ଗୃହ ଟିକସ ଓ ଦୋକାନ ଘରଭଡ଼ା ବୃଦ୍ଧି ପାଇଁ ନିଷ୍ପତ୍ତି
ବାଙ୍କୀ: ବାଙ୍କୀ ଏନ୍ଏସିର ୧୮ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନଗରପାଳ ମାଣିକ ସାହୁ ସଭାପତିତ୍ୱ କରିଥିଲେ । ଏଥିରେ ସମସ୍ତ ପାରିଷଦର ସଭ୍ୟବୃନ୍ଦ ଓ ସାଂସଦଙ୍କ ପ୍ରତିନିଧି ଯୋଗଦାନ କରିଥିଲେ । ବିଶେଷ କରି ବହୁଦିନ ଧରି ପରିଷଦ ଅଞ୍ଚଳର ଗୃହଟିକସ, ଦୋକାନ ଘର ଭଡା ବୃଦ୍ଧି ଆଦି କରାଯାଇନଥିବାରୁ ପରିଷଦର ଆୟ ବଢ଼ି ପାରୁନାହିଁ ବୋଲି ନିର୍ବାହୀ ଅଧିକାରୀ ସଂପଦ କୁମାର ସ୍ୱାଇଁ ପ୍ରକାଶ କରିଥିଲେ । ପରିଷଦର ନିଷ୍ପତ୍ତି ଅନୁଯାୟୀ ନୂତନ ମୂଲ୍ୟାଙ୍କନ କରାଯିବା ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ଏଥିପ୍ରତି ସରକାର କୋ÷ଣସି ବ୍ୟବସ୍ଥା କରିନଥିବାରୁ ଆର୍ଥôକ ଅବସ୍ଥା ସୁଦୃଢ଼ କରିବା ପାଇଁ ପରିଷଦ ନିଜେ ଟିକସ୍ ଘରଭଡା ସହିତ ଅନ୍ୟାନ୍ୟ ଟିକସ୍ ବୃଦ୍ଧି କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିପାଇଁ ଏକ କମିଟି ଗଠନ କରାଯାଇ ତୁରନ୍ତ ଶତକଡା କେତେ ବୃଦ୍ଧି କରାଯିବ, ସେ ନେଇ ନିଷ୍ପତ୍ତି ଗ୍ରହଣ କରାଯିବା ସହିତ ତୁରନ୍ତ ଏହାକୁ ଲାଗୁ କରାଯିବ ନେଇ ନିଷ୍ପତ୍ତି ହୋଇଥିଲା । ବସ୍ଷ୍ଟାଣ୍ଡର ନିର୍ମାଣର ବୈଷୟିକ ମଞ୍ଜୁର ମିଳିବା ପରେ ପ୍ରଶାସନିକ ମଞ୍ଜୁରୀ ଓ ଅନୁଦାନ ପାଇଁ ନଗର ଉନ୍ନୟନ ବିଭାଗକୁ ପଠାଯାଇ ତୁରନ୍ତ ବ୍ୟବସ୍ଥା କରିବା ପାଇଁ ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ବାଙ୍କୀ ସହରାଞ୍ଚଳରେ ଦିନକୁ ଦିନ ଅବରୋଧ ବୃଦ୍ଧି ପାଉଥିବାରୁ ଦଶହରା ପୂର୍ବରୁ ଅବରୋଧ ହଟାଇବା ପାଇଁ ଯେଉଁ ନିଷ୍ପତ୍ତି ହୋଇଥିଲା ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପରିଷଦର ସଭ୍ୟମାନେ ଦାବି କରିଥିଲେ । ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଅବରୋଧ ହଟାଇବା କାର୍ଯ୍ୟକ୍ରମ କରାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ । ସଦସ୍ୟମାନେ ସେମାନଙ୍କର ୱାର୍ଡ ଉନ୍ନୟନ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ ଏବଂ ଅନୁଦାନ ଆସିଲେ ସମସ୍ତ ୱାର୍ଡରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ନଗରପାଳ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ଶେଷରେ ଉପନଗରପାଳ ସନ୍ତୋଷ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ ।