ୱେବ ସାଇଟ୍ରୁ ହଟୁନାହିଁ ଅଧିକାରୀଙ୍କ ନାମ ଏବଂ ଫୋନ ନମ୍ବର

କବାଟବନ୍ଧ: ଯାଜପୁର ଜିଲାସମେତ ଓଡ଼ିଶାର ବିଭିନ୍ନ ଜିଲାରେ ଅବସର ପରେ ସରକାରୀ କର୍ମଚାରୀଙ୍କ ନାମ ଓ ଫୋନ ନମ୍ବର ୱେବସାଇଟରୁ ହଟୁନଥିବା ଅଭିଯୋଗ ହେଉଛି । ଉଦାହରଣ ସ୍ୱରୂପ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫଡ଼ିସି)ର ୱେବ ସାଇଟରେ ଯାଜପୁର ରୋଡ ଡିଭିଜନ ଅଫିସରଙ୍କ ଉପଲବ୍ଧ ଥିବା ନମ୍ବରରେ ଯୋଗାଯୋଗ କରିବାରୁ ସେ ଏଠାରୁ ୨୦୧୨ ମସିହା ଅର୍ଥାତ ୧୨ ବର୍ଷ ହେବ ବ୍ରହ୍ମପୁରକୁ ବଦଳି ହେବା ସହିତ ୫ବର୍ଷ ହେବ ଚାକିରୀରୁ ଅବସର ନେଇ ଥିବା କହିଛନ୍ତି । ତେବେ ଦୀର୍ଘ ୧୨ବର୍ଷ ହେବ ଯାଜପୁର ରୋଡରୁ ବଦଳି ହୋଇ ଥିବା ଅଧିକାରୀଙ୍କ ନାମ ଏବଂ ଫୋନ ନମ୍ବର ବଦଳାଇବା ସହିତ ତାଙ୍କ ସ୍ଥାନରେ କାର୍ଯ୍ୟରତ ଅଧିକାରୀଙ୍କ ନାମ କାହିଁକି ଉପଲବ୍ଧ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠୁଛି । ସୂଚନା ଅନୁସାରେ ଓଡ଼ିଶାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ନାମ ଓ ଫୋନ ନମ୍ବର ସମ୍ପୃକ୍ତ ବିଭାଗର ସରକାରୀ ୱେବସାଇଟରେ ଉପଲବ୍ଧ ଥାଏ । ଅନେକ ସମୟରେ ଉକ୍ତ ଅଧିକାରୀଙ୍କ ବଦଳି କିମ୍ବା ଅବସର ଗ୍ରହଣ ପରେ ଏହାକୁ ବାଦଦିଆ ଯାଉନାହିଁ । ଯାହାକି ଅନେକଙ୍କୁ ବିଭ୍ରାନ୍ତରେ ପକାଉଛି । ବେଳେ ବେଳେ ଜଣେ ଜଣେ ଅଧିକାରୀଙ୍କ ଅବସର ପରେ ଏହା ୫ବର୍ଷରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ମଧ୍ୟ ମହଜୁଦ ରହୁଛି । ତାଙ୍କ ସ୍ଥାନରେ ନିଯୁକ୍ତି ଦିଆ ଯାଇ ଥିବା ଅନ୍ୟ ଅଧିକାରୀଙ୍କ ନାମ କିମ୍ବା ମୋବାଇଲ ନମ୍ବରକୁ ସାର୍ବଜନୀନ କରାଯାଉ ନାହିଁ । ଆବଶ୍ୟକ ହେଉଥିବା ବିଭାଗୀୟ ଅଧିକାରୀଙ୍କ ମୋବାଇଲ ନମ୍ବର ୱେବ ସାଇଟରୁ ସଂଗ୍ରହ କରି ଫୋନ କଲେ ଅନେକ ଅଧିକାରୀ ଅବସର ନେଇ ସାରିଥିବା କହିବା ସହ ବିରକ୍ତି ଭାବ ପ୍ରକାଶ କରୁଛନ୍ତି । ତୁରନ୍ତ ଏହାକୁ ୱେବସାଇଟରୁ ହଟାଯାଇ ନୂତନ କର୍ମଚାରୀଙ୍କ ନମ୍ବର ଏବଂ ନାମକୁ ସଂଯୋଗ କରାଯିବାକୁ ସାଧାରଣରେ ସାର୍ବଜନୀ କରାଯିବାକୁ ଦାବି ହେଉଛି ।