ଫ୍ଲାଏ ଓଭର ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରୀତି
ସୁକିନ୍ଦା : ୫୩ ନମ୍ବର ଜାତୀୟ ରାଜପଥର ଡୁବୁରୀ ଠାରୁ କାମାକ୍ଷାନଗର ସେକ୍ସନ ରାସ୍ତା ଅଗଷ୍ଟ ୫ତାରିଖ ୨୦୨୩ରେ ଉଦ୍ଘାଟିତ ହୋଇ ୨ବର୍ଷ ଅତିବାହିତ ହୋଇଯାଇଥିବା ବେଳେ, ସୁକିନ୍ଦାଗଡ଼ ଛକ ନିକଟରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ । ଦୈନନ୍ଦିନ ଏହି ରାସ୍ତାରେ ସୁକିନ୍ଦା କ୍ରୋମ ଭ୍ୟାଲି ଏବଂ ତାଳଚେର କୋଇଲା ଖଣି ଅଞ୍ଚଳରୁ ଆସୁଥିବା ହଜାର ହଜାର ଭାରିଯାନ ଏବଂ ଟ୍ରକ ଯାତାୟତ କରୁଥିବା ବେଳେ ଏଥିପାଇଁ ସାଧାରଣ ଜନତା ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ଏବଂ ସୁକିନ୍ଦାଗଡ଼ ଛକରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଫ୍ଲାଏ ଓଭର ବ୍ରିଜ ହେବାକୁ ଥିବା ରାସ୍ତା ନିକଟରେ ବର୍ଷା ଋତୁ ସମୟରେ ଶହଶହ ଗର୍ତ୍ତ ସୃଷ୍ଟି ହେବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ୫୩ନଂ ଜାତୀୟ ରାଜପଥ ସୁକିନ୍ଦାଗଡ଼ ଛକର ଉଭୟ ପାର୍ଶ୍ୱରେ ବ୍ଲକ୍ ଅଫିସ, ଜେଏମ୍ଏଫ୍ସି କୋର୍ଟ, ତହସିଲ, ସବରେଜିଷ୍ଟ୍ରାର ଅଫିସ, ସବ୍ଟ୍ରେଜେରୀ ଅଫିସ, ସୁକିନ୍ଦା ସିଏଚସି, ହାଇସ୍କୁଲ, କଲେଜ, ବ୍ୟାଙ୍କ, ପୋଷ୍ଟ ଅଫିସ ଏବଂ ପୁଲିସ ଷ୍ଟେସନ ଇତ୍ୟାଦିକୁ ଯିବା ଆସିବା କରିବାପାଇଁ ହଜାର ହଜାର ଲୋକ ଏହି ଛକ ଉପରେ ନିର୍ଭର କରୁଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ । ତେଣୁ ସୁକିନ୍ଦାଗଡ ଛକରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ଷ୍ଟେଡର ଡାକି ଯଥାଶୀଘ୍ର ପଦକ୍ଷେପ ନେବାକୁ କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଜୟରାମ ଗଡ଼କରିଙ୍କୁ ପୂର୍ବତନ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡ଼ାଇ ଚିଠି ଲେଖି ଅନୁରୋଧ କରିଛନ୍ତି ।