ବିପଦ ବଢାଉଛି ମାଗୁର ଚାଷ: ସଙ୍କଟରେ ବିହଙ୍ଗ ବିହାର 


 ଚିଲିକା: ଚିଲିକା ଉପକୂଳରୁ ଟାଙ୍ଗୀ ବ୍ଲକର ବିଭିନ୍ନ ଅଞ୍ଚଳରେ ବ୍ୟାପକ ବେଆଇନ ଥାଇ ମାଗୁର ଚାଷ ଯୋଗୁ ପରିବେଶ ପ୍ରଦୂଷିତ ହେବା ସହିତ ବିଦେଶାଗତ ପକ୍ଷୀଙ୍କ ପାଇଁ ବିପଦ ସୃଷ୍ଟି ହେଉଛି । ବେଆଇନ ମାଗୁର ଚାଷକୁ ସରକାର ୨୦୦୧ ମସିହାରୁ ସମ୍ପୁର୍ଣ୍ଣ ନିଷେଦ୍ଧ କରାଯାଇଥିଲା । ବିଭାଗୀୟ ଅଧିକାରୀ ଏହାକୁ ଅଣଦେଖା କରୁଥିବା କାରଣରୁ ଜଗନ୍ନାଥପୁର ଓ ସୀତାରାମପୁର ମୌଜାରେ ଏହ ଶହ ଶହ ସଂଖ୍ୟାରେ ପୋଖରୀରେ ଏହି ବେଆଇନ ଥାଇ ମାଗୁର ଚାଷ କରାଯାଇଛି  । ଅନେକ ସାମଗ୍ରୀକୁ ପୋଖରୀ ହୁଡାରେ ଟାୟାର ଜାଳି ରନ୍ଧା ଯାଉଥିବାରୁ ପରିବେଶ ସମ୍ପୂର୍ଣ୍ଣ ପ୍ରଦୂଷିତ ହେବାରେ ଲାଗିଛି । ବିଦେଶାଗତ ପକ୍ଷୀଙ୍କ ନିର୍ଜନ ପରିବେଶ ଓ ସେମାନଙ୍କ ସ୍ୱଚ୍ଛନ୍ଦ ଚଳା ଚଳରେ ବ୍ୟାଘାତ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ବିହଙ୍ଗ ବିହାର ମାନ୍ୟତାପ୍ରାପ୍ତ ମଙ୍ଗଳାଯୋଡିରେ ଲକ୍ଷ ଲକ୍ଷ ସଂଖ୍ୟାରେ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥାଏ । ଚାଷଙ୍କୁ ସରକାର ବିଶେଷ ଅଗ୍ରାଧିକାର ସହ ଉତ୍ପାଦନ ସହିତ ମତ୍ସ୍ୟ ଚାଷୀଙ୍କୁ ଆର୍ଥିକ ବିକାଶ ଦିଗରେ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି । ଆର୍ଥିକ ରିହାତି ପ୍ରଦାନ ମଧ୍ୟ କରୁଛନ୍ତି । ଏହାର ସୁଯୋଗ ନେଇ ଏହି ସମୟ ମଧ୍ୟରେ ଅଧିକ ଲାଭବାନ ହେବାପାଇଁ ଅଧିକାଂଶ ବେଆଇନ ଥାଇ ମାଗୁର ଚାଷ କରୁଥିବା ଦେଖାଯାଉଛି । ଆମ ରାଜ୍ୟର କୌଶଲ୍ୟାଗଙ୍ଗାରେ ଦେଶୀ ମାଗୁର ମାଛ ଜାଆଁଳ ଉପଲବ୍ଧ ହେଇଥିଲେ ମଧ୍ୟ ମତ୍ସ୍ୟଚାଷୀମାନେ ଥାଇ ମାଗୁର ମାଛ ଚାଷକୁ ଆଦରି ନେଉଛନ୍ତି  । ଏହି ବେଆଇନ ଥାଇ ମାଗୁର ମାଛର ଜାଆଁଳ ପଶ୍ଚିମବଙ୍ଗରୁ ଏଠାକୁ ଆସୁଛି । ପୁଲିସ ପ୍ରଶାସନ ଓ ମତ୍ସ୍ୟ ବିଭାଗ ପକ୍ଷରୁ ଏଥିପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ହେତୁ ବେଆଇନ ଥାଇ ମାଗୁର ମାଛ ବ୍ୟବହାର କରିବା ଫଳରେ ସାସ୍ଥ୍ୟହାନୀ ହେବାର ଆଶଙ୍କା ଦେଖାଦେଇଛି । ଟାଙ୍ଗୀ ବ୍ଲକରେ କାର୍ଯ୍ୟରତ ମଧ୍ୟ ସଂପ୍ରସାରଣ ଅଧିକାରୀ ସୁରେନ୍ଦ୍ର କୁମାର କାଣ୍ଡିଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ସେ ଏଠାରେ ନୂତନ ଭାବେ ନିଯୁକ୍ତ ହୋଇଛନ୍ତି । ସୁନ୍ଦରପୁର ମତ୍ସ୍ୟ ସମବାୟ ସମିତି ସଭ୍ୟଙ୍କ ସହିତ ଏହି ବିଷୟରେ ଆଲୋଚନା କରିଛନ୍ତି ବୋଲି ସୂଚନା ଦେଇଥିଲେ । ତେବେ ଏହି ବେଆଇନ ଥାଇ ମାଗୁର ମାଛ ଚାଷ ସହିତ ଲୋକମାନେ ସଂପୃକ୍ତ ଥିବା ହେତୁ ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସରକାର ଏହି ବେଆଇନ ମାଛ ଚାଷରେ ରୋକ ଲଗାଇବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳର ସମାଜସେବୀ ଓ ପରିବେଶବିତ୍ଙ୍କ ପକ୍ଷରୁ ଦାବି ହେଉଛି ।