା । କେହି ବିରୋଧ କଲେ କାର୍ଯ୍ୟରୁ ବହିଷ୍କାର କରାଯାଉଥିଲା । ତେଣୁବାଧ୍ୟ ହୋଇ ନିର୍ବାଚନରେ ବି ମତବଦଳେଇ ଥିଲୁ ଏବଂ ପରେ ଶ୍ରମିକ ସଙ୍ଘ ବିଛାଡି ନୂତନ ସଙ୍ଘ ଗଢିବାକୁ ଯାଉଛୁ । ସେହିପରି ସଭାରେ ସଭାପତିତ୍ୱ କରୁଥିବା ଏବଂ ଶ୍ରମିକ ସଙ୍ଘର ଉପଦେଷ୍ଟା ଅମଳେନ୍ଦୁ କହିଥିଲେ ଯେ, କୌଣସି ପରିସ୍ଥିତିରେ ଶ୍ରମିକ ମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳୀ ଦିଆଯିବ ନାହିଁ । ଶ୍ରମିକମାନଙ୍କ ଲଢେଇକୁ ସର୍ବେøଚ୍ଚସ୍ତରକୁ ନିଆଯିବ ଏବଂ ସେମାନଙ୍କର ହକ୍ ସେମାନେ ନିଶ୍ଚୟ ପାଇବେ । ୩୫ ବର୍ଷ ଧରି ଘଡେଇ ବାପ ପୁଅ ଶ୍ରମିକ ମାନଙ୍କ ଜୀବନ ସହିତ ଖେଳିଛନ୍ତି । ଆଉ ସେମାନଙ୍କୁ ସେ ସୁଯୋଗ ଦିଆଯିବ ନାହିଁ । ସମସ୍ତ ଖଣିର ଅବହେଳିତ ଶ୍ରମିକ ମାନେ ଆମ ସହିତ ଯୋଡି ହେବାକୁ ସ୍ୱତଃ ପ୍ରବୃତ୍ତ ଭାବରେ ଯୋଗାଯୋଗ କରୁଛନ୍ତି । ତେଣୁ ସମସ୍ତଙ୍କୁ ସାଙ୍ଗରେ ନେଇ ନୂତନ ସଙ୍ଘ ଖୁବଶୀଘ୍ର ଗଠନ କରାଯିବ ବୋଲି ଅମଳେନ୍ଦୁ କହିଛନ୍ତି । ତେବେ ନିର୍ବାଚନ ସରିବାର ମାତ୍ର କେଇଟା ଦିନରେ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ଘଡାଇଙ୍କ ଦୁର୍ଗରେ ବିଜେପି ପ୍ରବେଶ କରିବା ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇପଡ଼ିଛି ।