ଚାଷୀଙ୍କୁ ସହାୟତା ପାଇଁ କଂଗ୍ରେସର ଦାବି
ହିଞ୍ଜିଳିକାଟୁ: ଚଳିତ ବର୍ଷ ଓଡିଶାକୁ ବିଳମ୍ବରେ ମୌସୁମୀ ପ୍ରବେଶ କରିଥିଲା । ଚାଷୀ ବହୁ କଷ୍ଟରେ ଧାନ ଅମଳ କରିଥିଲା । ଏବର୍ଷ ମଧ୍ୟ ଧାନ ଫସଲ ଭଲ ହୋଇଥିଲା । କ୍ଷେତରେ ସୁନେଲି ରଙ୍ଗର ଫସଲ ଦେଖି ଚାଷୀର ମନ କୁଣ୍ଢେମୋଟ ହୋଇଯାଇଥିଲା । ହେଲେ ଅମଳ ବେଳକୁ ସତେଯେମିତି ଦଇବ ଦାଉ ସାଧିଛି । ସୁନାର ଫସଲ ଉଜୁଡି ପଡିବା ସହିତ, ଚାଷିଙ୍କ ମେରୁଦଣ୍ଡ ଭାଙ୍ଗିପଡିଛି ।
ଡିସେମ୍ବର ମାସରେ ଚାଷୀ ଧାନ ଅମଳ କରିବାକୁ ପ୍ରସ୍ତୁତି ହେଉଥିବା ବେଳେ ଲଘୁଚାପ ପ୍ରଭାବରେ ମାସ ଆରମ୍ଭରୁ ଦାଉ ସାଧିଥିଲା ଅଦିନିଆ ବର୍ଷା । କଷ୍ଟମଷ୍ଟେ ଚାଷୀ ତାର ଅମଳ ଧାନକୁ ସାଇତି ରଖିବାରେ ଉଦ୍ୟମ କରି ସଫଳ ହୋଇଥିଲା । କିଛି ଚାଷୀ କ୍ଷେତରୁ ଧାନକାଟି ଖଳାରେ ଗଦା କରିଥିବା ବେଳେ କିଛି କ୍ଷେତରେ ହିଁ ଗଦା କରିଥିଲେ । ଏଭଳି ସମୟରେ ଅଦିନିଆ ଲଘୁଚାପ ପ୍ରଭାବରେ ୩ ଦିନ ଧରି ବର୍ଷା ଲାଗି ରହିଥିଲା । ଫଳରେ ଅମଳ ଧାନ ବର୍ଷା ପାଣିରେ ଭିଜି ଯାଇଥିଲା । ଚାଷଜମିରୁ ଧାନକୁ ବାହାର କରି ଶୁଖାଇବା ପାଇଁ ଚାଷୀ ଉଦ୍ୟମ କରୁଥିବା ବେଳେ ପୁଣି ଲଘୁଚାପ ପ୍ରଭାବରେ ମଙ୍ଗଳବାର ଓ ବୁଧବାର ୨ ଦିନ ଧରି ବର୍ଷା ଲାଗି ରହିଥିଲା । ଫଳରେ ଚାଷଜମିରେ ପଡିଥିବା ଧାନ ଗଜା ହୋଇଯାଇଛି । ଏଭଳି ପରିସ୍ଥିତିରେ ଚାଷୀ ତାର ବର୍ଷକର ଭାତହାଣ୍ଡିକୁ ହରାଇ ବର୍ଷ ତମାମ କିଭଳି ପରିବାର ପ୍ରତିପୋଷଣ କରିବ ସେନେଇ ଚିନ୍ତାରେ ପଡିଛି । ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ପନିପରିବା ହବ୍ ଭାବେ ପରିଚିତ ହିଞ୍ଜିଳିକାଟୁ ବ୍ଳକର ବୁରୁପୋଡା, ଖଣ୍ଠରା, ଚାନ୍ଦୁଲି, ସିକିରି, ରାଳବ, ଶାସନ ଆମ୍ବଗାଁ, ଖରିଡା, ଆଲପୁର ଅଞ୍ଚଳରେ ପନିପରିବା ଫସଲ ଲଘୁଚାପ ବର୍ଷାରେ ନଷ୍ଟ ହୋଇଯାଇଛି । ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଧାନ ଓ ପନିପରିବା ଚାଷୀଙ୍କୁ କ୍ଷତିପୁରଣ ରାଶି ବାବଦରେ ୪ ଦଫା ଦାବି ନେଇ ହିଞ୍ଜିଳି କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଉପଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛି । ଲଘୁଚାପ ଜନିତ ବର୍ଷାରେ କ୍ଷତି ଧାନକୁ ମଣ୍ଡିରେ ଗ୍ରହଣ କରିବା, ଚାଷୀଙ୍କ ଋଣଛାଡ କରିବା, ମାଗଣାରେ ବିହନ ଯୋଗାଇବା ଓ ବିନା ମୂଲ୍ୟରେ ସାର ଓ କୀଟନାଶକ ଔଷଧ ଯୋଗାଇ ଦେବାକୁ ଦାବି କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ହିଞ୍ଜିଳି କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢି, ପୂର୍ବତନ ନଗର ସଭାପତି ସୁନାରାମ ସାବତ, ରବିନ୍ଦ୍ର ବୈଠାରୁ, ବୃନ୍ଦାବନ ମହାନ୍ତି, ସୁଶିଳ ମଲ୍ଲ, ନିଳାଞ୍ଚଳ ପାଣିଗ୍ରାହୀ, ହୀନ ବରଡ ପ୍ରମୁଖ ଉପସ୍ଥିତ ଥିଲେ ।